ୱାସିଂଟନ୍ ଡିସିରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କଲେ ମୋଦି ! କହିଲେ, ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ଆଗକୁ ବଢୁଛି ଦେଶ

40

କନକ ବ୍ୟୁରୋ: ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାସିଂଟନରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛି ଟ୍ରମ୍ପ ପ୍ରଶାସନ । ଏପରିକି ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି ସମ୍ବୋଧନ କରି, ଅନେକ କୂଟନୈତିକ ପ୍ରସଙ୍ଗରେ ତାଙ୍କସହ ଆଲୋଚନା କରିବାକୁ ଆଗ୍ରହୀ ବୋଲି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସୋମବାର ଆଲୋଚନା ଟେବୁଲରେ ଏକାଠି ବସିବାକୁ ଯାଉଛନ୍ତି ବିଶ୍ୱର ଦୁଇ ସର୍ବବୃହତ ଗଣତନ୍ତ୍ରର ନେତା । ହ୍ୱାଇଟ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଓ ପ୍ରତିନିଧି ସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଦୁଇ ବିଶ୍ୱ ନେତାଙ୍କ ଭିତରେ ପ୍ରତିରକ୍ଷା ସଂପର୍କିତ ଦ୍ୱିପାକ୍ଷିକ ଆଲୋଚନା ହେବ ଆମେରିକାଠାରୁ ୨୨ଟି ମାନବବିହୀନ ଗାର୍ଡିଆନ ଡ୍ରୋନ କିଣିବାକୁ ହୋଇପାରେ ଚୁକ୍ତି ଭାରତୀୟ ନୈସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ ୨ବିଲିୟନ ଡଲାର ଡ୍ରୋନ୍ ଡିଲ ଆତଙ୍କବାଦ ବିରୋଧୀ ମିଳିତ ଲଢେଇ ଓ ସୁରକ୍ଷା ସହଯୋଗ ନେଇ ଚୁକ୍ତି ସମ୍ଭାବନା ବିିଶ୍ୱ ଜଳବାୟୁ ପରିବର୍ତ୍ତନ ନେଇ ମଧ୍ୟ ଦୁଇ ନେତାଙ୍କ ଭିତରେ ହେବ ଆଲୋଚନା ।

ସେହିପରି ୱାଶିଂଟନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବ ଅପେକ୍ଷା ଦେଶ ଦ୍ରୁତ ଗତିରେ ଆଗକୁ ବଢୁଥିବା ମୋଦି କହିଛନ୍ତି । ସମୟ ଅନୁସାରେ ଲୋକଙ୍କ ଆବଶ୍ୟକତା ବଢୁଛି ଓ ସେହି ଅନୁଯାୟୀ ତାଙ୍କ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଦେଶ ହିତ ପାଇଁ ତାଙ୍କ ସରକାର କେତେକ ବଡ ନିଷ୍ପତି ନେଇଥିବା ମୋଦି କହିଛନ୍ତି । ସରକାର ଚଳାଇବାର ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି । ତିନି ବର୍ଷର ଶାସନ କାଳରେ ତାଙ୍କ ସରକାରରେ ଦୁର୍ନୀତିର ଦାଗ ଲାଗିନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ  ।

ଏହା ସହ ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ୍ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ମୋଦି । ସର୍ଜିକାଲ ଷ୍ଟ୍ରାଇକ୍ ପରେ ସାରା ଦୁନିଆ ଭାରତର ଶକ୍ତି ଦେଖିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  ସର୍ଜିକାଲ ଷ୍ଟ୍ରାଇକ୍ ସଂପର୍କରେ ବିଶ୍ୱର କୌଣସି ଦେଶ ପ୍ରଶ୍ନ ଉଠାଇ ନାହାନ୍ତି । କିନ୍ତୁ ଯିଏ ଏହା ଭୋଗିଛି କେବଳ ସେହି ଦେଶ ହିଁ ପ୍ରଶ୍ନ ଉଠାଇଛି ବୋଲି ପାକିସ୍ତାନକୁ ଇଙ୍ଗିତ କରି କହିଛନ୍ତି ମୋଦି । ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସୁଷମାଙ୍କ ନେତୃତ୍ୱରେ ବୈଦେଶିକ ମନ୍ତ୍ରାଳୟ ବେଶ୍ ଭଲ କାମ କରିଥିବା ମୋଦି କହିଛନ୍ତି । ଏହା ସହ ନିବେଶକଙ୍କୁ ମଧ୍ୟ ଭାରତକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ  । ମୋଦି ୱାଶିଂଟନରେ ଭାରତୀୟ ସମୁଦାୟଙ୍କ କାର୍ଯ୍ୟକ୍ରମରେ ପହଂଚିବା ପରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଥିଲ।। ଭାରତ ମାତା କି ଜୟ ନାରାରେ ସଭାସ୍ଥଳ ଉଛୁଳି ପଡିଥିଲା ।