କନକ ବ୍ୟୁରୋ : ଚଳିତ ନିର୍ବାଚନରେ ପୁଣି ବାରାଣାସୀରୁ ନିର୍ବାଚନ ଲଢୁଛନ୍ତି ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ନାମାଙ୍କନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ସୂଚନା ଅନୁଯାୟୀ, ନାମାଙ୍କନ ଭରିବା ପୂର୍ବରୁ ବାରାଣାସୀରେ ଗଙ୍ଗା ମା’ଙ୍କ ପୂଜା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ କାର୍ଯ୍ୟକ୍ରମକୁ ଅନ୍ତିମ ରୂପ ଦେବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ବାରାଣାସୀଠାରେ ପହଞ୍ଚିଥିଲେ । ମୋଦିଙ୍କ ନାମାଙ୍କନକୁ ଐତିହାସିକ କରିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ସଂଗଠନ ସହ ମାନସମନ୍ଥନ କରିଥିଲେ ଶାହା । ଏହି ବୈଠକରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସମତେ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ, ଆସନ୍ତା ଏପ୍ରିଲ ୨୬ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦି । ଆଉ ଏହାର ଠିକ୍ ଗୋଟିଏ ଦିନ ଆଗରୁ ୨୫ ଏପ୍ରିଲରେ ବାରାଣାସୀ ଠାରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରୋଡ ସୋ ପରେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରି ଗଙ୍ଗା ମା’ଙ୍କ ପୂଜା କରିବେ ମୋଦି । ତେବେ ମୋଦିଙ୍କ ନାମାଙ୍କନ ରାଲିରେ ପାଖାପାଖି ୫ ଲକ୍ଷ ଲୋକଙ୍କୁ ସାମିଲ କରାଯିବା ନେଇ ବିଜେପି ପ୍ରୟାସ କରୁଥିବା ସୂଚନା ମିଳିଛି । ସେପଟେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।