ୱାର ରୁମରେ ଆଲୋଚନା ପରେ ମଞ୍ଚକୁ ଆସିଲେ ମୋଦି! ବାୟୁସେନାର ଏୟାର ଷ୍ଟ୍ରାଇକକୁ ନେଇ ଜାହିର କଲେ ଖୁସି, ପ୍ରଧାନମନ୍ତ୍ରୀ କହିଲେ, ସୁରକ୍ଷିତ ଲୋକଙ୍କ ହାତରେ ଅଛି ଦେଶ

246

କନକ ବ୍ୟୁରୋ : ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ ନିପାତ କରି ବାୟୁସେନାର ଯବାନ ନିଜ ମାଟିରେ ଫେରିବା ପରେ ତାକୁ ନେଇ ଯେତିକି ଆଲୋଚନା ଚାଲିଥିଲା, ତାଠୁ ଅଧିକ ଉତ୍ସାହ ଥିଲା ଏହି ଏୟାର ଷ୍ଟ୍ରାଇକ୍ ସଂପର୍କରେ କ’ଣ କହିବେ ପ୍ରଧାନମନ୍ତ୍ରୀ? ଆଉ ରାଜସ୍ଥାନର ଚୁରୁ ସଭାକୁ ଓହ୍ଲାଇ, ଦେଶବାସୀଙ୍କୁ ବଡ ବାର୍ତା ଦେଇଛନ୍ତି ନରେନ୍ଦ୍ର ମୋଦି । କହିଛନ୍ତି, ଦେଶ ସୁରକ୍ଷିତ ଲୋକଙ୍କ ହାତରେ ଅଛି । ପାକିସ୍ତାନର ନାଁ ନନେଇ ଦେଶ ପ୍ରେମର ଯେଉଁ କବିତା କହିଛନ୍ତି, ସେହି କବିତା ହିଁ ବଖାଣି ଦେଇଛି ମୋଦି ସରକାରର ପୁରା ଆଭିମୁଖ୍ୟ ।

ଶତ୍ରୁର ମାଟିରେ ଶତ୍ରୁକୁ ଉଚିତ୍ ଶିକ୍ଷା ଦେଇ ବାୟୁସେନାର ଯବାନମାନେ ଭାରତ ମାଟିକୁ ଫେରିବା ପରେ, ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଦେଶପ୍ରେମର ଏହି କବିତା ହିଁ ବୟାନ କରୁଛି, ଭାରତ ଆଡକୁ ଯିଏ ଆଡ ଆଖିରେ ଚାହିଁବ, ତାର ଅବସ୍ଥା କ’ଣ ହୋଇପାରେ । ଶହ ଶହ ଶବ୍ଦରେ ଯେଉଁ କଥା କହିବା,ବେଳେବେଳେ ସଂଭବ ହୁଏନି ତାକୁ କବିତାର କେଇଟିଶବ୍ଦରେ ବଖାଣିଛନ୍ତି ମୋଦି

ପୁଲୱାମା ହମଲା ପରେ ଯେଉଁ ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ, ସେହି ଚେତାବନୀକୁ କାର୍ଯ୍ୟରେ କହି ଦେଖାଇଛନ୍ତି ବାୟୁସେନାର ଯବାନ । ଆତଙ୍କବାଦୀମାନେ ବହୁତ ବଡ ଭୁଲ୍ କରିଦେଇଛନ୍ତି, ଆଉ ବହୁତ ବଡ ମୁଲ୍ୟଦେବାକୁ ପଡ଼ିବ ବୋଲି ଖୋଲାଖୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ସେହି ବଡ ମୁଲ୍ୟ ଆଜି ଆତଙ୍କବାଦୀଙ୍କୁ ଦେବାକୁ ପଡ଼ିଛି ।

ଦେଶ କେବଳ ସୁରକ୍ଷିତ ହାତରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହି ନାହାଁନ୍ତି, ବରଂ ପରୋକ୍ଷରେ ଆତଙ୍କବାଦୀ ଏବଂ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଆଡକୁ ଇସାରା କରି କହିଛନ୍ତି ଆଜି ଦୁନିଆ ଭାରତର ଦମ୍ ଦେଖୁଛି ।

ୱାର ରୁମର ପ୍ଲାନିଂ ଏବଂ ବାୟୁସେନାର ସଫଳତା ଭିତରେ ଆଜି ଯେତେବେଳେ ରାଜସ୍ତାନର ଚୁରୁ ସଭାମଂଚରେ ପହଂଚିଥିଲେ ମୋଦି, ସେତେବେଳେ ଲୋକଙ୍କ ଭାବଭଙ୍ଗୀରୁ ସ୍ପଷ୍ଟ ବାରି ହେଉଥିଲା ଏକ ବିଜୟ ଭାବର ପ୍ରତିଛବି । ମୋଦି କହିଥିଲେ, ଆଜି ଆପଣମାନଙ୍କ ଭାବଭଙ୍ଗୀ କିଛି ଅଲଗା ଲାଗୁଛି? ଆପଣଙ୍କ ଉତ୍ସାହ, ଆପଣଙ୍କ ଜୋସ୍, ମୁଁ ଠିକ୍ ବୁଝିପାରୁଛି ।

ଏପଟେ ଆତଙ୍କବାଦର ଲଢ଼େଇ ଦିଗରେ ସରକାରଙ୍କ ସାଥିରେ ଥିବା ଘୋଷଣା କରିଥିବା କଂଗ୍ରେସ ଅଧ୍ୟକ୍ଷ ବାୟୁସେନାର ପାଇଲଟଙ୍କୁ ସାଲ୍ୟୁଟ କରିଛନ୍ତି । ଏ ସଂପର୍କରେ ବିଧିବଦ୍ଧ ଭାବରେ ଟ୍ୱିଟ୍ କରିଛନ୍ତି ରାହୁଲ ଗାନ୍ଧି । ଏସବୁ ଭିତରେ ଦେଶର ସୁରକ୍ଷା ପାଇଁ ଭାରତୀୟ ଯବାନ ନେଇ ଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରସଂଶା କରିବା ସହ ସାଲ୍ୟୁଟ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ଉରୀ ହମଲା ପରେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ପୁଲୱାମା ଆକ୍ରମଣ ପରେ ଏୟାର ଷ୍ଟ୍ରାଇକ୍, ଏହି ଦୁଇଟି ଘଟଣା ହିଁ ସ୍ପଷ୍ଟ କରୁଛି ଆତଙ୍କବାଦର ଲଢ଼େଇରେ ଭାରତ ପଛଘୁଂଚା ଦେବନି ।