ଆଜି ଓଡିଶା ଓ ପଶ୍ଚିମବଙ୍ଗ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଆକାଶମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କରିବେ, ସମୀକ୍ଷା ବୈଠକରେ ଥଇଥାନ ଓ ଉଦ୍ଧାର କାର୍ଯ୍ୟ ନେଇ ହେବ ଆଲୋଚନା

200

କନକ ବ୍ୟୁରୋ : ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ଆଜି ସକାଳ ୧୦ଟାରେ କୋଲକାତା ବିମାନ ବନ୍ଦରରେ ପହଂଚିବେ । ଏହାପରେ ୧୦ଟା ୪୫ ମିନିଟରେ ଦମଦମ୍ ବିମାନବନ୍ଦରରେ ପହଁଚିବେ ମୋଦି । ସେହିଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ହେଲିକପ୍ଟର ଯୋଗେ ମୋଦି ଗସ୍ତ କରିବେ ବସିରହାଟ । ଦିନ ୧୧ଟା ୨୦ ମିନିଟରେ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଂଚଳର ଆକାଶମାର୍ଗରୁ ସ୍ଥିତି ଦେଖିବେ । ଆଉ ତା’ପରେ ପଶ୍ଚିମବଙ୍ଗ ଛାଡି ଭୁବନେଶ୍ୱର ଅଭିମୁଖେ ଆସିବେ ମୋଦି ।

ସେଇଥିପାଇଁ ବିମାନ ବନ୍ଦରରେ ପ୍ରସ୍ତାବିତ ବୈଠକ ସ୍ଥଳୀକୁ ବିଶୋଧନ କରାଯାଇଥିବା ଖବର ମିଳିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବୈଠକ ହୋଇଛି । ଗୁଇନ୍ଦା ନିର୍ଦ୍ଦେଶକ, ପୋଲିସ କମିଶନର, କ୍ରାଇମବ୍ରାଂଚ ଏଡିଜି ଓ ରାଜ୍ୟ ପୋଲିସର ବହୁ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି । ତାଲାବନ୍ଦ ଆରମ୍ଭ ହେବାଠାରୁ ପ୍ରଧାନମନ୍ତ୍ରୀ ୫୭ ଦିନ ହେଲା ଦିଲ୍ଲୀରେ ଅଛନ୍ତି । ତାଲାବନ୍ଦ ଭିତରେ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରିବେ ପ୍ରଧାନମନ୍ତ୍ରୀ । ତେବେ ଲକଡାଉନ ପିରିୟଡ ଭିତରେ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବହୁ ବୈଠକ କରିଛନ୍ତି । ବାତ୍ୟା ଅମ୍ଫାନର ପ୍ରଭାବରେ ଓଡିଶାର ୪ଟି ଜିିଲ୍ଲାରେ ବ୍ୟାପକ କ୍ଷତି ହୋଇଛି । ସେହିପରି ପଶ୍ଚିମବଙ୍ଗରେ ବାତ୍ୟା ୭୨ ଜଣଙ୍କ ଜୀବନ ନେଇଥିବାବେଳେ କୋଲକାତା, ହ୍ୱାଓଡା ଓ ହୁଗୁଳି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

ଏପଟେ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ଅମ୍ଫାନ ଯୋଗୁଁ କେଉଁ ଅଂଚଳ, କେତେ ପ୍ରଭାବିତ, କେତେ କ୍ଷୟକ୍ଷତି ହୋଇଛି, ତାର ସମୀକ୍ଷା କରିଛନ୍ତି ନବୀନ । ସ୍ଥିତି ଅନୁଧ୍ୟାନ କରିବା ପରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ଘାଟ ଓ ବିଦ୍ୟୁତ୍ କ୍ଷେତ୍ର ଭିତିଭୂମିର ତୁରନ୍ତ ପୁନଃରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସୁଦ୍ଧା ରାସ୍ତା ଅବରୋଧ ହଟାଯାଇ ଯୋଗାଯୋଗ ସ୍ୱାଭାବିକ କରିବାକୁ କହିଛନ୍ତି ନବୀନ । ୨୪ ଘଂଟା ମଧ୍ୟରେ ସେସୁ ଅଂଚଳରେ ଏବଂ ୭୨ ଘଂଟା ମଧ୍ୟରେ ନେସକୋ ଅଂଚଳରେ ବିଦ୍ୟୁତ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଭାବିତ ଅଂଚଳରେ ପର୍ଯ୍ୟାପ୍ତ ପରିମାଣର କୁଶଳୀ କର୍ମଚାରୀ ଓ ଉପକରଣ ନେଇ ଯୁଦ୍ଧକାଳିନ ଭିତିରେ ପୁନଃରୁଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ବାତ୍ୟାରେ ଭାଙ୍ଗି ଯାଇଥିବା ଘର ଓ କୋଠାର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ବୁଧବାର ବାତ୍ୟା ଅମ୍ଫାନ ରାଜ୍ୟର ୪ଟି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି କରିଛି । ପ୍ରାଥମିକ ଆକଳନ ଅନୁସାରେ ୮୯ଟି ବ୍ଲକ ବାତ୍ୟା ଅମ୍ଫାନରେ ପ୍ରଭାବିତ ହୋଇଛି । ପ୍ରାୟ ୧ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଛି ।