ମୋଦି ସରକାର ମାରିପାରନ୍ତି ମାଷ୍ଟରଷ୍ଟ୍ରୋକ, ନିର୍ବାଚନ ପୂର୍ବରୁ ମାଲାମାଲ ହୋଇପାରନ୍ତି ଚାଷୀ!

295

ନିର୍ବାଚନ ପୂର୍ବରୁ ପିଏମ କିଷାନ ଯୋଜନାରେ ମାଷ୍ଟରଷ୍ଟ୍ରୋକ ମାରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଚାଷୀଙ୍କ ଖୁସିକୁ ଦ୍ୱିଗୁଣିତ କରିଦେବ । ନିର୍ବାଚନ ଘୋଷଣା ପୂର୍ବରୁ ଚାଷୀଙ୍କ ଖାତାକୁ ଏକାସଙ୍ଗେ ୪ ହଜାର ଟଙ୍କା ପଠାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର । ଅଥାର୍ତ ପିଏମ କିଷାନ ଯୋଜନାରେ ଚାଷୀଙ୍କୁ ଗୋଟିଏ କିସ୍ତି ନୁହେଁ ବରଂ ଏକାସଙ୍ଗରେ ଦୁଇଟି କିସ୍ତିର ଟଙ୍କା ଦେବାକୁ ମୋଦି ସରକାର ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାଦ୍ୱାରା ଚାଷୀଙ୍କ ଆକାଉଣ୍ଟକୁ ଏକାସଙ୍ଗରେ ୪୦୦୦ ଟଙ୍କା ଆସିବ ।

କୃଷକଙ୍କୁ ସହାୟତା ପାଇଁ ୧ ଫେବ୍ର୍ରୁଆରୀରେ ବଜେଟ ଅଧିବେଶନରେ ମୋଦି ସରକାର ପିଏମ କିଷାନ ଯୋଜନାର ଘୋଷଣା କରିଥିଲେ ।ଦେଶର ୧୨ କୋଟି କ୍ଷୁଦ୍ର ଚାଷୀଙ୍କ ପାଇଁ ଅନ୍ତରୀଣ ବଜେଟରେ ଏହି ଘୋଷଣା କରିଥିଲେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ । ଏହି ଯୋଜନାରେ ପ୍ରତିବର୍ଷ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟରେ ଘୋଷଣା କରାଯାଇଥିଲା । ଏହି ଯୋଜନା ଅନୁଯାୟୀ, ଦୁଇ ହେକ୍ଟରରୁ କମ ଜମି ଥିବା କୃଷକ ମାନଙ୍କୁ ଆର୍ଥିକ ସହାୟତା ମିଳିବ ।

ଏହି ଯୋଜନାକୁ ୧ ଡିସେମ୍ବର ୨୦୧୮ରୁ ଲାଗୁ କରାଯିବାକୁ ମୋଦି ସରକାର ନିଷ୍ପତି ନେଇଥିଲେ ।  ତେଣୁ ମାର୍ଚ୍ଚ ୨୦୧୯ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟଙ୍କା ବାବଦକୁ ୨୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତି ନିଆଯାଇଥିଲା । କିନ୍ତୁ ଏବେ ୨୦୦୦ ନୁହେଁ ବରଂ ଏକାସଙ୍ଗେ ଦୁଇଟି କିସ୍ତିର ୪୦୦୦ ଟଙ୍କା ଦେବାକ୍ୁ ମୋଦି ସରକାର ଯୋଜନା କରୁଛନ୍ତି ।

ଏନେଇ କୃଷି ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି,  ରାଜ୍ୟ ସରକାର କ୍ଷୁଦ୍ର ଚାଷୀଙ୍କ ଚିହ୍ନଟ କରୁଥିବା ବେଳେ ଖୁବଶୀଘ୍ର ଯୋଜନାର ଲାଭ ପାଇବାକୁ ଥିବା ଚାଷୀଙ୍କର ତାଲିକା ପ୍ରସ୍ତୁତ ହୋଇଯିବ । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଚାଷୀଙ୍କ ଜମିର ତଥ୍ୟ ଡିଜିଟାଲ ଫର୍ମାଟରେ ଥିବା ବେଳେ ଏନେଇ ବିଶେଷ ଅସୁବିଧା ହେବ ନାହିଁ । ସେହିଭଳି ତେଲେଙ୍ଗାନା,ଓଡିଶା ଓ ଝାଡଖଣ୍ଡ ଭଳି ରାଜ୍ୟ ମଧ୍ୟ ଏହି ଧରଣର ଯୋଜନା ଘୋଷଣା କରିଥିବାରୁ ଚାଷୀଙ୍କ ବାବଦରେ ସମସ୍ତ ତଥ୍ୟ ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରିବ । ଏହାଛଡା ଯେହେତୁ ଏହି ଯୋଜନା ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବାକୁ ଯାଉଛି ତେଣୁ ନିର୍ବାଚନ ଆଚରଣ ବିଧି ଲାଗୁ ହେଲେ ମଧ୍ୟ ଏହି ଯୋଜନା ଉପରେ କୌଣସି ପ୍ରଭାବ ପଡିବ ନାହିଁ ।