୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ତାଙ୍କ କାର୍ଯ୍ୟକାଳର ଉପଲବ୍ଧିକୁ ଦେଶବାସୀଙ୍କ ଆଗରେ ବଖାଣିଛନ୍ତି । ଏହା ସହ ବିକାଶ କାର୍ଯ୍ୟରେ ସରକାରଙ୍କ ଗତି ବାବଦରେ ମଧ୍ୟ କହିଛନ୍ତି । ଗତ ଚାରି ବର୍ଷର ସଫଳତା ବଖାଣିବା ସହ ମୋଦି ଏହା ମଧ୍ୟ କହିଛନ୍ତି ଯେ, କେମିତି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଠାରୁ ଏନଡିଏ ସରକାର ଦ୍ରୁତ ଗତିରେ କାମ କରୁଛି । ଏବଂ ଦେଶ ଦୁଇ ଗୁଣା ଅଧିକ ବେଗରେ ବିକାଶ ଆଡକୁ ଗତି କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୨୦୧୩ରେ ଦେଶ ଯେଉଁ ଗତିରେ ଆଗଉଥିଲା ଏବଂ ଗତ ଚାରି ବର୍ଷରେ ଯେଉଁ ଭଳି ଭାବରେ ଦେଶରେ ବିକାଶର ସ୍ରୋତ ଆଗେଇ ଚାଲିଛି, ତାହାକୁ ତୁଳନା କଲେ ଆପଣ ବିକାଶର ଧାରା ବାବଦରେ ଜାଣିପାରିବେ । ମୋଦି କହିଛନ୍ତି ଯେ, ୨୦୧୩ ମସିହାରେ ଯେଉଁ ଗତିରେ କାମ ଚାଲୁଛି ସେହି ଗତିରେ କାମ ହୋଇଥିଲେ ଘରେ ଘରେ ଶୌଚାଳୟ ପହଞ୍ଚାଇବା ପାଇଁ ଅନେକ ବର୍ଷ ସମୟ ଲାଗିଥାନ୍ତା । ଏହା ସହ ଗାଁ ଗାଁରେ ବିଜୁଳି ପହଞ୍ଚାଇବା ପାଇଁ ଆହୁରି ୨୦ ବର୍ଷ ସମୟ ଲାଗିଥାନ୍ତା ।

ଏଥି ସହ ଉଜ୍ଜଳା ଯୋଜନା ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି ଯେ, ୨୦୧୩ରେ ଯେଉଁ ଭଳି ଭାବେ ଗ୍ୟାସ କନେକସନ୍ ଦିଆଯାଉଥିଲା, ସେହି ଗତିରେ କାମ ଚାଲୁଥିଲେ ଦେଶର ପ୍ରତିଟି ଘରେ ଗ୍ୟାସ କନେକସନ୍ ପହଞ୍ଚିପାରିନଥାନ୍ତା । ଏହା ଛଡା ମୋଦି କହିଛନ୍ତି ଯେ, ଯେଉଁ ଗତିରେ ୨୦୧୩ରେ ଗାଁ ପର୍ଯ୍ୟନ୍ତ ଅପଟିକାଲ ଫାଇବର ପହଞ୍ଚାଇବା କାମ ଚାଲିଥିଲା, ସେହି ଗତିରେ ଦେଶର ପ୍ରତିଟି ଗାଁକୁ ଅପଟିକାଲ ଫାଇବର ସହ ଯୋଡିବା ପାଇଁ ଅନେକ ଯୁଗ ବିତି ଯାଇଥାନ୍ତା । ମୋଦି କହିଛନ୍ତି ପୂର୍ବ ଭଳି ସବୁ କିଛି ରହିଛି କିନ୍ତୁ ସରକାରଙ୍କ କାମ କରିବାର ଗତି ବଢିଛି । ସେ କହିଛନ୍ତି ଯେ, ସେହି ପବନ ଅଛି, ସେହି ଆକାଶ ରହିଛି, ସେହି ବିଲଡିଂ ଅଛି, ସେହି ଅଧିକାରୀମାନେ ମଧ୍ୟ ଅଛନ୍ତି, ସବୁକିଛି ପୂର୍ବ ଭଳି ରହିଛି, କିନ୍ତୁ ଗତ ଚାରି ବର୍ଷରେ ଦେଶ ପରିବର୍ତ୍ତନ ଅନୁଭବ କରୁଛି । କାହିଁକି ନା ଏନଡିଏ ସରକାରରେ ନିଷ୍ପତ୍ତି ନେବାର ସାମର୍ଥ୍ୟ ଅଛି ବୋଲି ମୋଦି କହିଛନ୍ତି ।