ଚିନ୍ତାରେ କେନ୍ଦ୍ର ସରକାର ! ଫେଲ୍ ମାରିଲା ମୋଦିଙ୍କ ମୁଦ୍ରା ଯୋଜନା, ଜାଣନ୍ତୁ କାହିଁକି ?

163

କେନ୍ଦ୍ର ସରକାର ୨୦୧୫ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ଯାହାର ଉଦ୍ଦେଶ୍ୟ ଦେଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ଆବେଦନକାରୀଙ୍କୁ ଲକ୍ଷାଧିକ କୋଟି ଟଙ୍କାର ସହଜ ଉପାୟରେ ଲୋନ୍ ପ୍ରଦାନ କରିଛନ୍ତି । ତେବେ ଏହି ଋଣ ପ୍ରଦାନ ପଛରେ କେନ୍ଦ୍ର ସରକାରଙ୍କ ଏକ ଉଦ୍ଦେଶ୍ୟ ଥିଲା ଯେ ବ୍ୟବସାୟ ବାଣିଜ୍ୟକୁ ତ୍ୱରାନ୍ୱିତ କରିବା ସହ ରୋଜଗାର ପନ୍ଥାକୁ ଏକ ନୂଆ ସ୍ଥରରେ ପହଁଚାଇବା । କିନ୍ତୁ ଗତ ୩ ବର୍ଷ ମଧ୍ୟରେ କାର୍ଯ୍ୟ କରୁଥିବା ଏହି ଯୋଜନାକୁ ନେଇ ସରକାରଙ୍କ ନିଦ ହଜିଯାଇଥିବା ଜଣାପଡିଛି । କାରଣ କେନ୍ଦ୍ର ସରକାରଙ୍କୁ ଛନକା ପସିଛି ଯେ ମୁଦ୍ରା ଯୋଜନାକୁ ସଫଳ କରିବା ପାଇଁ ଦେଶର ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଲକ୍ଷାଧିକ କୋଟି ଟଙ୍କାର ସୁଧଭାର ବଢ଼ି ଯିବ କି ? ଯାହାକୁ ପରିଷୋଧ କରିବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି ।

କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ତରଫରୁ ବିଭିନ୍ନ ସମୟରେ ଦେଶର ଯୁବପିଢ଼ୀ ମାନଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ତିନି ବର୍ଷ ମଧ୍ୟରେ ୫ଲକ୍ଷ କୋଟି ଟଙ୍କାର ସହଜ ଋଣ ପ୍ରଦାନ କରିଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ମୁଦ୍ରା ଯୋଜନା ପାଇଁ କେନ୍ଦ୍ର ସରକାର ବିଭିନ୍ନ ବ୍ୟାଙ୍କରୁ ନେଇଥିବା ୫ଲକ୍ଷ କୋଟି ଟଙ୍କାର ସୁଧ ଭାର ବା ଏନପିଏ ବର୍ତ୍ତମାନ ପାଖାପାଖି ୧୪ ହଜାର କୋଟି ଟଙ୍କାରେ ପହଁଚିଲାଣି । ଏ ବାବଦରେ ଏପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କିମ୍ବା କୌଣସି ବ୍ୟାଙ୍କ ତରଫରୁ ସ୍ପଷ୍ଟୀକରଣ ହୋଇନାହିଁ । ସେପଟେ ସରକାରଙ୍କ ରିପୋର୍ଟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅର୍ନ୍ତଗତ ସର୍ବମୋଟ ୧.୮୧ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଯାହା ୧.୭୫ ଲକ୍ଷ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ସେହିଭଳି ୨୦୧୬ ଆର୍ଥିକ ବର୍ଷ ୨.୪୪ ଲକ୍ଷ କୋଟି ଟଙ୍କାର ଲୋନ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୧.୮୦ଲକ୍ଷ କୋଟି ଟଙ୍କାର ଲୋନ ବଣ୍ଟନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ତେବେ ଗତ ତିନି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୩ଟି ଶ୍ରେଣୀରେ ବଣ୍ଟନ କରାଯାଇଥିଲା । ପ୍ରଥମଟି ଶିଶୁ ଋଣ-୫୦ହଜାର ଟଙ୍କା, ଦ୍ୱିତୀୟ କିଶୋର ଋଣ ୫୦ହଜାରୁ ୫ଲକ୍ଷ ଟଙ୍କା ଏବଂ ତୃତୀୟରେ ତରୁଣ ଋଣ ଯାହାକି ୫ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାର ଋଣ ପ୍ରଦାନର ସୁବିଧା ଉପଲବ୍ଧ କରାଯାଇଛି । ଏହାସହ ଅଣୁ , କ୍ଷୁଦ୍ର ଓ ମଧ୍ୟ ବାଣିଜ୍ୟ ବ୍ୟବସାୟ ପାଇଁ ଏହି ଯୋଜନା ଅର୍ନ୍ତଭୁକ୍ତ କୌଣସି ସିକ୍ୟୁରିଟି ଟଙ୍କା ପୈଠ କରିବାକୁ ପଡେ ନାହିଁ ବୋଲି ନିୟମ ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ୨୦୧୭-୧୮ ଆର୍ଥିକ ବର୍ଷ ସୁଦ୍ଧା ୪ କୋଟି ୩ଲକ୍ଷ ୮୯ହଜାର ୮୫୪ ଜଣଙ୍କୁ ମୁଦ୍ରା ଯୋଜନାରେ ଋଣ ଦିଆଯାଇଛି । ଯେଉଁଥିରେ ୭୫ ପ୍ରତିଶତ ଋଣ ମହିଳାଙ୍କୁ ଦିଆଯାଇଛି ।

