ଦେଶର ସବୁଠାରୁ ବଡ ଉଦ୍ଧାର ଅଭିଯାନ ! ପାଣି ଘେରରୁ ୧୦ ହଜାର ଲୋକଙ୍କୁ କରାଗଲା ଉଦ୍ଧାର, ଆକାଶରୁ କେରଳର କରୁଣ ଚିତ୍ର ଦେଖିଲେ ପ୍ରଧାନମନ୍ତ୍ରୀ ।

30

କନକ ବ୍ୟୁରୋ : କେରଳରେ ଭୟାବହ ବନ୍ୟାରେ ଅଗଷ୍ଟ ୯ରୁ ଆଜି ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୮୭ରେ ପହଂଚିଛି । ହେଲେ ଜୁନ୍ ମାସରୁ ଲାଗି ରହିଥିବା ବର୍ଷା ଓ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମୋଟ୍ ୩୨୪ ବୋଲି କୁହାଯାଉଛି । ଆଗାମୀ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ୧୧ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳରେ ପହଂଚି ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ଆକାଶମାର୍ଗରୁ ବନ୍ୟାଂଚଳ ବୁଲି ଦେଖିଛନ୍ତି । ଏହାପରେ ୫ଶହ କୋଟି ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି । ସେପଟେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଏନଡିଆରଏଫକୁ ସହାୟତା କରୁଛନ୍ତି ସ୍ଥଳସେନା, ନୌସେନା ଓ ବାୟୁସେନା ସମେତ କୋଷ୍ଟଗାର୍ଡ । ଅନ୍ୟାନ୍ୟ ଅର୍ଦ୍ଧ ସାମରିକ ବଳ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରଳୟଙ୍କରୀ ବନ୍ୟାରେ କବଳିତ କେରଳରୁ ଉଦ୍ଧାର କାର୍ଯ୍ୟର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସାରା ଦେଶକୁ ଦୋହଲାଇ ଦେଇଛି । ଏହାକୁ ଶତାବ୍ଧିର ସବୁଠୁ ବଡ ଜଳପ୍ରଳୟ ବୋଲି କୁହାଯାଉଛି ।

ସେନାର ସହାୟତା :

ପାଲ୍ଲକଡ ଜିଲ୍ଲା ମଙ୍ଗଳମ ଡ୍ୟାମ ଗାଁରେ ଥିବା ଏକ ଆଦିବାସୀ କଲୋନିରେ କିଛି ନିଆରା ଢଙ୍ଗରେ ଯୋଗାଯୋଗ ସ୍ଥାପନ କରିଛି ସେନା । ଦୀର୍ଘଦିନ ହେଲା ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବା ଏବେ ପ୍ରାଥମିକତା ହୋଇଛି । ବନ୍ୟାଜଳରେ ରାସ୍ତା ଧୋଇଯିବା ପରେ ପାଣି ଉପରେ ଅସ୍ଥାୟୀ ପୋଲ କରି ବନ୍ୟା ପ୍ରଭାବିତଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛି ସ୍ଥଳ ସେନା ଆଉ ବନ୍ୟାପାଣି ଘେରରେ ଥିବା ଲୋକଙ୍କୁ ଏୟାର ଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ଆଣିବାର କାମ କରୁଛି ନୌସେନା ହେଲିକପ୍ଟର ।

ଗର୍ଭବତୀଙ୍କୁ ଉଦ୍ଧାର :

ଶୁକ୍ରବାର ଟିଭି ପରଦାରେ ଯେତେବେଳେ ଏହି ଘଟଣା ସମ୍ବନ୍ଧରେ ସାରା ଦେଶ ଜାଣିଲା ସେତେବେଳେ ଭାରତୀୟ ସେନାକୁ ମନେମନେ ସାବାସି ଦେଉଥିଲା । କାରଣ ବନ୍ୟାପାଣିରେ ଘର ବୁଡିଯିବା ପରେ ଜଣେ ଗର୍ଭବତୀ ମହିଳାଙ୍କୁ ଏଭଳି ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କେରଳ ଚେଙ୍ଗମନାଡରେ ଏହି ମହିଳାଙ୍କୁ ଉଦ୍ଧାର କରି ଦକ୍ଷିଣ ନାଭାଲ କମାଣ୍ଡରେ ଥିବା ନୌସେନା ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ହସ୍ପିଟାଲରେ ନୂଆ ଜୀବନ :

