ଲୋକସଭାରେ ଆକ୍ରମଣାତ୍ମକ ମୁଦ୍ରାରେ ମୋଦି : ୧୯୪୭ରୁ କଂଗ୍ରେସର ଭୁଲ ଗଣାଇଲେ ପ୍ରଧାନମନ୍ତ୍ରୀ

42

କନକ ବ୍ୟୁରୋ :  ଲୋକସଭାରେ ବେଶ୍ ଆକ୍ରମଣାତ୍ମକ ମୁଦ୍ରାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ବିଭାଜନରେ ନେହେରୁଙ୍କ ଭୂମିକାଠାରୁ ଆରମ୍ଭ କରି ଗଣତନ୍ତ୍ରକୁ ନେଇ କଂଗ୍ରେସ ନେତାଙ୍କ ଉପଦେଶ ଯାଏଁ କାହାରିକୁ ଛାଡିଲେ ନାହିଁ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେଇ ପ୍ରାୟ ୯୦ ମିନିଟ ଧରି କଂଗ୍ରେସ ଉପରେ ବର୍ଷିଲେ ମୋଦି । ଗୋଟିଏ ପଟେ ଲୋକସଭାରେ ଜାରି ରହିଥାଏ ବିରୋଧୀଙ୍କ ହୋହଲ୍ଲା । ଆଉ ଏପଟେ ୧୯୪୭ରୁ ଗୋଟିଗୋଟି କରି କଂଗ୍ରେସର ଭୁଲ ଗଣି ଚାଲିଥାନ୍ତି ମୋଦି ।

ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକ ପ୍ରସଙ୍ଗ ଉଠାଇ ଲୋକସଭାରେ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ଦଳକୁ କାଠଗଡାରେ ଛିଡା କରାଇଥିଲେ ମୋଦି । ସେହିପରି ଏନଡିଏରୁ ଟିଡିପି ଅଲଗା ହୋଇଯିବା ନେଇ ଚର୍ଚ୍ଚା ଭିତରେ କିଭଳି ଟିଡିପି ଗଠନରେ ରାଜୀବ ଗାନ୍ଧିଙ୍କ ଭୂମିକା ରହିଥିଲା ସେକଥା ମନେପକାଇ ଦେଇଥିଲେ । ଗଣତନ୍ତ୍ରର ପାଠ ପଢାଉଥିବା କଂଗ୍ରେସ ଦଳ ଭିତରେ କିଭଳି ଗଣତନ୍ତ୍ର ନାହିଁ ତାର ଉଦାହରଣ ଦେଇ ସର୍ଦ୍ଦାର ପଟେଲଙ୍କୁ ଅଣଦେଖା କରିବାଠାରୁ ଆରମ୍ଭ କରି ରାହୁଲ ଗାନ୍ଧିଙ୍କ ନିର୍ବାଚନ ଯାଏଁ ପ୍ରଶ୍ନ ଉଠାଇଥିଲେ ମୋଦି ।

ଅନେକଥର ସଂସଦରେ କଂଗ୍ରେସ ଓ ଏହାର ନେତାଙ୍କ ବିରୋଧରେ ବିଷୋଦଗାର କରୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବରୁ ଏଭଳି ଆକ୍ରମଣାତ୍ମକ ଢଙ୍ଗରେ ଦେଖିବାକୁ ମିଳିନଥିଲା । ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଜାମ୍ମୁ-କାଶ୍ମୀର, ପାକିସ୍ତାନ ସମସ୍ୟା, ତେଲେଙ୍ଗାନା ଓ କର୍ଣ୍ଣାଟକ ପରି ପ୍ରସଙ୍ଗ ସ୍ଥାନ ପାଇଥିବାରୁ ଏହା ଏକ ନିର୍ବାଚନୀ ଅଭିଭାଷଣ ବୋଲି ମଧ୍ୟ କୁହାଯାଉଛି ।