ମୋଦି ମାଆ ଓ ମୁଖ୍ୟମନ୍ତ୍ରୀ ! କେଜ୍ରିୱାଲ୍ କହିଲେ ମାଆ ଓ ପତ୍ନୀଙ୍କୁ ସାଙ୍ଗରେ ନରଖିବା ଭାରତୀୟ ସଂସ୍କୃତି ବିରୋଧୀ

46

କନକ ବ୍ୟୁରୋ : ମାଆଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ହେଲେ ପ୍ରଶ୍ନ ଉଠାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜି ସକାଳେ ମୋଦି ଟ୍ୱିଟ କରିଥିଲେ ଯେ, “ ଯୋଗ କାର୍ଯ୍ୟକ୍ରମ ବାତିଲ କରି ମା’ଙ୍କୁ ଭେଟିବାକୁ ଗଲି । ସୂର୍ଯ୍ୟୋଦୟ ପୂର୍ବରୁ ତାଙ୍କ ସହ ଜଳଖିଆ ଖାଇଲି । ମାଆଙ୍କ ସହ ଖୁସିରେ ସମୟ କାଟିଲି ।”

ଏହାର ଠିକ୍ ପରେପରେ ପାଲଟା ଟ୍ୱିଟ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ । ମାଆ ଓ ପତ୍ନୀଙ୍କୁ ସାଙ୍ଗରେ ରଖୁନଥିବା ଟିପ୍ପଣୀ କରିଛନ୍ତି । କହିଛନ୍ତି ମୁଁ ମୋ ମା’ଙ୍କ ସହ ରହୁଛି । ପ୍ରତିଦିନ ତାଙ୍କର ଆଶୀର୍ବାଦ ନେଉଛି, ହେଲେ ଡେଙ୍ଗୁରା ବାଡେଇ କାହାକୁ ଜଣାଉନାହିଁ । ରାଜନୀତି କରିବାକୁ ବ୍ୟାଙ୍କ ଆଗରେ ଲାଇନରେ ମା’ଙ୍କୁ ଛିଡ଼ା କରାଉନାହିଁ ।”

“ହିନ୍ଦୁ ଧର୍ମ ଓ ଭାରତୀୟ ସଂସ୍କୃତି କୁହେ, ମା’ ଓ ଧର୍ମପତ୍ନୀଙ୍କୁ ପାଖରେ ରଖିବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ବାସଭବନ ବହୁତ ବଡ଼, ହୃଦୟ ବଡ଼ କରିବା ଆବଶ୍ୟକ ।”

ପ୍ରଧାନମନ୍ତ୍ରୀଙ୍କ ପ୍ରବଳ ବିରୋଧୀ କେଜ୍ରିୱାଲ୍ ବିମୁଦ୍ରାୟନ ଘୋଷଣାକୁ ନେଇ ମମତା ଓ ରାହୁଲଙ୍କ ପରି ମୂଳରୁ ମୋଦିଙ୍କୁ ସମାଲୋଚନା କରିଆସୁଛନ୍ତି । ଆଉ ପୁଣିଥରେ ମୋଦିଙ୍କ ମାଆ ହୀରାବେନ, ବ୍ୟାଙ୍କ ଧାଡିରେ ଛିଡା ହେବା କଥା ଉଠାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ଗୋଟିଏ ପଟେ ବିମୁଦ୍ରାୟନ ଓ ଅନ୍ୟପଟେ ଏହାକୁ ସମର୍ଥନ କରି ମୋଦିଙ୍କ ମାଆ ବ୍ୟାଙ୍କ ଆଗରେ ଠିଆହେବାକୁ ଟାର୍ଗେଟ କରିଛନ୍ତି ଆପ୍ ମୁଖ୍ୟ ।