ଭାରତରେ ଖୋଲିବ ଦୁନିଆର ସବୁଠୁ ବଡ଼ ମୋବାଇଲ ଫ୍ୟାକ୍ଟ୍ରି ! ଆସନ୍ତାକାଲି ମୋଦି-ମୁନ କରିବେ ଉଦଘାଟନ, ଜାଣନ୍ତୁ କେଉଁ କମ୍ପାନି ଖୋଲିବ ଏହି ଫ୍ୟାକ୍ଟ୍ରି

45

ଭାରତର ନୋଏଡାରେ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ ଦୁନିଆର ସବୁଠାରୁ ମୋବାଇଲ ଫୋନ ନିର୍ମାଣ ଫ୍ୟାକ୍ଟ୍ରି କରିବାକୁ ଯାଉଛି ।ନୋଏଡାର ସେକ୍ଟର ୮୧ରେ ୩୫ ଏକର ଜମିରେ ପରିବ୍ୟାପ୍ତ ସାମସଙ୍ଗ ଇଲେକଟ୍ରୋନିକ୍ସ ଫ୍ୟାକ୍ଟ୍ରିିର ଉଦଘାଟନ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ-ଜେ-ଇନ କରିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ଏଠାରେ ପହଞ୍ଚିବେ । ସେଥିପାଇଁ ଫ୍ୟାକ୍ଟ୍ରି ପାଖରେ ଏକ ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଛି ।

ଏହାପୂର୍ବରୁ ଦେଶରେ ୧୯୯୦ ମସିହାରେ ପ୍ରଥମ ଇଲେକଟ୍ରୋନିକ୍ସ ଫ୍ୟାକ୍ଟ୍ରି ନିର୍ମାଣ କରାଯାଇଥିଲା । ଯେଉଁ ଫ୍ୟାକ୍ଟ୍ରିରେ ୧୯୯୭ ମସିହାରେ ଟିଭି ନିର୍ମାଣ ଆରମ୍ଭ ହୋଇଥିଲା । ଏବେ ଥିବା ମୋବାଇଲ ଫ୍ୟାକ୍ଟ୍ରି ୨୦୦୫ ମସିହାରେ ଭାରତରେ ନିର୍ମାଣ କରାଯାଇଥିଲା । ତେବେ ଗତ ବର୍ଷ ଦକ୍ଷିଣ କୋରିଆ କମ୍ପାନି ୪୯୧୫ କୋଟି ଟଙ୍କା ନିବେଶ କରି ଏହି ପ୍ଲାଣ୍ଟକୁ ବିସ୍ତାର କରିବାକୁ ଘୋଷଣା କରିଥିଲା । ଏହି ଫ୍ୟାକ୍ଟ୍ରିରୁ ପୂର୍ବପେକ୍ଷା ଦୁଇଗଣ ଉତ୍ପାଦନ କରାଯାଇପାରିବ ।

ଭାରତରେ ଏବେ ପ୍ରତିବର୍ଷ ସାମସଙ୍ଗ କମ୍ପାନି ୬.୭ କୋଟି ସ୍ମାର୍ଟଫୋନ ନିର୍ମାଣ କରୁଛି । ତେବେ ନୂଆ ପ୍ଲାଣ୍ଟ ଚାଲୁ ହେବା ପରେ ପାଖାପାଖି ୧୨ କୋଟି ମୋବାଇଲ ଫୋନ ଊତ୍ପାଦନ ହେବାର ସମ୍ଭାବନା ରହିଛି । ନୂଆ ପ୍ଲାଣ୍ଟରେ ନା କେବଳ ମୋବାଇଲ ବରଂ ବିଭିନ୍ନ ଇଲେକଟ୍ରୋନିକ୍ସ ସାମଗ୍ରୀ ଯେପରିକି ଫ୍ରିଜ, ଟିଭିର ପାର୍ଟସ ନିର୍ମାଣ କରାଯିବ । ଏହାଦ୍ୱାରା ଉତ୍ପାଦନ କ୍ଷେତ୍ରରେ ଏକ ନମ୍ବର ଭୂମିକାରେ ରହିବ ଏହି ନୂଆ ଫ୍ୟାକ୍ଟ୍ରି । ପୂର୍ବରୁ ନୋଏଡ଼ା ଓ ତାମିଲନାଡୁରେ ସାମସଙ୍ଗର ଦୁଇଟି ମୋବାଇଲ ନିର୍ମାଣ କେନ୍ଦ୍ର ରହିଛି । ଏହାଛଡ଼ା ୫ଟି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ଓ ନୋଏଡାରେ ଏକ ଡିଜାଇନ କେନ୍ଦ୍ର ରହିଛି ଯେଉଁଠି ପ୍ରାୟ ୭୦ ହଜାର ଲୋକ କାମ କରୁଛନ୍ତି ।  ସାମସଙ୍ଗ କମ୍ପାନିର ନୂଆ ଫ୍ୟାକ୍ଟି ଉଦଘାଟନ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳ ବୁଲି ଦେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯେପରି କୌଣସି ଅସୁବିଧା ସୃଷ୍ଟି ନ ହେବ ସେଥିପାଇଁ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ ।