ଆରଟିଆଇର ବଡ ଖୁଲାସା : ବିଜ୍ଞାପନ ଖର୍ଚ୍ଚରେ ରେକର୍ଡ ଭାଙ୍ଗିଲେ ମୋଦି, ଜାଣନ୍ତୁ କେତେ ଟଙ୍କା ଉଡାଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ

33

କେନ୍ଦ୍ର ସରକାର ଗତ ଚାରି ବର୍ଷରେ ବିଜ୍ଞାପନ ଉପରେ ମୋଟ ୪୩୪୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆରଟିଆଇ ମାଧ୍ୟମରେ ଏହାର ଖୁଲାସା ହୋଇଛି । ଆରଟିଆଇରେ ଦିଆଯାଇଥିବା ସୂଚନା ଅନୁସାରେ ମୋଦି ସରକାର ମେ ୨୦୧୪ରେ ଶାସନକୁ ଆସିବା ପରେ ବିଜ୍ଞାପନ ଉପରେ ୪,୩୪୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଏଜେନ୍ସି ବ୍ୟୁରୋ ଅଫ ଆଉଟରିଚ କମ୍ୟୁନିକେସନ, ମୁମ୍ବାଇର ଆରଟିଆଇ କାର୍ଯ୍ୟକର୍ତ୍ତା ଅନିଲ ଗଲଗଲିଙ୍କ ଆରଟିଆଇ ଆବେଦନରେ ଏହି ତଥ୍ୟ ମିଳିଲା । ଏଜେନ୍ସିର କହିବାନୁସାରେ, କେନ୍ଦ୍ର ସରକାର ଏହି ରାଶି ପ୍ରିଂଟ ଏବଂ ଇଲେକ୍ଟ୍ରୋନିକ ମିଡିଆ ବ୍ୟତୀତ ଆଉଟଡୋର ପ୍ରଚାରରେ ଖର୍ଚ୍ଚ କରିଛନ୍ତି । ସରକାର ନିଜର କାର୍ଯ୍ୟକ୍ରମର ବିଭିନ୍ନ ମିଡିଆ ମଂଚରେ ବିଜ୍ଞାପନ ଉପରେ ୪,୩୪୩.୨୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ସୂଚନା ଅନୁସାରେ, ୧ ଜୁନ ୨୦୧୪ରୁ ୭ ଡିସେମ୍ବର ୨୦୧୭ ମଧ୍ୟରେ ପ୍ରିଂଟ ମିଡିଆରେ ବିଜ୍ଞାପନ ଉପରେ ୧୭୩୨.୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ଇଲେକ୍ଟ୍ରୋନିକ ମିଡିଆରେ ୧ ଜୁନ ୨୦୧୧୪ରୁ ୩୧ ମାର୍ଚ ୨୦୧୮ ମଧ୍ୟରେ ୨୦୭୯.୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଜୁନ ୨୦୧୪ରୁ ଜାନୁୟାରୀ ୨୦୧୮ ମଧ୍ୟରେ ଆଉଟଡୋର ବିଜ୍ଞାପନ ଉପରେ ୫୩୧.୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଜେନ୍ସିର ବିତ୍ତୀୟ ପରାମର୍ଶଦାତା ତପନ ସୂତ୍ରଧାର ଖର୍ଚ୍ଚର ସବିଶେଷ ତଥ୍ୟ ଦେଇଛନ୍ତି ।

ପ୍ରିଂଟ ମିଡିଆରେ ସମାଚାର ପତ୍ର, ପତ୍ରିକା, ଏବଂ ଇଲେକ୍ଟ୍ରାନିକ ମିଡିଆରେ ଟିଭି, ଇଣ୍ଟରନେଟ, ରେଡିଓ, ଡିଜିଟାଲ ସିନେମା, ଏସଏମଏସ ଇତ୍ୟାଦି ଆସେ । ଆଉଟଡୋର ବିଜ୍ଞାପନରେ ପୋଷ୍ଟର, ବ୍ୟାନର, ହୋଡିଙ୍ଗ, ରେଲୱେ ଟିକେଟ ଆଦି ଆସେ ।