ଆରଟିଆଇ ତଥ୍ୟରୁ ଖୋଲିଲା ମୋଦି ସରକାରଙ୍କ ପୋଲ୍ ! ଚାକିରି ଦେବାରେ ବିଫଳ ଭାରତୀୟ ରେଳବାଇ

217

ନିଯୁକ୍ତି ମୁଦ୍ଦାକୁ ନେଇ ମୋଦି ସରକାର ସବୁବେଳେ ଟାର୍ଗେଟରେ ରହୁଛନ୍ତି । ମୋଦି ସରକାର ଶାସନକୁ ଆସିବା ପରେ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ ବୋଲି ଦୃଢ଼ୋକ୍ତି କରିଥିଲେ କିନ୍ତୁ ଏବେ ସେଭଳି କିଛି ଦେଖିବା ପାଇଁ ମିଳୁନି । ପ୍ରତିବର୍ଷ ୨ କୋଟି ଚାକରି ଦେବାର ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ତାଙ୍କ କାର୍ଯ୍ୟକାଳ ଭିତରେ ପୁରା ଫେଲ ମାରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଦାବି କରୁଛନ୍ତି ଲୋକଙ୍କୁ ଚାକିରି ମିଳୁଛି । ତେବେ ସୂଚନା ଅଧିକାର ଆଇନ୍( ଆରଟିଆଇ) ଅନୁସାରେ ଏକ ରିପୋର୍ଟ ଆସିଛି, ଯାହା ମୋଦି ସରକାରଙ୍କ ଦାବି ଓ ପୋଲ୍ ଖୋଲିଛି ।

ସୂଚନାଯୋଗ୍ୟ ଭାରତୀୟ ରେଳବାଇ ସବୁଠାରୁ ଅଧିକ ରୋଜଗାର ଯୋଗାଉଥିବା ସଂସ୍ଥାନ । ଆରଟିଆଇ ରିପୋର୍ଟ ଅନୁସାରେ ବିଗତ କିଛି ବର୍ଷରେ ଭାରତୀୟ ରେଳବାଇ ଚାକିରି ଦେବାରେ ବିଫଳ ହୋଇଛି । ଏକ ନ୍ୟୁଜ୍ ଏଜେନ୍ସି ଖବର ଅନୁସାରେ ୨୦୦୮ରୁ ୨୦୧୯ ପର୍ଯ୍ୟନ୍ତ କୌଣସି ଗୋଟିଏ ବର୍ଷରେ ଏପରି ହେଇନି ଯେଉଁଠି ଯେତିକି କମଚାରୀ ଅବସର ଗ୍ରହଣ କରିଛନ୍ତ , ତା’ଠାରୁ ଅଧିକ ଭର୍ତ୍ତି ହୋଇଛନ୍ତି । ଏବେ ଭାରତୀୟ ରେଳବାଇରେ ଖାଲି ପଦବୀ ସଂଖ୍ୟା ୩ ଲକ୍ଷ । ତଥାପି ପିଲାଙ୍କୁ ନିଯୁକ୍ତି ମିଳୁନି । ତଥ୍ୟ ଅନୁସାରେ ଏନଡିଏ ସରକାର ଓ ଉପା ସରକାରଙ୍କ ଅବସ୍ଥା ପୁରାପୁରି ସମାନ ।

ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ ତଥ୍ୟ ଅନୁସାରେ ମୋଦି ସରକାରଙ୍କ୍ କାଳରେ ନଭେମ୍ବର ୨୦୧୮ରେ ରେଲୱେ ଗ୍ରୁପ ସି ଓ ଡି ର ଖାଲି ପଦବୀ ସଂଖ୍ୟା ଥିଲା ୨,୬୬,୭୯୦ । ଅନ୍ୟପଟେ ୨୦୧୬-୧୭ ସମୟରେ ପାଖାପାଖି ୧୩,୦୮,୩୨୮ କର୍ମଚାରୀ କାର୍ଯ୍ୟରତ ଥିଲେ । ତଥ୍ୟ ଅନୁସାରେ ଗ୍ରୁପ ସି ଓ ଡିରେ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ୧୦,୪୧,୫୩୩ କର୍ମଚାରୀ ରହିଗଲେ । ସୂଚନାଯୋଗ୍ୟ ୨୦୦୮-୦୯ରେ ରେଳବାଇ କର୍ମଚାରୀ ସଂଖ୍ୟା ଥିଲା ୧୩,୮୬,୦୦୧ ।

ଆରଟିଆଇ ତଥ୍ୟ ଅନୁସାରେ ମୋଦି ସରକାରଙ୍କ କାର୍ଯ୍ୟକାଳ ସମୟରେ ରେଳବାଇ ନିଯୁକ୍ତି ବହୁତ କମିଛି । ୨୦୧୪-୧୫ରେ ଅବସରପ୍ରାପ୍ତ କର୍ମଚାରି ସଂଖ୍ୟା ୫୯,୯୬୦ ଏବଂ ଉକ୍ତ ବର୍ଷ ୧୫,୧୯୧ ନିଯୁକ୍ତି ପାଇଥିଲେ । ୨୦୧୫-୧୬ରେ ୫୩,୬୫୪ ଅବସର ପାଇବା ସହ ୨୭,୯୯୫ ନୂଆ ନିଯୁକ୍ତି ପାଇଥିଲେ । ୨୦୧୬-୧୭ରେ ୫୮,୩୭୩ ଅବସର ଗ୍ରହଣ କରିଥିବାବେଳେ ମାତ୍ର ୧୯,୫୮୭ କର୍ମଚାରୀ ନିଯୁକ୍ି ପାଇଥିଲେ । ୨୦୧୭-୧୮ରେ ୧୯,୧୦୦ ଅବସର ଗ୍ରହଣ କରିଥିଲେ, ହେଲେ ନିଯୁକ୍ତି ତଥ୍ୟ ଉପବ୍ଧ ନାହିଁ । ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ମୋଦି ସରକାର ନିଯୁକ୍ତି ସୁଯୋଗ ଦେବାରେ ଫେଲମାରିଛନ୍ତି ।