ଯୋଗୀଙ୍କୁ ଯବାବ ମାଗିଲେ ମୋଦି ! ଉପନିର୍ବାଚନରେ ବିଫଳତା ଓ ଦଳିତ ପ୍ରସଙ୍ଗକୁ ନେଇ ଉଠାଇଲେ ପ୍ରଶ୍ନ

41

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଯବାବ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ ବିଜେପିର ବିଫଳତା ଓ ୪ଜଣ ସାଂସଦଙ୍କ ଚିଠିକୁ ନେଇ ଯୋଗୀଙ୍କୁ ପ୍ରଶ୍ନ କଲେ ମୋଦି । ଉତ୍ତରପ୍ରଦେଶରେ ସବୁ ସୁରୁଖୁରୁରେ କାହିଁକି ଚାଲିନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଯୋଗୀଙ୍କୁ ଯବାବ ମାଗିଛନ୍ତି । ବିଜେପିର ୪ଦଳିତ ସାଂସଦ ଦଳିତଙ୍କ ସହ ହେଉଥିବା ଅତ୍ୟାଚାର ବିରୋଧରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି ।

ସେପଟେ ମିଳିଥିବା ସୂଚନା ଅନୁସାରେ ଆରଏସଏସର ଦୁଇ କର୍ମୀ ତିନି ଦିନିଆ ଉତରପ୍ରଦେଶ ଗସ୍ତ କରି ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ, ଯୋଗୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଆରଏସଏସ ଯୁଗ୍ମ ସହ ସମ୍ପାଦକ ଦତାତ୍ରେୟ ହୋସବାଲେ ଓ କୃଷ୍ଣ ଗୋପାଳ ଉତରପ୍ରଦେଶ ଗସ୍ତ କରିଥିଲେ । ସେଠାରେ ଦୁଇ ଉପମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ, ଦଳର ପଦାଧିକାରୀ, ସଂଘର ନେତା ଓ କର୍ମକର୍ତାଙ୍କ ସମେତ ଜନସାଧାରଣଙ୍କୁ ଯୋଗୀ ସରକାରଙ୍କ ସମ୍ପର୍କରେ ଫିଡବ୍ୟାକ ମାଗିଥିଲେ ।  ଶନିବାର ଦିନ ଦିଲ୍ଲୀ ଗସ୍ତ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ଯୋଗୀ । କିଛି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମଧ୍ୟ ସାକ୍ଷାତକାରରେ ଆଲୋଚନା ହୋଇଥିଲା । ସେପଟେ ଏପ୍ରିଲ ୧୧ରେ ଲକ୍ଷ୍ନୌ ଗସ୍ତରେ କରି ପରିସ୍ଥିତିର ସମୀକ୍ଷା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ତେବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଏହା ଯୋଗୀଙ୍କ ଔପଚାରିକ ବୈଠକ ବୋଲି କୁହାଯାଉଛି ।

 

ମିଳିଥିବା ସୂଚନା ଅନୁସାରେ ଏହାର ପ୍ରଭାବରେ ଆଗାମୀ ଦିନରେ ଦଳ କିମ୍ବା ୟୁପି ସରକାରରେ କିଛି ପରିବର୍ତନ ଆସିବାର ସମ୍ଭାବନା ରହିଛି । ଏସପି-ବିଏସପି ଏକତ୍ରିତ ହେବା ଯୋଗୁଁ ଦଳିତ ଓ ମୁସଲିମ ସମ୍ପ୍ରଦାୟ ବିଜେପି ବିରୋଧରେ ଏକାଠି ହୋଇପାରନ୍ତି ବୋଲି ପୂର୍ବରୁ ଆରଏସଏସ ପ୍ରଧାନମନ୍ତ୍ରୀଙ୍କୁ ଚେତାଇ ଦେଇଛି । ତେବେ ଏହି ସବୁ ଚର୍ଚ୍ଚା ପରେ ଯୋଗୀଙ୍କୁ ଡକାଇ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।