ପୁଣି ମୋଦିଙ୍କ ଉପରେ ବୟାନ୍ ରଖିଲେ ସିଦ୍ଧୁ । କହିଲେ, ମୋଦିଙ୍କ ପ୍ରତିଶ୍ରୁତି ବାଉଁଶ ଭଳି ଫମ୍ପା, ରାହୁଲଙ୍କର ଆଖୁ ଭଳି ମିଠା ।

185

କନକ ବ୍ୟୁରୋ : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁ ପୁଲଓ୍ଵାମା ଆକ୍ରମଣ ପରଠାରୁ ହିଁ ଅଧିକ ବିବାଦରେ ରହି ଆସିଛନ୍ତି । ଲୋକେ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ ମଧ୍ୟ ସେ ଖୁଲମଖୁଲା ଭାବରେ ନିଜର ବୟାନ ରଖିବାକୁ ପଛାଉ ନାହାନ୍ତି । ଗତ କିଛି ଦିନ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସମାଲୋଚନାର ଶିକାର ହୋଇଥିବା ବେଳେ ଏବେ ପୁଣି ସେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । କେରଳର କୋଝିକୋଡେରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇ ମୋଦୀଙ୍କ ପ୍ରତିଶ୍ରୁତିକୁ ବାଉଁଶ ଭଳି ଫମ୍ପା ଏବଂ ରାହୁଲଙ୍କ ପ୍ରତିଶ୍ରୁତିକୁ ଆଖୁ ରସ ଭଳି ମିଠା ବୋଲି କହିଛନ୍ତି ସିଦ୍ଧୁ । ତାଙ୍କର ଏଭଳି ବୟାନ ଆସିବା ପରେ ତାଙ୍କୁ ନେଇ ଜୋର ସୋରରେ ଆଲୋଚନା ଆରମ୍ଭ ହୋଇ ଯାଇଛି ।

କୋଝିକୋଡେରେ ଜନସଭାକୁ ସମ୍ବୋଧନ କରି, ୫ବର୍ଷ ମଧ୍ୟରେ ମୋଦୀ କେବଳ ୦.୧ପ୍ରତିଶତ ଉଦ୍ୟୋଗପତିଙ୍କ ପାଇଁ ପ୍ରଧାନମନ୍ତ୍ରୀର ଦାୟିତ୍ୱ ପରିଚାଳନା କରିଛନ୍ତି । ଦେଶରେ ଥିବା ୯୯ପ୍ରତିଶତ କୃଷକ, ଦିନ ମଜୁରିଆ ଏବଂ ଗରିବଙ୍କର କୌଣସି ଅସ୍ତିତ୍ୱ ନଥିବା କଥା ସେ ପ୍ରମାଣ କରିଛନ୍ତି । ମୋଦୀଙ୍କୁ ଲାଗୁଛି ପ୍ରତିଶ୍ରୁତି ଏବଂ ଅଣ୍ଡା କେବଳ ଭାଙ୍ଗିବା ପାଇଁ ହୋଇଥାଏ । ତାଙ୍କର ପ୍ରତିଶ୍ରୁତି ବାଉଁଶ ଭଳି । ଯାହା ଲମ୍ବା ଏବଂ ଫମ୍ପା ହୋଇଥାଏ । କିନ୍ତୁ ରାହୁଲଙ୍କ ପ୍ରତିଶ୍ରୁତି ଆଖୁର ରସ ଭଳି । ଯାହା ଭିତରୁ ଏବଂ ବାହାରୁ ମିଠା । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ରାହୁଲ ଗାନ୍ଧୀ ୫୦ଲକ୍ଷ କୃଷକଙ୍କ ଋଣ କ୍ଷମା କରିବାର ପ୍ରତିଶ୍ରୁତି ଦେଇ ପୁରା କରିଥିଲେ । କେବଳ ଦୁଇ ଘଣ୍ଟାରେ ନିଜର ପ୍ରତିଶ୍ରୁତି ପୁରା କରି ସେ କୃଷକଙ୍କୁ ଋଣ ଏବଂ ଚିନ୍ତା ମୁକ୍ତ କରାଇଥିଲେ । କିନ୍ତୁ ମୋଦୀଙ୍କ ପ୍ରତିଶ୍ରୁତି ୫ବର୍ଷ ମଧ୍ୟରେ ପୁରା ହୋଇ ପାରି ନାହିଁ ବୋଲି କହିଥିଲେ ସିଦ୍ଧୁ ।