ମୋଦିଙ୍କ ପାଇଁ ମେଣ୍ଟ ଅଡୁଆ । ୨୦୧୯ରେ ସରକାର ଗଠନ ପାଇଁ ପ୍ରତିବନ୍ଧକ ସାଜିବ ଏହି ୭ କାରଣ ।

112

କନକ ବ୍ୟୁରୋ : ୨୦୧୯ରେ ବିଜେପି ପାଇଁ ବଢିପାରେ ଅଡୁଆ । ଗତ କିଛି ଦିନ ଧରି ଯେଉଁ ରାଜନୈତିକ ଘଟଣାକ୍ରମ ଜାତୀୟ ସ୍ତରରେ ସାମ୍ନାକୁ ଆସିଛି, ତାହା ମୋଦି-ଶାହା ଯୋଡିଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଏନଡିଏକୁ ଅଟକାଇବାକୁ ପୁରା ବିରୋଧୀ ସାମ୍ନାକୁ ଆସିବା ଫଳରେ ଜାତୀୟ ରାଜନୀତିରେ ଧ୍ରୁବୀକରଣ ଦେଖିବାକୁ ମିଳିବାର ଅନୁମାନ କରାଯାଉଛି । ୨୦୦୪ରେ ଯେଉଁଭଳି ଭାବେ ତମାମ ଚର୍ଚ୍ଚା ଆଉ ଲୋକପ୍ରିୟତା ସତ୍ୱେ ଅଟଳ ବିହାରୀ ବାଜପାୟୀ ପୁଣି କ୍ଷମତାକୁ ଆସିପାରିଲେ ନାହିଁ, ସେଭଳି ଏକ ସ୍ଥିତି ୨୦୧୯ରେ ସୃଷ୍ଟି ହେବନାହିଁ ତ? ତମାମ ବିପକ୍ଷ ଦଳ ଏହି ଗୋଟିଏ ଦିଗକୁ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି । ଏବେ ନଜର ପକାନ୍ତୁ, କାହିଁକି ଚର୍ଚ୍ଚା ଚାଲିଛି ଯେ, ମୋଦି ପୁଣି ଥରେ କ୍ଷମତାକୁ ଆସିପାରିବେ କି ନାହିଁ ।

(କାରଣ – ୧) ୨୦୧୯ରେ ମୋଦିଙ୍କୁ ଆଉ କ୍ଷମତାକୁ ଆସିବାକୁ ଦିଆଯିବ ନାହିଁ । ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି । ନରେନ୍ଦ୍ର ମୋଦି ଉତ୍ତେଜନା ମୂଳକ ଭାଷଣ ଦେଇ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏପଟେ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ମଧ୍ୟ ସେ ଆକ୍ରମଣ କରିଛନ୍ତି ବୋଲି ସୋନିଆ ନିଜ ବକ୍ତବ୍ୟରେ କହିଛନ୍ତି । ଏବେ ଦେଶର ଗଣତନ୍ତ୍ର ବିପଦରେ ପଡିଯାଇଛି ବୋଲି କହିଛନ୍ତି ସୋନିଆ । ୨୦୧୯ରେ ବିଜେପି କୌଣସି ମତେ ଶାସନଙ୍କୁ ଫେରିବ ନାହିଁ । କ୍ରମାଗତ ୧୦ ବର୍ଷ ଶାସନ କରିବାକୁ ହେଲେ ସେମାନଙ୍କୁ କଂଗ୍ରେସର ମୁକାବିଲା କରିବାକୁ ହେବ ବୋଲି ଜୋର ଦେଇ କହିଛନ୍ତି ସୋନିଆ ଗାନ୍ଧି । ଅଚ୍ଛେଦିନର ଅବସ୍ଥା ଇଣ୍ଡିଆ ସାଇନିଂ ପରି ହିଁ ହେବ ବୋଲି ସେ ସମାଲୋଚନା କରିଛନ୍ତି । ତେବେ ଗତ ନିର୍ବାଚନରେ ମୋଦିଙ୍କ ମାର୍କେଟିଂ ଆଗରେ କଂଗ୍ରେସ ଚକମା ଖାଇଯାଇଥିବା ସ୍ୱୀକାର କରିଛନ୍ତି ସୋନିଆ ।

