ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଜାତୀୟ ରାଜନୀତି ସରଗରମ : ସରକାରକୁ ସମର୍ଥନ କରିବ ଶିବସେନା

40

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି ବିରୋଧୀଙ୍କୁ ଚମକାଇ ଦେଇଛନ୍ତି ମୋଦି ସରକାର । ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ ନକରି ଗତ ଅଧିବେଶନର ଅଧିକାଂଶ ସମୟ ନଷ୍ଟ ହୋଇଥିବା ବେଳେ ଏଥର ମୌସୁମୀ ଅଧିବେଶନରେ ତାହା କରିବାକୁ ସୁଯୋଗ ଦେଇନାହାନ୍ତି ମୋଦି ସରକାର । ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବ । ଅନାସ୍ଥା ଜିତିବା ପାଇଁ ମୋଦିଙ୍କ ପାଖରେ ଯଥେଷ୍ଟ ସଂଖ୍ୟା ଥିବା କୁହାଯାଉଛି । କିଛି ସମୟ ପୂର୍ବରୁ ସରକାରଙ୍କ ପାଇଁ ଏକ ଭଲ ଖବର ଦେଇ ଶିବସେନା ସମର୍ଥନ କରିବ ବୋଲି ଘୋଷଣା କରିଛି ।

No-Confidence Motion Moved Against Modi Govt

ସେପଟେ ବିଜେଡି ଏବଂ ଏଆଇଏଡିଏମକେର ଆଭିମୁଖ୍ୟକୁ ନେଇ ଅନିଶ୍ଚିତତା ଜାରି ରହିଛି । ବିଜେଡି ଗୃହରେ ହିଁ ଆଲୋଚନା ପରେ ନିଷ୍ପତି ନେବ ବୋଲି ସାଂସଦ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି । ତେବେ ଏଆଇଏଡିଏମକେ ସରକାରଙ୍କ ସପକ୍ଷରେ ଭୋଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏଯାଏଁ ଏଆଇଏଡିଏମକେ ତାର ନିଷ୍ପତ୍ତି ଘୋଷଣା କରିନାହିଁ । ୨୦୦୩ରେ ବାଜପେୟୀ ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଏବେ ୨୦୧୮ରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଅଣାଯାଇଥିବା ଏହି ପ୍ରସ୍ତାବକୁ ବିରୋଧି ସମର୍ଥନ ଜଣାଇଛନ୍ତି । ଟିଡିପିର ଏହି ପ୍ରସ୍ତାବକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି , ଓ ବାମଦଳ ସମର୍ଥନ ଜଣାଇଛନ୍ତି ।
ପ୍ରଶ୍ନ ଉଠୁଛି କାହିଁକି ଫ୍ଲୋର ଟେଷ୍ଟ ପାଇଁ ରାଜି ହେଲେ ମୋଦି ସରକାର ?

ମିଳିଥିବା ସୂଚନା ଅନୁସାରେ ପ୍ରକୃତ ପକ୍ଷେ ଏନଡିଏ ବିରୋଧରେ ଠିଆ ହୋଇଥିବା ମହାମେଂଟ କେତେ ଶକ୍ତିଶାଳୀର ତାର ଏକ ସିଧାସଳଖ ସ୍ୱରୂପ ଜନସାଧାରଣଙ୍କୁ ପାଖକୁ ଯାଉ ବୋଲି ମୋଦି ସରକାର ଚାହୁଁଛନ୍ତି । ତେଣୁ ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ଦଳ ଫ୍ଲୋରଟେଷ୍ଟ ପାଇଁ ସହମତି ଜଣାଇଥିବା ଜଣାପଡିଛି । ଦଳ ଫ୍ସୋର ଟେଷ୍ଟ ଦେବାକୁ ଚାହୁଁନଥିବା ମେସେଜ ନଯାଉ ବୋଲି ବିଜେପି କହିଛି । ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତାମାନଙ୍କ ମତରେ କିଛି ଛୋଟ ଛୋଟ ଦଳ ମଧ୍ୟ ଏନଡିଏ ସପକ୍ଷରେ ବାହାରିବେ । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଛି । ଯଦି କ୍ରସ ଭୋଟିଂ ହୁଏ ତେବେ ବିରୋଧୀ ମେଂଟ ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ବିଜେପି କହିଛି ।

