ନିର୍ବାଚନୀ ଝଟକା ପରେ ପ୍ରସ୍ତୁତି ! ସାରା ଦେଶର କୃଷକଙ୍କ ଋଣ ଛାଡ଼ କରିପାରନ୍ତି ମୋଦି ସରକାର

1,057

୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ମୋଦି ସରକାରଙ୍କୁ ଲାଗିଛି ଶକ୍ତ ଝଟକା । ଆଗାମୀ ଲୋକସଭା ନିର୍ବାଚନରେ କେଉଁ ନୀତି ଆପଣାଇବେ ସେ ନେଇ ଏବେଠାରୁ ବିଜେପି ପ୍ରସ୍ତୁତି ଆରମ୍ଭ କଲାଣି । ଅନ୍ୟପଟେ ପରାଜୟର କାରଣ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଦିଲ୍ଲୀରେ  ବିଜେପିର ବୈଠକ ବସୁଛି । ଅମିତ ଶାହ ଦିଲ୍ଲୀରେ  ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ଆଗାମୀ ସମୟରେ ଏଜେଣ୍ଡା କ’ଣ ରହିବ ? ବ୍ରାଣ୍ଡ ମୋଦି ଛବି କିପରି ମଳିନ ନପଡ଼ିବ ସେନେଇ ବିସ୍ତୃତ ଆଲୋଚନା ହେବ ।

Source:DNA India

ସେପଟେ ସରକାରୀ ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସାରା ଦେଶର କୃଷକଙ୍କ ଋଣ ଛାଡ଼ିବା ପାଇଁ ଯୋଜନା କରୁଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କୃଷକଙ୍କୂ ଆକର୍ଷିତ କରିବା ପାଇଁ ଲକ୍ଷ ଋଣ ଛାଡ଼ ଘୋଷଣା କରିପାରନ୍ତି । ବଜେପି ଦେଶର ତିନି ବଡ଼ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ପରାଜିତ ହୋଇଛି । ବିଜେପି ସତ୍ତାରୂଢ଼ ରାଜ୍ୟ ହେଲେ ମଧ୍ୟ ଗୋଟିଏ ବି ରାଜ୍ୟରେ ବିଜୟ ବାନା ଉଡ଼ାଇ ପାରିନାହିଁ ବିଜେପି । ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଏବେ ଚାଲିବ କଂଗ୍ରେସର ରାଜ୍ ।

ଅଭିଯୋଗ ହେଉଛି ବିଜେପି ଏହି ରାଜ୍ୟ ଗୁଡ଼ିକରେ କୃଷକଙ୍କ ଉପରେ ଗୁରୁତ୍ୱ ଦେଇନଥିଲେ । ପ୍ରତିଶ୍ରୁତି ରଖିନଥିଲେ । ଅନ୍ୟପଟେ କଂଗ୍ରେସ ସରକାର ଗଢ଼ିଲେ ୧୦ ଦିନ ପରେ ଋଣଛାଡ଼ କରିବା କଥା ବାରମ୍ବାର ଘୋଷଣା କରିଥିଲା । ତେବେ ସତରେ କଂଗ୍ରେସ ଋଣଛାଡ଼ କରିବ ପରି ଆଶା ଦେଖାଯାଉ ନାହିଁ । କାରଣ ରାହୁଲ ଗାନ୍ଧୀ, ଫଳାଫଳ ଘୋଷଣା ପରେ କରିଥିବା ପ୍ରେସମିଟରେ କହୁଛନ୍ତି ଋଣଛାଡ଼ କରିବା କୃଷକଙ୍କ ସମସ୍ୟାର ସମାଧାନ ନୁହେଁ । ଏଥିପାଇଁ ବିରାଟ ପ୍ରସ୍ତୁତି କରିବା ପାଇଁ ପଡ଼ିବ । ତେବେ ପୂର୍ବରୁ କିନ୍ତୁ ନିର୍ବାଚନୀ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୋର ଜୋରରେ କହୁଥିଲେ କଂଗ୍ରେସ ସରକାର ଗଢ଼ିଲେ ୧, ୨, ୩  . . . .୧୦ ଦିନ ଭିତରେ କୃଷକଙ୍କ ଋଣ ଛାଡ଼ ହେବ । ହେଲେ ନିର୍ବାଚନ ଜିତିବାରେ ପରେ ପ୍ରତିଶ୍ରୁତିରେ କେଁ ପୁରାଇଲେଣି ।

 ସରକାରୀ ସୂତ୍ର ଅନୁସାରେ ସାରା ଦେଶରେ ୨୬ କୋଟି ୩୦ ଲକ୍ଷ କୃଷକଙ୍କ ଋଣ ଛାଡ଼ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ ମୋଦି ସରକାର । ୨୦୧୯ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସରକାର କୃଷକଙ୍କ ସପକ୍ଷରେ ଖୁବ ଶୀଘ୍ର ପଦକ୍ଷେପ ନେବ ବୋଲି କୃଷି ବିଶେଷଜ୍ଞ କହିଛନ୍ତି । ଏହା ବ୍ୟତୀତ ଚାଉଳ ଓ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବୃଦ୍ଧି କରିପାରନ୍ତି । ସୂତ୍ର ଅନୁସାରେ ୫୬.୫ ବିଲିୟନ୍ ଡଲାରର ଋଣ ଛାଡ଼ କରିବା ପାଇଁ ଘୋଷଣା ହେବ । ସୂଚନାଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନ ସମୟରେ ଋଣ ଛାଡ଼ ରାଜନୀତି ଜିତିବାର ସବୁଠାରୁ ବଡ଼ ଜରିଆ ସାଜିଥିଲା ।