ଲୋକଙ୍କ ଟଙ୍କାରେ ଦାନୀ କର୍ଣ୍ଣ ସାଜୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ! ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଆହ୍ୱାନ ଦେଲେ ଚେତନ ଭଗତ

37

କନକ ବ୍ୟୁରୋ : କ୍ରମାଗତ ଭାବରେ ବଢ଼ୁଥିବା ତେଲ ଦର ଏବେ ରାଜନୀତିରେ ନିଆଁ ଲଗାଇ ଦେଇଥିବା ବେଳେ ମଧ୍ୟବିତ ଏବଂ ଗରିବଙ୍କ ପକେଟ ଉପରେ ହେଉଛି ମହଙ୍ଗା ମାଡ଼ ।ଲୋକପ୍ରିୟ କଥାକାର ଚେତନ ଭଗତ ଏହାକୁ ରବିନ୍ ହୁଡ୍ ଶୈଳୀରେ ସରକାର ଟିକସ ନେଉଛନ୍ତି ବୋଲି କଟାକ୍ଷ କରିଛନ୍ତି ।

ରବିନ୍ ହୁଡର ଭୂମିକା ନେଇଛନ୍ତି କି ସରକାର ? ତେଲ ଦରକୁ ନେଇ ହେଉଛି କି ଶୋଷଣ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଲୋକପ୍ରିୟ କଥାକାର ଚେତନ୍ ଭଗତଙ୍କ ଆଲେଖ୍ୟଟି କିଛି ଏହି ଭଳି ପ୍ରଶ୍ନ ସାମ୍ନାକୁ ଆଣିଛି । ରବିନ୍ ହୁଡ୍ ହେଉଛନ୍ତି ସେହି ଚରିତ୍ର ଯିଏ, ଅତ୍ୟାଚାରୀ ଶାସନ ବିରୋଧରେ ସ୍ୱର ଉଠାଉଥିଲେ । ଧନୀଙ୍କଠାରୁ ଟଙ୍କା ଆଣି ଗରିବଙ୍କୁ ବାଂଟୁଥିଲେ । ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଆଲେଖ୍ୟ ଲେଖି କେନ୍ଦ୍ର ସରକାର ରବିନ୍ ହୁଡ୍ ଭଳି ଅଭିନୟ କରିବା ବନ୍ଦ କରିବା ସହ ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସର ଭୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ।

କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ତେଲ ଦର ମଧ୍ୟବିତଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ଉଭା ହୋଇଛି । ସାଧାରଣ ହିସାବରେ ଦେଖିଲେ ଗୋଟିଏ ଲିଟର ପେଟ୍ରୋଲ ପିଛା କେନ୍ଦ୍ର ସରକାର ପ୍ରାୟ ୨୦ ଟଙ୍କା ଟିକସ ନେଉଥିବା ବେଳେ ରାଜ୍ୟ ସରକାର ପ୍ରାୟ ୧୭ ଟଙ୍କା ଟିକସ ଆକାରରେ ନେଉଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର ରାଜ୍ୟକୁ ଭାଟ୍ କମାଇବାକୁ ପରାମର୍ଶ ଦେଉଥିବା ବେଳେ ରାଜ୍ୟ ସରକାର ଏକ୍ସାଇଜ୍ ଡ୍ୟୁଟି କମାଇବାକୁ ଦାବି କରୁଛନ୍ତି । ଆଉ ଏସବୁ ଭିତରେ ଲୋକଙ୍କ ଟଙ୍କାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାନୀକର୍ଣ୍ଣର ଭୂମିକା ନେଇଥିବା ମତ ଦେଇଛନ୍ତି ପୂବର୍ତନ ଅର୍ଥମନ୍ତ୍ରୀ ।

ତେଲ ଦର ବଢ଼ିବା ଯୋଗୁଁ ଅନ୍ୟ ସାମଗ୍ରୀର ଦରଦାମ ବଢ଼ୁଛି । ଯାହା ଫଳରେ ଗରିବ ଏବଂ ମଧ୍ୟବିତ ପ୍ରଭାବିତ ହେଉଛନ୍ତି । ତେଣୁ ସରକାରଙ୍କୁ ବିକଳ୍ପ ବ୍ୟବସ୍ଥାର କରିବାର ଆବଶ୍ୟକତା ରହିଥିବା ବିଶେଷଜ୍ଞ ମତ ଦେଇଛନ୍ତି । ଏପଟେ ଲୋକଙ୍କ ଟଙ୍କାରେ ସରକାରୀ ଯୋଜନା ଚାଲିବା ପ୍ରସଙ୍ଗରେ ଜବାବ ରଖିଛି ବିଜେପି । ବିଶେଷଜ୍ଞଙ୍କ ମତ ଏବଂ ରାଜନୈତିକ ପ୍ରଶ୍ନ ଏବଂ ପ୍ରତିଉତର ଭିତରେ ଲୋକଙ୍କ ଅପେକ୍ଷା କେବେ କମିବ ପେଟ୍ରୋଲ ଓ ଡିଜେଲ ଦର । ।