ମମତାଙ୍କ ଗଡରେ କୃଷକଙ୍କ ରାଲିକୁ ସମ୍ବୋଧନ କରିବେ ମୋଦି : ୨୦୧୯ ନିର୍ବାଚନକୁ ଲକ୍ଷକରି ସାରା ଦେଶରେ ରାଲି କରୁଛନ୍ତି କି ମୋଦି?

43

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ବଙ୍ଗର ମେଦିନା ପୁରଠାରେ ସୋମବାର ଏକ କୃଷକ ସମାବେଶରେ ଯୋଗ ଦେବେ ବୋଲି ଜଣାପଡିଛି । ତେବେ କେନ୍ଦ୍ର ସରକାର ନିକଟରେ ଧାନର ଏମଏସପି ମୂଲ୍ୟ ବଢାଇଛନ୍ତି ଓ ତାହାର ଲାଭ କୃଷକମାନେ କିପରି ଉଠାଇପାରିବେ ସେ ନେଇ ସଭାର ଆୟୋଜନ ହୋଇଥିବା ଜଣାପଡିଛି । ଏହି ରାଲି ମେଦିନାପୁର କଲେଜ ପଡିଆରେ ଆୟୋଜନ ହୋଇଥିବା ଜଣାପଡିଛି । ମେଦିନା ପୁରରେ ମୋଦୀଙ୍କ ଏହା ପ୍ରଥମ ରାଲି ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା କରାଯାଉଛି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଚିବ ରାହୁଲ ସିହ୍ନା କହିଛନ୍ତି ଯେ, ମେଦିନା ପୁରଠାରେ ଆୟୋଜନ କରାଯାଇଥିବା ଏହି ସଭା ଏକ ଐତିହାସିକ ସଭାଭାବେ ପରିଗଣିତ ହେବ । ତେବେ ମୋଦି ପଶ୍ଚିମବଙ୍ଗ ଯାଉଥିବାରୁ ସେଠାକାର ନେତାମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଥିବା କହିଛନ୍ତି ସ୍ନିହା । ତେବେ ମୋଦି ସେଠାରେ ଅପରାହ୍ଣ ୧୨.୩୦ ରେ ପହଞ୍ଚିବା ନେଇ ସିହ୍ନା କହିଛନ୍ତି ।

ତେବେ ମୋଦୀ ସରକାର ଦେଶର ବିକାଶ କରିବାରେ ସବୁବେଳେ ଚିନ୍ତା କରୁଛନ୍ତି । ପୂର୍ବ ଅପେକ୍ଷା ଭାରତ ସାରା ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ପରିଗଣିତ ହୋଇପାରିଛି । ପୂର୍ବରୁ ମୋଦୀ ସରକାର କୃଷକମାନଙ୍କ ସୁବିଧା ଲାଗି ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି । ତେଣୁ ସାରା ଦେଶରେ କୃଷକମାନେ ଉପକୃତ ହେବେ ବୋଲି ସିହ୍ନା କହିଛନ୍ତି । ଏପଟେ ପଶ୍ଚିମବଙ୍ଗର ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି ଯେ, ମେଦିନାପୁର ଠାରେ ସୋମବାର ଆୟୋଜନ କରାଯାଉଥିବା ରାଲିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ବିଜେପି ପଶ୍ଚିମବଙ୍ଗକୁ ଗୁରୁତ୍ୱ ଦେଉଛି । ତେବେ ଏହାର ବିକାଶ କିପରି ହୋଇପାରିବ ତାହାର ଦାୟିତ୍ୱ ମୋଦି ନେଇଛନ୍ତି । ତେବେ ମୋଦି ରାଜନୈତିକ ମତଭେଦଠାରୁ ଉଦ୍ଧ୍ୱର୍ରେ ରହି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି । ତେବେ ତୃଣମୁଳ କଂଗ୍ରେସକୁ ସମାଲୋଚନା କରି ଶ୍ରୀ ଘୋଷ କହିଛନ୍ତି ଏମାନେ କେବଳ ରାଜନୀତି କରୁଛନ୍ତି । ଏହାଛଡା ଅନ୍ୟ କିଛି ଉନ୍ନୟନମୂଳକ କାମ କରିନାହାନ୍ତି ବୋଲି ଘୋଷ କହିଛନ୍ତି ।

 

ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୨୯ ଜୁନରେ ପୁରଲିଆ ଜିଲ୍ଲାରେ ଏକ ସଭାରେ ଭାଷଣ ଦେବାର ମାତ୍ର ୧୭ ଦିନ ପରେ ମୋଦୀ ପୁଣିଥରେ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ତେବେ ଶାହା ତାଙ୍କ ଗସ୍ତରେ ସମୟରେ ଦାବୀ କରିଥିଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ୨୨ ଲୋକସଭା ସିଟ ଜିତିବ । ତେବେ ବିଜେପିର ବାରମ୍ବାର ସଭା ଓ ରାଲି ହେଲେ ବଙ୍ଗାଲ ଲୋକମାନଙ୍କ ଉପରେ କୈାଣସି ପ୍ରଭାବ ପଡିବ ନାହିଁ ବୋଲି ତୃଣମୁଳ କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହାସହ ଆଗମୀ ନିର୍ବାଚନରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ତୃଣମୁଳ କଂଗ୍ରେସ କହିଛି ।