ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ । ନାରୀ ସଶସ୍ତ୍ରୀକରଣ ଉପରେ ଗୁରୁତ୍ୱ । ଜାନୁଆରି ୩୦ ଦେଶ ପାଳନ କରିବ ମହାତ୍ମା ଗାନ୍ଧୀଙ୍କ ମହାପ୍ରାୟାଣ ବାର୍ଷିକୀ

73

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆଜି କରିଛନ୍ତି ମନ କୀ ବାତ୍ । କାର୍ଯ୍ୟକ୍ରମର ୪୦ ତମ ସଂସ୍କରଣରେ ସେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ନାରୀଶକ୍ତି ସବୁବେଳେ ଆମକୁ ଅନୁପ୍ରାଣିତ କରିଆସୁଛି । ସବୁ କ୍ଷେତ୍ରରେ ମହିଳା ଆଜି ନେତୃତ୍ୱ ନେଉଛନ୍ତି । ଏହି ଅବସରରେ ବିଏସଏଫର ସୀମା ଭବାନୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ସେ କହିଛନ୍ତି । ମୁମ୍ବାଇର ମାତୁଙ୍ଗା ରେଳଷ୍ଟେସନର ସମସ୍ତ-ନାରୀ କର୍ମଚାରୀଙ୍କୁ ମଧ୍ୟ ମୋଦି ଏହି ଅବସରରେ ପ୍ରଶଂସା କରିଛନ୍ତି। ସାଧାରଣତନ୍ତ୍ର ଦିବସ ପରେଡରେ ମୋଟରସାଇକେଲ ଚଳାଇ ଆଖିଦୃଶିଆ ଡେଆର ଡେଭିଲଷ୍ଟଣ୍ଟସ ପ୍ରଦର୍ଶନ କରିଥିବା ବିଏସଏଫର ମହିଳା ଅଧିକାରୀଙ୍କ କଥା ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି ସେ କହିଛନ୍ତି।

ସକାରାତ୍ମକ ଉପାୟରେ ଭାରତର ନାରୀଶକ୍ତିର ଅବଦାନ ଆମ ଦେଶ ଓ ସମାଜ ଦେଖିଛି। ସେ ଛତିଶଗଡ଼ ଅନ୍ତର୍ଗତ ଦାନ୍ତେଓ୍ଵାଡ଼ାର ମହିଳାଙ୍କୁ ପ୍ରଶଂସା କରି କହିଛନ୍ତି: ମାଓପ୍ରବଣ ଅଞ୍ଚଳ ହୋଇଥିଲେ ବି ସେଠାରେ ନାରୀମାନେ ଇ-ରିକ୍ସା ଚଳାଉଛନ୍ତି। ଏହା ଉପାର୍ଜନ ସୁଯୋଗ ସୃଷ୍ଟି କରିବା ସହ ସେ ଅଞ୍ଚଳର ଦୃଶ୍ୟପଟ୍ଟ ବଦଳାଉଛି, ପରିବେଶ ଅନୁକୂଳ ମଧ୍ୟ ହୋଇପାରିଛି।ଛତିଶଗଡ ଆଦିବାସୀ ମହିଳା ଇ-ରିକ୍ସା ଚଳାଇ କିଭଳି ଆତ୍ମନିର୍ଭରଶୀଳ ହୋଇଛନ୍ତି ତାଉପରେ ବି କହିଛନ୍ତି ପ୍ରଧାନମନ୍ତ୍ରୀ । ନୂଆବର୍ଷରେ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ମନ କି ବାତ ।

ବଜେଟ ପୂର୍ବରୁ ମୋଦି ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ମହାକାଶଚାରୀ କଳ୍ପନା ଚାୱଲାଙ୍କୁ ଏହି ଅବସରରେ ମନେପକାଇଥିଲେ ମୋଦି । ଫେବ୍ରୁଆରି ପହିଲା କଳ୍ପନା ଚାଓ୍ଵଲାଙ୍କ ମହାପ୍ରାୟାଣ ଦିବସ। କଲମ୍ବିଆ ସ୍ପେସ୍ ସଟଲ୍ ଦୁର୍ଘଟନାରେ ସେ ଆମକୁ ଛାଡ଼ି ଚାଲିଗଲେ। କିନ୍ତୁ, ବିଶ୍ୱର ନିୟୁତ ନିୟୁତ ତରୁଣଙ୍କର ସେ ପ୍ରେରଣାଦାୟୀ ହୋଇ ପାରିଛନ୍ତି।ଆଜିକାଲି ନେତୃତ୍ୱ ନେଇ ନାରୀମାନେ ଅନେକ କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। ଆଜି ଅନେକ କ୍ଷେତ୍ରରେ ଆମ ନାରୀ ଶକ୍ତି ମାଇଲ୍ ସ୍ତମ୍ଭ ସ୍ଥାପନ କରି ଅଭିନବ ଭୂମିକା ଗ୍ରହଣ କରୁଛନ୍ତି। ନାରୀଙ୍କୁ ସମ୍ମାନ ଦେବା ଆମ ସଂସ୍କୃତି। ବିଭିନ୍ନ କ୍ଷେତ୍ରରେ ନିଜକୁ ଭିନ୍ନ ପ୍ରତିପାଦିତ କରି କୃତ୍ୱିତ୍ୱ ହାସଲ କରିଥିବା ନାରୀମାନଙ୍କୁ ରାଷ୍ଟ୍ରପତି ଭେଟିଛନ୍ତି।

