ତେଲଦରରେ ଲାଗିଲା ରାଜନୀତିର ନିଆଁ ! ପ୍ରତିବାଦରେ ଯୁବ କଂଗ୍ରେସ କର୍ମୀ ଫାଡିଲେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର

30

କନକ ବ୍ୟୁରୋ : ବିଜେଡି ପରେ ଆଜି ତୈଳ ଦର ବୃଦ୍ଧିକୁ ବିରୋଧ କରିଛି ଯୁବ କଂଗ୍ରେସ । ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଚିରିବା ସହ କେନ୍ଦ୍ର ବିରୁଦ୍ଧରେ ନାରାବାଜି କରିଛନ୍ତି ଯୁବ କଂଗ୍ରେସ କର୍ମୀ । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ମଟର ସାଇକେଲ ର୍ୟାଲି କରି ଭୁବନେଶ୍ୱର ଡେଲ୍ଟା ଛକ ନିକଟରେ ଥିବା ପେଟ୍ରୋଲ ଟାଙ୍କିରେ ମୋଦିଙ୍କ ପୋଷ୍ଟର ଚିରିବା ବେଳେ ପୋଲିସ କିଛି ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।

କଂଗ୍ରେସ କର୍ମୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ରାଜଧାନୀ ଡେଲ୍ଟା ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଉତ୍ୟକ୍ତ ଯୁବ କଂଗ୍ରେସ କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଚିରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଜ୍ୟ କଂଗ୍ରେସ ଭବନରୁ ଏକ ମୋଟର ସାଇକେଳ ର୍ୟାଲିରେ ଆସି ପେଟ୍ରୋଲ ପମ୍ପରେ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନାକୁ ପ୍ରଚାର କରୁଥିବା ଏହି ପୋଷ୍ଟରକୁ ଚିରି ଦେଇଛନ୍ତି । ଆଉ ଏହାସହ ପେଟ୍ରୋଲ ଟାଙ୍କି କମ୍ପାନିର ମାଲିକଙ୍କୁ ଧମକ ଦେଇଛନ୍ତି ପେଟ୍ରୋଲ ଟାଙ୍କିରେ ମୋଦିଙ୍କ ଫଟୋ ନ ଲଗାଇବା ପାଇଁ । ଆଗକୁ ଏହି ପୋଷ୍ଟର ଚିରା ଅଭିଯାନ ପୂରା ରାଜ୍ୟକୁ ବ୍ୟାପିବ ବୋଲି କହିଛି ଯୁବ କଂଗ୍ରେସ ।

ଏହି ଘଟଣାରେ କମିଶନରେଟ ପୋଲିସ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ସମେତ ୬ଜଣ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ଏମାନଙ୍କ ବିରୁଦ୍ଧରେ ଲାଗିଛି
ଓଡିଶା ସହରାଂଚଳ ପୋଲିସ ଆକ୍ଟର ଦଫା ୯୬ ଅର୍ଥାତ୍ ୧୪୪ଧାରା ବଳବତର ଥିବା ଅଂଚଳରେ ଶୋଭାଯାତ୍ରା କରିବା
ଆଇପିସିର ଧାରା ୧୮୮ ଅର୍ଥାତ ଅନୁମତି ବିନା ରାସ୍ତା ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରିବା
ଆଇପିସି ଧାରା ୪୨୭ ଅର୍ଥାତ ସମ୍ପତି ନଷ୍ଟ କରିବା
ଆଇପିସି ଧାରା ୩୪୧ ବେଆଇନ ଭାବରେ ଅନ୍ୟକୁ ବାଧା ଦେବା ଓ
ଆଇପିସି ଧାରା ୩୨୩ ଅର୍ଥାତ ଜାଣିଶୁଣି ଅନ୍ୟକୁ କ୍ଷତି ପହଂଚାଇବା