କାଶୀ ବିଶ୍ୱନାଥ ଧାମ ପରେ ଜଗନ୍ନାଥ ଧାମ ଉପରେ ବିଜେପିର ନଜର! ପୁରୀରୁ ଆରମ୍ଭ କି ପଦ୍ମ ଦଳର ପୂର୍ବ ଭାରତ ଅଭିଯାନ ?

34

କନକ ବ୍ୟୁରୋ : ମୋଦିଙ୍କୁ ପୁରୀରୁ ଲଢିବାକୁ ପ୍ରସ୍ତାବ ଦେବ ରାଜ୍ୟ ବିଜେପି । ଆଉ, କେନ୍ଦ୍ରୀୟ ନେତୃତ୍ୱ ଓ ସଂସଦୀୟ ବୋର୍ଡ ଯଦି, ଏହି ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ଏଥର ଶ୍ରୀକ୍ଷେତ୍ର ପୁରୀରୁ ପ୍ରାର୍ଥୀ ହେବେ ପ୍ରଧାନମନ୍ତ୍ରୀ । ୨୦୧୪ରେ ବାରାଣସୀ ଆସନରୁ ଲଢିଥିଲେ ମୋଦି । ବିଜେପିକୁ ଏହାର ଫାଇଦା ବି ମିଳିଥିଲା । ଉତର ଭାରତ ପରେ ଏବେ ବିଜେପି ଟାର୍ଗେଟରେ ରହିଛି ପୂର୍ବ ଭାରତ । ଏଭଳି ସି୍ଥତିରେ ମୋଦି, ପୁରୀରୁ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କଲେ ଦଳ ଲାଭବାନ ହେବ ବୋଲି ବିଜେପି ଆକଳନ କରୁଛି ।

୨୦୧୯ ନିର୍ବାଚନରେ କେଉଁଠୁ ଲଢିବେ ମୋଦି, ଏହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଏହି ଚର୍ଚ୍ଚାକୁ ପୁଣି ଥରେ ହାୱା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ମୋଦିଙ୍କୁ ପୁରୀରୁ ଲଢିବା ପାଇଁ ପ୍ରସ୍ତାବ ଦେବ ରାଜ୍ୟ ବିଜେପି । ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏହା ଉପରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି । ଏ ବାବଦରେ ଚୂଡାନ୍ତ ନିଷ୍ପତି ନେବ ବିଜେପିର ସଂସଦୀୟ ବୋର୍ଡ ।

puri୨୦୧୪ ନିର୍ବାଚନରେ ଉତର ଭାରତରେ ବିଜେପିକୁ ଭଲ ସଫଳତା ମିଳିଥିଲା । ଏପରିକି ନରେନ୍ଦ୍ର ମୋଦି ତାଙ୍କ ପାରମ୍ପରିକ ଆସନ ଭଦଦୋରା ସହ ଉତରପ୍ରଦେଶର ବାରଣାସୀ ଆସନରୁ ଲଢିଥିଲେ । ବାରଣାସୀ ଆସନରେ ଲଢିବା ଫଳରେ ଉତରପ୍ରଦେଶରେ ମିଳିଥିଲା ବିଜେପିକୁ ବଡ଼ ଫାଇଦା । ମୋଟ ୮୦ ଲୋକସଭା ଆସନରୁ ବିଜେପିକୁ ମିଳିଥିଲା ୭୧ ଆସନ । ଉତର ଭାରତ ପରେ ଏବେ ଟାର୍ଗେଟରେ ରହିଛି ପୂର୍ବ ଭାରତ । ପୂର୍ବ ଭାରତ ବିଜୟ ପାଇଁ ରହିଛି ବିଜେପିର ଯୋଜନା । ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ପୁରୀକୁ ଚୟନ କରିପାରନ୍ତି ମୋଦି । ସେପଟେ ପ୍ରଥମେ ସୋମନାଥ ଧାମ, ପରେ କାଶି ବିଶ୍ୱନାଥ, ଆଉ ଏବେ ଜଗନ୍ନାଥ ଧାମରୁ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ ।

ଆସାମ, ତ୍ରିପୁରା ଓ ଅରୁଣାଚଳ ବିଜୟ ପରେ ଏବେ ଟାର୍ଗେଟରେ ରହିଛି ପଶ୍ଚିମବଙ୍ଗ ଓ ଓଡିଶା । ଏହି ଦୁଇ ରାଜ୍ୟରେ ମୋଟ ଲୋକସଭା ଆସନ ୬୩ । ଏହି ସଂଖ୍ୟାରୁ ସିଂହଭାଗ ହାସଲ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ସେପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଓଡ଼ିଶା ବିଧାନସଭାରେ ୧୨୦ ଆସନ ଜିତିବାକୁ ଟାର୍ଗେଟ ରଖିଛନ୍ତି । ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୁରୀ ଲୋକସଭାରୁ ପ୍ରତିଦ୍ୱନ୍ଦିତା କଲେ ଦଳ ଲାଭବାନ ହେବ ବୋଲି ବିଜେପି ଆକଳନ କରୁଛି । ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ଏହି ଚର୍ଚ୍ଚା ସେତିକି ଜମିବାରେ ଲାଗିଛି ।