ପିଲାକୁ ପେଟରେ ଧରି ବନ୍ୟାପାଣି ଘେରରେ ସହାୟତାକୁ ଅନାଇ ରହିଥିଲେ ପ୍ରସୂତି । ଆଉ ନୌସେନା ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ମା ଓ ପିଲା ଦୁହେଁ ସୁସ୍ଥ ଥିବା ଜଣାପଡିଛି ।

ବଂଚାଇଦେଲେ ମତ୍ସ୍ୟଜୀବୀ :

ଏବେ ବି ଅନେକ ଅଂଚଳ ରହିଛି ଯେଉଁଠାରେ ସେନା କିମ୍ବା ଅନ୍ୟ ଅର୍ଦ୍ଧ ସାମରିକ ବଳର ସହାୟତା ଦଳ ପହଂଚିବା ମୁସ୍କିଲ ହୋଇପଡିଛି । ଆଉ ଏସବୁ ଅଂଚଳରେ ଲୋକଙ୍କୁ ଉଦ୍ଧାର କରିବାର ମହତ କାର୍ଯ୍ୟ କରୁଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ଅପହଂଚ ଇଲାକାରେ ପହଂଚିଯାଉଛନ୍ତି ମାଛମରା ବୋଟ ଧରି । ଏବଂ ବନ୍ୟାପାଣି ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ।

ଟ୍ରକରେ ବନ୍ୟା ବିପନ୍ନ :

ତିରୁଅନନ୍ତ ପୁରମ, ଏର୍ଣ୍ଣାକୁଲମ, କୋଲାମ ଏବଂ ଆଲ୍ଲାପୂଜାରୁ ହଜାର ହଜାର ମତ୍ସ୍ୟଜୀବୀ ନିଜକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛନ୍ତି । କେରଳ ପୂର୍ବରୁ କେବେ ଏତେ ସଂଖ୍ୟାରେ ଲୋକେ ଜଳବନ୍ଦୀ ହୋଇନଥିଲେ । ଲୋକଙ୍କୁ ଟ୍ରକରେ ଲଦି ବନ୍ୟା ଆଶ୍ରୟ ସ୍ଥଳରେ ପହଂଚାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ୧୩ଟି ଅସ୍ଥାୟୀ ବ୍ରିଜ ଜରିଆରେ ପ୍ରାୟ ୩୮ଟି ଅପହଂଚ ଇଲାକାକୁ ଯୋଗାଯୋଗ ସ୍ଥାପନ କରିବାରେ ସମର୍ଥ ହୋଇଛି ସେନା । ଏପର୍ଯ୍ୟନ୍ତ ୩୬୨୭ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସେନା ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଯାଉଛି ରିଲିଫ ସାମଗ୍ରୀ :

ଆଜି ୧ଲକ୍ଷରୁ ଅଧିକ ପ୍ୟାକେଟ ଖାଦ୍ୟ ପୁଡିଆ ହେଲିକପ୍ଟର ଜରିଆରେ ଆକାଶ ମାର୍ଗରୁ ପହଂଚା ଯାଇଛି । ଅତିରିକ୍ତ ୧ ଲକ୍ଷ ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ ରହିଛି । ପ୍ରତି ୧୦ ମିନିଟରେ ନୌସେନାର ହେଲିକପ୍ଟର ଉଚ୍ଚ ସ୍ଥାନମାନଙ୍କରେ ରିଲିଫ ସାମଗ୍ରୀ ପହଂଚାଉଛି । ଏନଡିଆରଏଫର ୧୬୩ ବୋଟ ସହ ନୌସେନାର ୫୧ଟି ମୋଟର ବୋଟ୍ ଓ କୋଷ୍ଟଗାର୍ଡର ୩୦ଟି ବୋଟ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିଛନ୍ତି । ସ୍ଥଳ ସେନାର ୬ଟି ବୋଟ୍ ମଧ୍ୟ କେରଳରେ ରହିଛି । ଭାରତୀୟ ବାୟୁ ସେନାର ୨୩ଟି ହେଲିକପ୍ଟର ଓ ୧୧ଟି ପରିବହନ ଏୟାରକ୍ରାଫ୍ଟକୁ ନିୟୋଜିତ କରାଯାଇଛି ।

ଆକାଶରେ ମୋଦି :

ଶତାବ୍ଦିର ସବୁଠାରୁ ବଡ ବିପତି ସହ ଜୁଝୁଥିବା କେରଳରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜେ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହାପରେ କୋଚିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପଦାଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିବା ପରେ ଅତିରିକ୍ତ ୫ଶହ କୋଟିର ସହାୟତା ଘୋଷଣା କରିଛନ୍ତି ।