ଆଜିଠୁ ହେମ୍ବର୍ଗରେ ଜି-୨୦ ସମ୍ମିଳନୀ : ଜର୍ମାନୀରେ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି

13

କନକ ବ୍ୟୁରୋ : ଆଜି ଜର୍ମାନୀର ହେମ୍ବର୍ଗରେ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ତିନି ଦିନିଆ ଇସ୍ରାଏଲ ଗସ୍ତ ଶେଷ କରି ଜର୍ମାନୀ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମିଳନୀରେ ମୋଦିଙ୍କୁ ଭେଟିବେନି ଜିନପିଙ୍ଗ୍ । ସୀମାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଥିବା ବେଳେ ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହେବନି ବୋଲି ରୋକଠୋକ୍ ଶୁଣାଇ ଦେଇଛି ଚୀନ୍ । ଅନ୍ୟ ସମ୍ମିଳନୀ ଗୁଡିକ ପରି ଜି-୨୦ ସମ୍ମିଳନୀରେ ମଧ୍ୟ ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ସଂକ୍ଷିପ୍ତ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା ।

ସିକିମର ଡୋକଲାମ ସେକ୍ଟରରେ ଉଭୟ ଦେଶର ସେନା ମୁହାଁମୁହିଁ ପରିସ୍ଥିତିରେ ଥିବାରୁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବନି ବୋଲି ଚୀନ୍ ପକ୍ଷରୁ କୁହାଯାଇଛି । ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଜେଙ୍ଗ ସୁଆଙ୍ଗ କହିଛନ୍ତି ଯେ ଡୋକଲାମ କ୍ଷେତ୍ରରୁ ଭାରତ ସେନା ହଟାଇ ନିଏ ତେବେ ଯାଇ କଥାବାର୍ତ୍ତା ସମ୍ଭବ ଅନ୍ୟପଟେ ଚୀନକୁ କଡ଼ା ଜବାବ ଦେଇଛି ଭାରତ । ଦୁଇ ନେତାଙ୍କ ଆଲୋଚନା ପାଇଁ କିଏ ପ୍ରସ୍ତାବ ଦେଇଥିଲା ଜଣା ନାହିଁ । ତେବେ ଆଲୋଚନା ପ୍ରସ୍ତାବ ଇଣ୍ଡିଆ ଦେଇନି ବୋଲି ସ୍ପଷ୍ଟ କରିଛି ଭାରତର ବୈଦେଶିକ ମନ୍ତ୍ରାଳୟ ।