ଦଳିତଙ୍କୁ ଖୁସି କରିବାକୁ ମୋଦି ସରକାରଙ୍କ ପ୍ରୟାସ ! ସୁପ୍ରିମକୋର୍ଟଙ୍କ ରାୟ ବଦଳାଇବାକୁ ଅଧ୍ୟାଦେଶ ଆଣିବ କେନ୍ଦ୍ର, ଏସସି-ଏସଟି ଆଇନ ଉପରେ ବଡ଼ ନିଷ୍ପତି

63

ଏସସି-ଏସଟି ଆଇନକୁ ନେଇ ହରଡ଼ଘଣାରେ ପଡ଼ିଥିବା ମୋଦି ସରକାର ଖୁବ ଶୀଘ୍ର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବଦଳାଇବାକୁ କେନ୍ଦ୍ର ସରକାର ଖୁବଶୀଘ୍ର ଅଧ୍ୟାଦେଶ ଆଣିପାରନ୍ତି । ଅଥାର୍ତ ମୂଳ ଆଇନରେ କୌଣସି ପରିବର୍ତନ ହେବ ନାହିଁ । ଅଧ୍ୟାଦେଶ ଭାବେ ଅଣାଯିବା ପରେ ଏହାକୁ ସଂସଦରେ ବିଧେୟକ ଭାବେ ଉପସ୍ଥାପନା କରିବାକୁ ଯୋଜନା କରୁଛି କେନ୍ଦ୍ର ସରକାର ।

ଏସସି-ଏସଟି ଆଇନକୁ ନେଇ ମୋଦି ସରକାର ଯେଉଁ ବିଧେୟକ ସଂସଦରେ ଆଣିବାକୁ ଯାଉଛନ୍ତି ତାହାକୁ ସମ୍ବିଧାନର ଧାରା-୯ରେ ସ୍ଥାନ ଦିଆଯିବ । ଏହାଦ୍ୱାରା ଏହି ଆଇନକୁ କୌଣସି ବ୍ୟକ୍ତି କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ନାହିଁ । ଏସସି-ଏସଟି ଆଇନ ନେଇ ମେ ୧୬ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହାପରେ ମୋଦି ସରକାର ଏହି ଅଧ୍ୟାଦେଶ ଉପରେ ନିଷ୍ପତି ନେଇପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏସସି-ଏସଟି ଆଇନରେ ହେଉଥିବା ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁନଃବିଚାର କରିବାକୁ କେନ୍ଦ୍ର ସରକାର ଆବେଦନ କରିଛନ୍ତି । ମେ ୧୬ରେ ସବୋର୍ଚ୍ଚ ନ୍ୟାୟଳୟ ଏହାର ଶୁଣାଣି କରିବେ ।

ପୂର୍ବରୁ ହୋଇଥିବା ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନରାଲ କେକେ ବେଣୁଗୋପାଳ ଯୁକ୍ତି ବାଢ଼ିଥିଲେ କି, କୋର୍ଟ ଏଭଳି ଭାବେ ନୂଆ ଆଇନ ପ୍ରସ୍ତୁତ କରିପାରିବେ ନାହିଁ । ଏହା ତାଙ୍କ ଅଧିକାରକ୍ଷେତ୍ର ପରିସରଭୁକ୍ତ ନୁହେଁ । କାହାର କଣ ଅଧିକାର ରହିଛି ତାହା ସମ୍ବିଧାନରେ ଉଲ୍ଲେଖ ରହିଛି । ଏସସି-ଏସଟି ଆଇନ ଉପରେ କୋର୍ଟ ଦେଇଥିବା ରାୟ ଦଳିତ ଲୋକଙ୍କ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଛି ।

ଦଳିତ ହିଂସା ବିରୋଧୀ ଆଇନର ଅପବ୍ୟବହାର କରାଯାଉଥିବା ଅନୁଭବ କରି ଏଥିରେ ସଂଶୋଧନ ପାଇଁ ମାର୍ଚ୍ଚ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଯାହାକୁ ଦଳିତ ବିରୋଧୀ କହି ପ୍ରଥମେ ଏପ୍ରିଲ ୨ ତାରିଖରେ ଭାରତ ବନ୍ଦ ପାଳନ କରିଥିଲେ କେତେକ ଦଳିତ ସଂଗଠନ । ଏପରିକି କେନ୍ଦ୍ରରେ ମୋଦି ସରକାରଙ୍କୁ ଦଳିତ ବିରୋଧୀ କହି ବନ୍ଦକୁ ସମର୍ଥନ ଜଣାଇଥିଲେ ବିରୋଧୀ ରାଜନୈତିକ ଦଳ ।

ଏହାପରେ ପୁଣି ରାୟ ସପକ୍ଷରେ ଏପ୍ରିଲ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଅଣଦଳିତ ସଂଗଠନ ବା ଉଚ୍ଚ ବର୍ଗର ଲୋକେ । ତେବେ ସୁପ୍ରିମକୋର୍ଟରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରାଳୟ ଦାୟର କରିଥିବା ରିଭ୍ୟୁ ପିଟିସନର ଶୁଣାଣି ପରେ ହିଁ ଏଦିଗରେ କିଛି ଠୋସ ପଦକ୍ଷେପ ନେଇପାରନ୍ତି ମୋଦି ସରକାର ।