ମୋଦିଙ୍କ ବାସଭବନରେ ପହଞ୍ଚୁଛନ୍ତି ସାଂସଦ । ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ମୋଦି କରିବେ ଆଲୋଚନା ।

290

କନକ ବ୍ୟୁରୋ : ମୋଦିଙ୍କ ବାସଭବନରେ ପହଞ୍ଚୁଛନ୍ତି ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ । ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ଫଳାଫଳ ବାହାରିବା ପର ଠାରୁ ମନ୍ତ୍ରୀ ପଦକୁ ଆଜି ପର୍ଯ୍ୟନ୍ତ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣଙ୍କ ପରେ ଜଣେ ସାଂସଦଙ୍କୁ ଫୋନ୍ କଲ୍ ଯାଇଥିବା ବେଳେ ମନ୍ତ୍ରୀମଣ୍ଡଳରେ କେଉଁ ନେତା ରହିବେ ତାହା, ପାଖାପାଖି ସ୍ପଷ୍ଟ ହୋଇଯାଇଛି ।

ତେବେ ଫୋନ୍ କଲ୍ ପାଇବା ପରେ ବର୍ତ୍ତମାନ ସମୟରେ ମୋଦିଙ୍କ ବାସଭବନରେ ପହଞ୍ଚୁଛନ୍ତି ସାଂସଦ । ସାଂସଦଙ୍କ ସହ ନରେନ୍ଦ୍ର ମୋଦି ଆଲୋଚନା କରିବେ । ଏବଂ ଏହା ପରେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଯିବ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ମିଳୁଛି । ଅନ୍ୟପଟେ ଓଡିଶାର ଦୁଇ ନେତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଆସିଛି । ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି । ସେହିପରି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ପିଏମ୍ ଅଫିସରୁ ଫୋନ୍ କଲ୍ ମିଳିବା ପରେ ଓଡିଶାରୁ ଏହି ଦୁଇ ନେତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।