ତେବେ ଏକ ବ୍ୟାଙ୍କ ବିଶେଷଜ୍ଞଙ୍କ କହିବା ମୁତାବକ କୌଣସି ବ୍ୟକ୍ତି ଯଦି ନିଜର ବ୍ୟବସାୟ କରିବା ପାଇଁ ଥରେ ମୁଦ୍ରା ଯୋଜନା ଅର୍ନ୍ତଗତ ପ୍ରାରମ୍ଭିକ ଲୋନ ନେବା ପରେ ଯଦି ପୁର୍ନବାର ଲୋନ ନେବା ନଗଣ୍ୟ ବରାବର । କାରଣ ରିଫାଇନାସିଂ ଦ୍ୱାରା ଅଳ୍ପ ପରିମାଣରେ ଋଣ ମିଳିଥାଏ । ଯାହାଦ୍ୱାରା ପ୍ରଥମ କରି ଲୋନ ନେଇଥିବା ବ୍ୟକ୍ତି ତାର ବ୍ୟବସାୟରେ କ୍ଷତି ସହିଥାଏ । ଏଭଳି କ୍ଷେତ୍ରରେ ମୁଦ୍ରା ଯୋଜନାକୁ ତ୍ୱରାନିତ କରିବା ପାଇଁ ସମସ୍ତ ଲୋନ ଦେବାର ଦାୟିତ୍ୱ ସରକାରୀ ବ୍ୟାଙ୍କ ଗୁଡିକ ଉପରେ ନିର୍ଭର କରୁଥିବାବେଳେ ସରକାରୀ ବ୍ୟାଙ୍କ ମାନେ ଏନପିଏ ସମସ୍ୟାରେ ଫସି ରହିଛନ୍ତି । ତେବେ ଏନପିଏ ସମସ୍ୟାରେ ଫସି ରହିଥିବା ସରକାରୀ ବ୍ୟାଙ୍କ ଗୁଡିକୁ ଋଣମୁକ୍ତ କରିବା ପାଇଁ ୨.୧୧ଲକ୍ଷ କୋଟି ଟଙ୍କାର ପୁଞ୍ଜିକରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

ତେବେ ଏହି ଯୋଜନାକୁ ସଫଳ କରିବା ପାଇଁ ବିଭିନ୍ନ ବେସରକାରୀ ବ୍ୟାଙ୍କ ଊପରେ କେନ୍ଦ୍ର ସରକାର ଚାପ ପକାଉଥିବା ସୂଚନା ମିଳିଛି । କାହିଁକି ନା ସରକାର ଦେଇଥିବା ମୁଦ୍ରା ଯୋଜନାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ବ୍ୟାଙ୍କ ଗୁଡିକୁ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଛି ବୋଲି ବ୍ୟାଙ୍କ ବିଶେଷଜ୍ଞ ଦଳ କହିଛି । ଯାହାଦ୍ୱାରା ଏବେ ବ୍ୟାଙ୍କ ଗୁଡିକ ସମ୍ମୁଖରେ ବଡ ସମସ୍ୟା ଦେଖାଦେଇଛି । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଯୋଜନାକୁ ସଫଳ କରିବା ପାଇଁ କରଜ ଦେଉଥିବାବେଳେ ନିଜର ଏନପିଏ ସମସ୍ୟାକୁ ଅଧିକ ସଙ୍କଟରେ ପକାଇଛନ୍ତି । ତେବେ ଏଥିରୁ ସ୍ପଷ୍ଟ ଯେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନା ଫେଲ ମାରିଛି ଏବଂ ଆଗକୁ ମଧ୍ୟ ମୁଦ୍ରା ଯୋଜନାରେ ସମସ୍ୟା ଦେଖାଦେବାର ସମ୍ଭାବନାକୁ ଦ୍ୱିଗୁଣିତ କରିଛି ।