ଭବାନୀପାଟଣାରେ ମୋଦିଙ୍କ ନିର୍ବାଚନୀ ସଭା । ନବୀନଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, କହିଲେ ରାଜ୍ୟର ବିକାଶରେ ବାଧକ ସାଜିଛନ୍ତି ସରକାର

148

କନକ ବ୍ୟୁରୋ : କଂଗ୍ରେସ ଓ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭବାନୀପାଟଣାଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ସ୍ଥାଣୁତା ଯୋଗୁଁ ଓଡିଶାର ବିକାଶ ଆଗକୁ ବଢିପାରୁ ନାହିଁ ବୋଲି ସେ କହିଛନ୍ତି । କଂଗ୍ରେସ କେବଳ ନିର୍ବାଚନ ପାଖକୁ ଆସିଲେ ଗରିବ କଥା କହିଥାଏ ବୋଲି ସମାଲୋଚନା କରିଛନ୍ତି ମୋଦି ।

ନିର୍ବାଚନ ଆସିଲେ କଂଗ୍ରେସର ଗରିବ ଲୋକଙ୍କ କଥା ମନେ ପଡିଥାଏ । ଆଉ ନିର୍ବାଚନ ସରିଯିବା ପରେ ଗରିବ ଲୋକଙ୍କ ହକ ପଇସାକୁ ହଡପ କରିଥାଏ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ୭୨ ହଜାର ଟଙ୍କାର ଗରିବଙ୍କୁ ବାର୍ଷିକ ସହାୟତା ଘୋଷଣା ପରିପ୍ରେକ୍ଷିରେ ଏଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ କଟାକ୍ଷ । ମୋଦି କହିଥିଲେ ନିର୍ବାଚନ ଆସିଲେ ଗରିବ ଗରିବ ମାଳା ଜପିଥାଏ କଂଗ୍ରେସ । କେବଳ କଂଗ୍ରେସ ନୁହେଁ ବରଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇନଥିଲେ ମୋଦି ।

ପୂର୍ବରୁ ଜୟପୁରରେ ନିର୍ବାଚନୀ ପ୍ରଚାର ପରେ ଆଜି ଭବାନୀପାଟଣାରେ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ବିଜେଡି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ମୋଦି । ତାଙ୍କର ପୁରା ନିର୍ବାଚନୀ ଭାଷଣରେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନନେଇ କହିଥିଲେ, କେନ୍ଦ୍ର ବିକାଶ ପାଇଁ ଉଦ୍ୟମ କରୁଥିବା ବେଳେ ରାଜ୍ୟ ସରକାର ଏଥିରେ ବାଧକ ସାଜିଛନ୍ତି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା କ୍ଷେତ୍ରରେ ବାଧକ ସାଜିଛି ବିଜେଡି ସରକାର । ପିଏମ କିଷାନ ଯୋଜନା ଓ ଆୟୁଷ୍ମାନ ଯୋଜନାର ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ମୋଦି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଡବଲ ଇଂଜିନ ବିଜେପିର ବାହୋସ୍ପଟ ଏବଂ ଓଡିଶାବାସୀ କେବଳ ଗୋଟିଏ ଇଂଜିନ – ନବୀନ ଇଂଜିନ ଉପରେ ଭରସା କରନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର । ବିଜେପି କେବଳ ମିଥ୍ୟା ପ୍ରତିଶୃତି ଦେଇଥାଏ ବୋଲି କହି ଟାର୍ଗେଟ କରିଛି ବିଜେଡି । ଏହାପୂର୍ବରୁ ଭବାନୀପାଟଣା କ୍ରିଷ୍ଣା ନଗର ପଡ଼ିଆରେ ଆୟୋଜିତ ଏହି ସମାବେଶରେ ମୋଦି ଦେଶ ପାଇଁ ଗତ ୫ ବର୍ଷ ଦିନଟିଏ ମଧ୍ୟ ଛୁଟି ନନେଇ କାମ କରିଛନ୍ତି ବୋଲି କହିଛନ୍ତି ।