ସର୍ଜିକାଲ ଷ୍ଟ୍ରାଇକର ସତ କହିଲେ ମୋଦି ! ଜାଣନ୍ତୁ ସୀମା ଆରପାରିକୁ ଯିବା ପୂର୍ବରୁ ଯବାନ ମାନଙ୍କୁ କଣ କହିଥିଲେ ମୋଦି

1,031

ସର୍ଜିକାଲ ଷ୍ଟ୍ରାଇକ ଅପରେସନ ସଫଳ ହେଉ ବା ନହେଉ । ସର୍ଯ୍ୟୋଦୟ ପୂର୍ବରୁ ଯେମିତି ସମସ୍ତ ଯବାନ ଫେରିଆସନ୍ତୁ । ସର୍ଜିକାଲ ଷ୍ଟ୍ରାଇକ ପୂର୍ବରୁ ଯବାନ ମାନଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଏହାର ଖୁଲାସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆବର୍ଷରେ ପ୍ରଥମ ସାକ୍ଷାତକାରରେ ମୋଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ୯୫ ମିନିଟର ଇଣ୍ଟରଭ୍ୟୁରେ ଅନେକ ଗୁଡିଏ ଘଟଣା ସର୍ମ୍ପକରେ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି ମୋଦି । ଖାସକରି ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ମୋଦି କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକ ଆମ ପାଇଁ ସବୁଠୁ ବଡ ରିସ୍କ ଭାବେ ଉଭା ହୋଇଥିଲା । ସୀମା ଆରପାରିକୁ ଯାଇଥିବା ଯବାନ ନ ଫେରିବା ପର୍ଯ୍ୟନ୍ତ ଆମର ନିଃଶ୍ୱାସ ଅଟକି ଯାଇଥିଲା ବୋଲି କହିଛନ୍ତି ମୋଦି । କାରଣ ଯବାନ ମାନଙ୍କ ସୁରକ୍ଷା ଆମର ପ୍ରାଥମିକତା ଥିଲା ।

ତେଣୁ ସର୍ଜିକାଲ ଷ୍ଟ୍ରାଇକ ମିଶନ ପୂର୍ବରୁ ସମସ୍ତ ଯବାନ ମାନଙ୍କୁ କୁହାଯାଇଥିଲା, ଏହି ମିଶନ ସଫଳ ହେଉ ବା ନ ହେଉ କିନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ ସୀମା ଆରପାରିକୁ ଯାଇଥିବା ସମସ୍ତ ଯବାନ ଫେରି ଆସିବା ଦରକାର । ଏପରିକି ମୋଦି କହିଥିଲେ, ମୋତେ ମିଶନ ବାବଦରେ ଟିକିନିକି ତଥ୍ୟ ଦିଆଯାଇଥିଲା । ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତ ଯବାନ ସୀମା ମଧ୍ୟକୁ ଆସିବେ ବୋଲି କୁହାଯାଇଥିଲା, କିନ୍ତୁ ସମସ୍ତ ଯବାନ ସୀମାକୁ ନ ଫେରିବା ପର୍ଯ୍ୟନ୍ତ ଚିନ୍ତା ବଢି ଯାଇଥିଲା ।

ଅନ୍ୟପଟେ ପାକିସ୍ତାନ ସୀମାରେ ବାରମ୍ବାର ଆକ୍ରମଣ କରୁଥିବା ଘଟଣାରେ ମୋଦି କହିଛନ୍ତି, ପାକିସ୍ତାନ ଗୋଟିଏ ଲଢେଇ ସୁଧୁରିବ ନାହିଁ । ଏଭଳି କହି ବିରୋଧୀ ଦଳ ଗୁଡିକୁ ମଧ୍ୟ ପରୋକ୍ଷରେ ଟାର୍ଗେଟ କରିଛନ୍ତି ମୋଦି । କାରଣ ସେତେବେଳେ ବିରୋଧୀ ଦଳ ଗୁଡିକ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକକୁ ବିରୋଧ କରୁଥିଲେ ।

କେବେ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ :
୨୦୧୬ରେ ଉରୀ ଆତଙ୍କବାଦୀ ଆକ୍ରମଣରେ ସେନା ଯବାନ ଶହୀଦ ହେବା ପରେ ଏହାର ୧୦ ଦିନ ମଧ୍ୟରେ ଆକ୍ସନ ମୋଡକୁ ଆସିଥିଲା ଭାରତୀୟ ସେନା । ୨୮ ସେପ୍ଟେମ୍ବର ରାତିରେ ଯୋଜନାବଦ୍ଧ ଭାବେ ଭାରତୀୟ ସେନା ପାକିସ୍ତାନ ସୀମାର ୩ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହାଛଡା ଲ ଞ୍ଚିଂ ପ୍ୟାଡକୁ ମଧ୍ୟ ମାଟିରେ ମିଶାଇ ଦେଇଥିଲେ । କିନ୍ତୁ ସେତେବେଳେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଆଉ ଏହାର ୨ ବର୍ଷ ପରେ ଆଜି ଏ ବାବଦରେ ମୁହଁ ଖୋଲିଛନ୍ତି ମୋଦି ।