ମୋଟ ୫୪୩ ସିଟ ମଧ୍ୟରୁ ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ୨୬୮ଟିସିଟ । ଏନଡିଏ ପାଖରେ ବର୍ତ୍ତମାନ ରହିଛି ୩୧୪ । ବିଜେପିର ୨୭୩ ହୋଇଥିବା ବେଳେ ସହଯୋଗୀଙ୍କ ସଂଖ୍ୟା ରହିଛି ୪୧ । ବିରୋଧୀଙ୍କ ସଂଖ୍ୟା ରହିଛି ୧୪୭ । କାହା ସହିତ ମେଂଟ ରଖିନଥିବା ଏବଂ ସ୍ୱାଧୀନଙ୍କ ସଂଖ୍ୟା ରହିଛି ୭୩ । ଏହା ମଧ୍ୟରେ ରହିଛି ଏଆଇଡିଏମକେ-୩୭, ବିଜେଡି-୨୦, ଟିଆରଏସ -୧୧, ଆଇଏନଏଲଡି-୨ ଏବଂ ସ୍ୱାଧୀନ-୩ । ବିଜେଡି ଏବଂ ଟିଆରଏସ ବିରୋଧୀ ମହାମଂଟକୁ ସମର୍ଥନ ଦେବେ ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଆଇଏଡିଏମକେ ଏନଡିଏକୁ ସମର୍ଥନ କରିବ ନାହିଁ ବୋଲି ଜଣାପଡିଛି ।

ଲୋକସଭାରେ ମୋଦି ସରକାରଙ୍କ ଫ୍ଲୋର ଟେଷ୍ଟ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଣିଥିବା ଟିଡିପି ଦଳ ଭିତରେ ଫାଟ ଦେଖାଦେଇଛି । ମୋଦି ସରକାର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରେ ବିତସ୍ପୃହ ହୋଇ ଜଣେ ସାଂସଦ ଜେ ସି ଦିବାକର ରେଡ୍ଡୀ ଆସନ୍ତାକାଲିର ଭୋଟିଂ ପ୍ରକ୍ରିୟାରେ ଭାଗ ନେବେ ନାହିଁ ବୋଲି କହିଛନ୍ତି । ସେ ହିନ୍ଦି କିମ୍ବା ଇଂରାଜୀ କହିପାରନ୍ତି ନାହିଁ । ଉପସ୍ଥିତ ରହିଲେ ବି ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ବୁଧବାର ମଧ୍ୟ ସେ ଗୃହରେ ଉପସ୍ଥିତ ନଥିଲେ । ଯେହେତୁ ସରକାର ଭାଙ୍ଗିବାର କୌଣସି ସମ୍ଭାବନା ନାହିଁ ତେଣୁ ସେ ଭୋଟିଂ ପ୍ରକ୍ରିୟାରେ ଭାଗ ନେବେ ନାହିଁ ବୋଲି କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସମସ୍ତ ସାଂସଦମାନଙ୍କୁ ଚିଠି ଲେଖି ଭୋଟିଂ ସମୟରେ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରିଛନ୍ତି ।

Source:Highlights India

ମୋଦି ସରକାରଙ୍କ ବିପକ୍ଷରେ ପ୍ରଥମଥର ପାଇଁ ବିରୋଧୀମାନେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଯାହାର ଆଲୋଚନା ଏବଂ ଭୋଟିଂ ଆସନ୍ତାକାଲି ହେବ । ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିବାର ଏହା ନୂଆ ଘଟଣା ନୁହେଁ । ଏ ପର୍ଯ୍ୟନ୍ତ ମୋଟ ୨୬ଥର ଅନାସ୍ଥା ପ୍ରସ୍ତାବ ଆସିସାରିଛି । ଯେଉଁଥିରେ ବିରୋଧୀମାନେ ୨ଥର ଜିତିବାରେ ସଫଳ ହୋଇଛନ୍ତି । ୧୯୬୩ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ବିରୋଧରେ ଆସିଥିଲା ଅବିଶ୍ୱାସ ପ୍ରସ୍ତାବ । ଜେ ବି କୃପଲାନୀ ନେହରୁଙ୍କ ବିରୋଧରେ ଏହି ପ୍ରସ୍ତାବ ଆଣିଥିଲେ । ୧୯୭୮ରେ ମୋରାଜି ଦେଶାଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଏଥିରେ ହାରିବା ଜାଣିପାରି ସେ ଇସ୍ତଫା ଦେଇଥିଲେ । ଏନଡିଏ ସରକାରର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସମୟରେ ମଧ୍ୟ ଆସିଥିଲା ଅନାସ୍ଥା ପ୍ରସ୍ତାବ । ୧୯୯୯ ମସିହାରେ ବାଜପେୟୀ ସରକାର ଗୋଟିଏ ଭୋଟରେ ହାରିଯାଇଥିଲା ।