ସେ ଆହୁରି କହିଲେ, ‘ମିସନ୍ କ୍ଲିନ୍ ମୋର୍ଣ୍ଣା ରିଭର୍’ ଏକ ଆଶ୍ଚର୍ଯ୍ୟ ଉପକ୍ରମ। ଏଥିରେ ଲୋକେ ନଦୀକୁ ସଫା କରିବା ପାଇଁ ଏକତ୍ର ଆଗେଇ ଆସିଛନ୍ତି। ମହାରାଷ୍ଟ୍ରର ମଙ୍ଗେଶଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମୋର୍ଣ୍ଣା ନଦୀର ସଫେଇରେ ଜଣେ ବୟସ୍କ ଏବଂ ଜଣେ ପିଲା ଅଂଶଗ୍ରହଣ କରିଥିବାର ଫଟୋ ସେ ଏନ୍ଏମ୍ ମୋବାଇଲ୍ ଆପ୍ ସେୟାର୍ କରିଥିଲେ।ମୋଦି କହିଲେ, ଏବେ ପଦ୍ମ ପୁରସ୍କାରରେ ସ୍ୱଚ୍ଛତା ଆସିଛି। ଏବେ ବିନା କୌଣସି ସୁପାରିଶରେ ସାଧାରଣ ଲୋକଙ୍କ ନାମ ଯେ କେହି ପଦ୍ମ ପୁରସ୍କାର ପାଇଁ ନାମ ପଠାଇ ପାରିବେ।

ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅରବିନ୍ଦ ଗୁପ୍ତଙ୍କ ନାମ ଆପଣ ଶୁଣିଥିବେ। ଅଲୋଡ଼ା ଜିନିଷରୁ ପିଲାଙ୍କ ପାଇଁ ଖେଳନା ପ୍ରସ୍ତୁତ କରିବାରେ ସେ ନିଜ ଜୀବନ କଟାଇଛନ୍ତି। ଯେଉଁମାନେ ବଡ଼ ବଡ଼ ସହରରେ ନ ରହି ମଧ୍ୟ ସମାଜ ପାଇଁ ରୂପାନ୍ତର କାର୍ୟ୍ୟ କରନ୍ତି ସେମାନଙ୍କୁ ମଧ୍ୟ ଆମେ ସମ୍ମାନିତ କରୁଛୁ।

କେରଳର କଲ୍ଲାରରେ ଲକ୍ଷ୍ମୀକୁଟ୍ଟୀ ଜଣେ ଶିକ୍ଷକ। ସେ ଘୋର ଜଙ୍ଗଲର ଏକ ଆଦିବାସୀ ପଡ଼ାରେ ତାଳବରଡ଼ାରେ ତିଆରି ଏକ କୁଡ଼ିଆରେ ରହନ୍ତି। ନିଜ ମନରୁ ୫୦୦ ପ୍ରକାରର ଚେରମୂଳୀ ଔଷଧ ପ୍ରସ୍ତୁତି କରନ୍ତି। ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି। ପ୍ରବାସୀ ଭାରତୀୟମାନେ କେବଳ ଦେଶମାନଙ୍କର ସେବା କରୁ ନାହାନ୍ତି, ଭାରତ ପ୍ରତି ମଧ୍ୟ ସେମାନଙ୍କର ଅବଦାନ ବିପୁଳ ବୋଲି ମୋଦି ଆନନ୍ଦ ପ୍ରକାଶ କରିଛନ୍ତି।

ଜାନୁଆରି ୩୦ ତାରିଖ ଦିନ ଦେଶ ମହାତ୍ମା ଗାନ୍ଧୀଙ୍କ ମହାପ୍ରାୟାଣ ବାର୍ଷିକୀ ପାଳନ କରିବ। ବାପୁ ଆମକୁ ଶାନ୍ତି ଓ ଅହିଂସା କଥା ଶିଖାଇ ଥିଲେ। ତାଙ୍କର ଆଦର୍ଶ ଆଜିର ଦିନରେ ଅତି ପ୍ରଯୁଜ୍ୟ।