ଭ୍ରଷ୍ଟାଚାର ଉପରେ ମୋଦି ସରକାରଙ୍କ ପ୍ରହାର : ଚାକିରିରୁ ବିଦା ହେଲେ ୧୨ ବରିଷ୍ଠ ଆୟକର ଅଧିକାରୀ

1,456

କନକ ବ୍ୟୁରୋ : ଦ୍ୱିତୀୟ ପାଳିରେ ସରକାରକୁ ଆସିବା ପରେ ଆକ୍ସନରେ ମୋଦି ସରକାର । ଭ୍ରଷ୍ଟାଚାର ବିରୋଧରେ କାମ ଆରମ୍ଭ କରିଦେଇଛନ୍ତି ମୋଦି । ଭ୍ରଷ୍ଟାଚାର ଓ ପେଶାଗତ ଖାମଖିଆଲି ମନୋଭାବ ଅଭିଯୋଗ ନେଇ ଆୟକର ବିଭାଗର ୧୨ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ଚାକିରିରୁ ବିଦା ହୋଇଥିବା ଅଧିକାରୀମାନେ ସରକାରୀ ପଦର ଦୁରପଯୋଗ, ଭ୍ରଷ୍ଟାଚାର ଓ ବେଆଇନ ଭାବେ ଅର୍ଥ ଉପାର୍ଜନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁଗ୍କ କମିସନ ରାଙ୍କର ଅଧିକାରୀ ଅଛନ୍ତି । ଅଧିକାରୀ ଜଣକ ବିବାଦୀୟ ଗଡମ୍ୟାନ ଚନ୍ଦ୍ରସ୍ବାମୀଙ୍କୁ ସହଯୋଗ କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ଅର୍ଥ ନେଉଥିବା ଅଭିଯୋଗ ରହିଛି ।

ଏତଦବ୍ୟତୀତ ନଏଡାରେ କମିସନର (ଅପିଲ) ପଦବିରେ ଅବସ୍ଥାପିତ ଆଇଆରଏସ ଅଫିସର ମଧ୍ୟ ବହିଷ୍କୃତ ହୋଇଛନ୍ତି । ତାଙ୍କ ବିରୋଧରେ ଦୁଇଜଣ ମହିଳା ଆଇଆରଏସ ଅଫିସର ଯୌନ ନିର‌୍ୟାତନା ଅଭିଯୋଗ ଆଣିଥିଲେ । ସେହିଭଳି ନିଜ ନାମରେ ଏବଂ ପରିବାର ସଦସ୍ୟଙ୍କ ନାମରେ ୩.୧୭ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଜଣେ ଆଇଆରଏସ ଅଧିକାରୀଙ୍କୁ ମଧ୍ୟ ସରକାର ବିଦା କରିଛନ୍ତି । ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ନିଲମ୍ବିତ ହୋଇଥିବା ଜଣେ ଆୟକର କମିସନରଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି । ସେହିଭଳି ଦୁର୍ନୀତି, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଲାଞ୍ଚ ମାଗିବା ଅଭିଯୋଗରେ ଅନ୍ୟ ବରିଷ୍ଠ ଆୟକର ଅଧିକାରୀଙ୍କୁ ସରକାର ବହିଷ୍କାର କରିଛନ୍ତି ।