ପୁରୀରୁ ଲଢିବେ ମୋଦି ? କାଶୀ ବିଶ୍ୱନାଥ ପରେ ଜଗନ୍ନାଥ ଧାମ ଉପରେ ବିଜେପିର ନଜର

4

କନକ ବ୍ୟୁରୋ : ୨୦୧୯ରେ ପୁରୀରୁ ନିର୍ବାଚନ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଗନ୍ନାଥ ଧାମ ପୁରୀରୁ ମୋଦି ପ୍ରତିଦ୍ୱନ୍ଦିତା କରିବା, ମୋଦିଙ୍କ ପୂର୍ବ ଭାରତ ଦଖଲର ରଣନୀତି ବୋଲି କୁହାଯାଉଛି । ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହେଉଥିବାରୁ ମୋଦି ପୁରୀରୁ ନିର୍ବାଚନ ଲଢିଲେ ଏହା ବିଜେପିକୁ ଫାଇଦା ଦେବ ବୋଲି ରାଜ୍ୟ ନେତା କହୁଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ୧୨୦ ଆସନ ଦଖଲ କରି ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ୟରେ ରଣନୀତି କରୁଛି ରାଜ୍ୟ ୟୁନିଟ୍ । ହେଲେ ନବୀନଙ୍କ ଲୋକପ୍ରିୟତାକୁ କାଉଣ୍ଟର କରିବାରେ ମୋଦି ମ୍ୟାଜିକ କେତେ ଦୂର କାମ କରୁଛି, ତା ଉପରେ ନଜର ରହିଛି ।

୨୦୧୯ରେ ପୁରୀରୁ ନିର୍ବାଚନ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ଗଣମାଧ୍ୟମ ଏନଡିଟିଭି ଇଣ୍ଡିଆରେ ଏଭଳି ଖବର ପ୍ରକାଶ ପାଇବା ପରେ ପୁଣିଥରେ ଚର୍ଚ୍ଚା ଜୋରଦାର ହୋଇଛି । ବାରଣାସୀ ପରେ ପୁରୀ ଲୋକସଭା ଆସନରୁ ଆଗାମୀ ୨୦୧୯ ନିର୍ବାଚନରେ ମୋଦି ପ୍ରତିଦ୍ୱନ୍ଦିତା କରିପାରନ୍ତି । ବିଜେପିର ଟପ୍ ବସ ମୋଦି-ଶାହ ଯୋଡିଙ୍କ ପୂର୍ବ ଭାରତ ଦଖଲ ରଣନୀତିର ଏହା ଅଂଶ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ୨୦୧୪ରେ ଗୁଜରାଟର ଭଦୋଦରା ଓ ଉତର ପ୍ରଦେଶର ବାରଣାସୀ ଲୋକସଭା ଆସନରୁ ଲଢିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଦୁଇଟିଯାକ ଆସନରେ ଜିତିବା ପରେ ଭଦୋଦରା ଆସନଟିକୁ ଛାଡିଦେଇଥିଲେ । ଆଉ ୨୦୧୯ରେ ବାରଣାସୀ ସହ ପୁରୀରୁ ମୋଦି ଛିଡା ହେବା ନେଇ ଅନୁମାନ କରାଯାଉଛି ।

puri

ଓଡିଶା ଗସ୍ତ ସମୟରେ ଜଗନ୍ନାଥ ଧାମ ପ୍ରତି ତାଙ୍କ ଆସକ୍ତିକୁ ବାରମ୍ବାର ପ୍ରକାଶ କରିଆସିଛନ୍ତି ମୋଦି । ତେଣୁ ବାରଣାସୀରେ ହର ହର ମହାଦେବ କହିବା ପରେ ପୁରୀରେ ଜୟ ଜଗନ୍ନାଥ କହି ପୂର୍ବ ଭାରତରେ ଗେରୁଆ ବାନା ଉଡାଇବାକୁ ଅଭିଯାନ ଆରମ୍ଭ କରିପାରନ୍ତି ମୋଦି । ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହେଉଥିବାରୁ ଏହା ବିଜେପିକୁ ଫାଇଦା ଦେବ ବୋଲି ଅନୁମାନ କରାଯାଉଛି ।

୨୦୧୪ରେ ସାରା ଦେଶରେ ମୋଦି ହାୱା ସତ୍ୱେ ଓଡିଶାରେ ନବୀନଙ୍କ ଲୋକପ୍ରିୟତାକୁ ପ୍ରଭାବିତ କରିପାରି ନଥିଲା । ହେଲେ ୨୦୧୭ ପଂଚାୟତ ନିର୍ବାଚନ ପରେ ବିଜେପି ପ୍ରତି ଓଡିଶାବାସୀଙ୍କ ସମର୍ଥନ ବଢିଥିବା ନେଇ ଦଳ ଦାବି କରିଆସୁଛି । ଆଗାମୀ ସାଧାରଣ ନିର୍ବାଚନରେ ୧୨୦ ଆସନ ଦଖଲ କରି ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ୟରେ ରଣନୀତି କରୁଛି ରାଜ୍ୟ ୟୁନିଟ । ତେଣୁ ଏଭଳି ସ୍ଥିତିରେ ମୋଦି ପୁରୀରୁ ଲଢିଲେ ଏହା ରାଜ୍ୟ ବିଜେପିକୁ ଫାଇଦା ଦେବ ବୋଲି ଅନୁମାନ କରାଯାଉଛି । ରାଜ୍ୟ ସ୍ତରରେ ବିଜେଡି ସହ ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତାକୁ ଜୋରଦାର କରିଥିବାବେଳେ କେନ୍ଦ୍ର ବିଜେପି ଆବଶ୍ୟକ ବେଳେ ବିଜେଡିର ସହାୟତା ଲୋଡୁଛି । ଯାହା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ସ୍ପଷ୍ଟ ହୋଇଥିବା କୁହାଯାଉଛି । ତେଣୁ କଂଗ୍ରେସମୁକ୍ତ ଭାରତର ନାରା ଦେଉଥିବା ବିଜେପି, ତାର ରଣନୀତିରେ ସଫଳ ନହେଲେ ବିଜେଡି ସହ ନିର୍ବାଚନୀ ପରବର୍ତି ମେଂଟ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତ୍ରିପୁରା ବିଜୟ ପରେ ପୂର୍ବ ଭାରତ ଦଖଲ ଅଭିଯାନରେ ଓଡିଶା ଓ ପଶ୍ଚିମବଙ୍ଗରେ ଗେରୁଆ ବାନା ଉଡାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ପାଇଁ ନବୀନଙ୍କ ଭୋଟ ରାଜନୀତିକୁ ଟକ୍କର ଦେଇ ନିଜର ମହତ୍ୱାକାଂକ୍ଷା ହାସଲ କରିବା ଏତେଟା ସହଜ ହେବନାହିଁ ବୋଲି ମଧ୍ୟ କୁହାଯାଉଛି ।

Comments are closed.