‘ମନ କି ବାତ୍’ କାର୍ଯ୍ୟକ୍ରମରେ ଯୁବ ଭୋଟରଙ୍କୁ ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ ! କହିଲେ ଭାରତର ନିର୍ବାଚନ ବ୍ୟବସ୍ଥା ଦୁନିଆ ପାଇଁ ଆଶ୍ଚର୍ଯ୍ୟ

118

କନକ ବ୍ୟୁରୋ : ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ କି ବାତ୍ କାର୍ଯ୍ୟକ୍ରମରେ ନିର୍ବାଚନ କମିସନଙ୍କୁ ସେ ପ୍ରଶଂସା କରିଛନ୍ତି । କହିଛନ୍ତି ନିର୍ବାଚନ କମିସନ ଯୋଗୁଁ ଦେଶର ଗଣତନ୍ତ୍ର ମଜବୁତ ହୋଇଛି । ମୋଦିଙ୍କର ଏହା ହେଉଛି ମନ କି ବାତ କାର୍ଯ୍ୟକ୍ରମର ୫୨ତମ ସଂସ୍କରଣ । ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ । ଏଥିରେ ଯୁବ ଭୋଟର ଭୋଟ ଦେଇ ନାଗରିକତା ଜାହିର କରିବାକୁ ମୋଦି ଅପିଲ କରିଛନ୍ତି ।

ନିର୍ବାଚନ କମିସନଙ୍କ ପ୍ରଶଂସା କରି ମୋଦି କହିଛନ୍ତି ଆମ ଦେଶରେ ଏାକ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ । ଆମ ଗଣତନ୍ତ୍ର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଆମ ସାରଧାରଣତନ୍ତ୍ର ଠାରୁ ପୁରାତନ। ଆମ ନିର୍ବାଚନ କମିସନ ଭାରତରେ ବିଶାଳ ନିର୍ବାଚନ କରାଉଥିବାରୁ ନାଗରିକମାନେ ତାକୁ ନେଇ ଗର୍ବ କରିବା ଉଚିତ। ଆମ ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ନିରନ୍ତର ଉଦ୍ୟମ କରୁଥିବାରୁ ମୁଁ ନିର୍ବାଚନ କମିସନକୁ ପ୍ରଶଂସା କରୁଛି ।

ଦେଶ ପ୍ରତିରକ୍ଷା କ୍ଷେତ୍ରରେ ମଜବୁତ ହୋଇଛି । ୨୦୧୮ରେ ଦେଶ ଜଳ, ସ୍ଥଳ ଓ ଆକାଶରେ ପରମାଣୁ କ୍ଷମତା ସଂପନ୍ନ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାବ୍ୟତୀତ ମନ କି ବାତରେ ସିଦ୍ଧଗଙ୍ଗା ମଠର ସନ୍ଥ ଶିବକୁମାର ସ୍ୱାମୀଙ୍କ ନିଧନ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ମନ କି ବାତରେ ନେତାଜୀଙ୍କ କଥା ମନେପକାଇଲେ ମୋଦି । ସେ କହିଛନ୍ତି ଭାରତ ମାଟିରେ ଅନେକ ବୀରପୁତ୍ର ଜନ୍ମ ନେଇଛନ୍ତି । ଦେଶ ପାଇଁ ଅନେକ ଅବିସ୍ମରଣୀୟ କାମ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହେଲେ ନେତାଜୀ । ଖେଳ ବିଷୟରେ ଆଲୋଚନା କରି ମୋଦି କହିଛନ୍ତି ଖେଳର ଆଧାରକୁ ମଜଭୁତ୍ କରାଇବା ଜରୁରୀ । ଦେଶର ଯୁବା ସାରା ବିଶ୍ୱରେ ନିଜର କ୍ଷମତା ପ୍ରଦର୍ଶନ କରିପାରିବେ ।

ଚନ୍ଦ୍ରରେ ଭାରତର ଚିହ୍ନ ରଖିବାକୁ ଖୁବ୍ ଶୀଘ୍ର ଚନ୍ଦ୍ରଯାନ-୨ ପ୍ରେରଣ କରାଯିବ ବୋଲି କହିଛନ୍ତି ମୋଦି । ଆଜି ଆମ ମହାକାଶ କାର୍ଯ୍ୟକ୍ରମ କେତେକ ଯୁବ ବୈଜ୍ଞାନିକଙ୍କ ଦ୍ୱାରା ପରିପୁଷ୍ଟ ହେଉଛି । ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ କୃତ୍ରିମ ଉପଗ୍ରହ ଆଜି ମହାକାଶରେ ପହଞ୍ଚୁଛି। ଛାତ୍ରଛାତ୍ରୀମାନେ ନିର୍ମାଣ କରିଥିବା କଲାମ ସାଟ୍ ଜାନୁଆରି ୨୪ ତାରିଖରେ ଉତ୍କ୍ଷେପିତ ହୋଇଛି ।