ସାଂଘାଇ ସହଯୋଗ ସଂଗଠନ ବୈଠକରେ ସରିଫଙ୍କୁ ଭେଟିଲେ ମୋଦି ! ପଚାରିଲେ ମାଆଙ୍କ ସ୍ୱାସ୍ଥ୍ୟ କଥା

28

କନକ ବ୍ୟୁରୋ : କାଜାକିସ୍ତାନର ସାଂଘାଇ ଏସସିଓ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଗତ ସମାରୋହରେ ଉଭୟ ନେତା ପରସ୍ପରକୁ ଅଭିବାଦନ ଜଣାଇଛନ୍ତି । ଏହି ଅବସରରେ ସରିଫ୍ ଓ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୋଦି । ନିକଟରେ ସରିଫଙ୍କ ହାର୍ଟ ସର୍ଜରୀ ହୋଇଥିବା ବେଳେ ସେ ଏବେ କିଭଳି ଅଛନ୍ତି ବୋଲି ମୋଦି ତାଙ୍କଠୁ ଜାଣିବାକୁ ଚାହିଁଥିଲେ । ତେବେ ଏସସିଓ ସମ୍ମିଳନୀ ଅବସରରେ ଆଜି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଉଭୟ ଦେଶ ଏହି ପ୍ରସଙ୍ଗରେ ଏଯାଏଁ ନିରବ ରହିଛନ୍ତି ।

ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଯବାନଙ୍କ ଶରୀରକୁ ଖଣ୍ଡବିଖଣ୍ଡ କରିବା ଏବଂ ଭାରତର ପୂର୍ବତନ ନୌସେନା ଅଧିକାରୀ କୂଳଭୁଷଣ ଯାଦବଙ୍କୁ ଫାଶୀ ମାମଲାରେ ଦୁଇ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଛି । ସଂଘାଇ ଏସସିଓ ବୈଠକରେ ଯୋଗ ଦେବାକୁ ମୋଦି ଦୁଇ ଦିନିଆ ଗସ୍ତରେ ଅଛନ୍ତି । ବୈଠକରେ ଭାରତ ସମେତ ପାକିସ୍ତାନକୁ ମଧ୍ୟ ସଂଗଠନର ସ୍ଥାୟୀ ସଦସ୍ୟତା ମିଳିବ । ସାମରିକ ସହଯୋଗ, ଗୁଇନ୍ଦା ଆଦାନ-ପ୍ରଦାନ ଓ ଆତଙ୍କବାଦୀଙ୍କ ବିରୋଧରେ ଏକଜୁଟ୍ ହେବା ବୈଠକର ମୁଖ୍ୟ ଏଜେଣ୍ଡା ରହିଛି । ବୈଠକରେ ଭାରତ ଆତଙ୍କବାଦ ବିରୋଧରେ କଡା ସ୍ୱର ଉଠାଇବ ।