ଆଉ ସୋନିଆଙ୍କ ଏହି ଦୃଢୋକ୍ତି ପରେ ଏବେ ବିପକ୍ଷ ଦଳ ଗୁଡିକ ଏକଜୁଟ ହେଉଥିବାର ଅନୁମାନ କରାଯାଉଛି । ଆଉ କଂଗ୍ରେସ ସଭାପତି ପଦ ଛାଡି ୟୁପିଏର ଅଧ୍ୟକ୍ଷା ଭାବେ ସୋନିଆ ଏହି ଶକ୍ତିଙ୍କୁ ଏକାଠି କରୁଥିବାର ଚର୍ଚ୍ଚା ଚାଲୁଛି । ମୋଦିଙ୍କ ବିରୋଧରେ ଏକ ମହାମେଂଟର ପରିକଳ୍ପନା କରି ସୋନିଆ ଡିନର୍ ପାର୍ଟି ଡାକୁଥିବାର ଚର୍ଚ୍ଚା ହେଉଛି । ଯାହାର ଅଂଶସ୍ୱରୂପ, ତମାମ ବିରୋଧୀ ଦଳର ନେତାଙ୍କୁ ସେ ଏଥିପାଇଁ ଆମନ୍ତ୍ରଣ ମଧ୍ୟ କରିଛନ୍ତି । ଯେଉଁଥିରେ ତୃଣମୁଳ କଂଗ୍ରେସ ସମେତ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ ତମାମ ଅନ୍ୟ ବିପକ୍ଷ ଦଳଙ୍କୁ ମଧ୍ୟ ସାମିଲ କରାଯାଉଛି । ଏନେଇ ବିଜେଡି ଲୋକସଭା ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ସହ ସୋନିଆ ଗାନ୍ଧୀ ମଧ୍ୟ ଆଲୋଚନା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

(କାରଣ – ୨) ତ୍ରିପୁରାରେ ବାମଗଡ ଭୁଶୁଡାଇ ଯେତେବେଳେ ବିଜେପି ବିଜୟର ଉତ୍ସବ ମନଉଥିଲା ସେତେବେଳେ ତୃଣମୁଳ କଂଗ୍ରେସର ସାଂସଦ ଡେରିକ ଓବ୍ରେୟନ୍ କହିଥିଲେ, ୨୦୧୯ରେ ଲାଲକିଲ୍ଲା ଉପରୁ ଆଉ ତ୍ରିରଙ୍ଗା ଉଡାଇ ପାରିବେ ନାହିଁ ନରେନ୍ଦ୍ର ମୋଦି । ୨୦୧୮ରେ ହିଁ ସେ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ତ୍ରିରଙ୍ଗା ଉଡାଇବେ । ଏହାକୁ ଦୃଢତାର ସହ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପନ କରି ସେ ବାର୍ତ୍ତା ଦେବାକୁ ଚାହୁଁଥିଲେ, ୨୦୧୯ରେ ଆଉ ସଂଖ୍ୟା ଗରିଷ୍ଠତା ସହ ନରେନ୍ଦ୍ର ମୋଦି କ୍ଷମତାକୁ ଫେରିବେ ନାହିଁ । ଏନେଇ ମଧ୍ୟ ତୃଣମୁଳ କଂଗ୍ରେସ କାର୍ଯ୍ୟ ଆରମ୍ଭ କରିଥିବା କୁହାଯାଉଛି । ସମଭାବାପନ୍ନ ଦଳ ଗୁଡିକୁ ଏକାଠି କରିବାକୁ ମମତା ବାନାର୍ଜୀ ଉଦ୍ୟମ କରୁଥିବା ଚର୍ଚ୍ଚା ଚାଲିଛି ।

tdp -bjp war(କାରଣ – ୩) ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିବା ପରେ ମୋଦି ସରକାରଙ୍କ ପାଇଁ ଆହୁରି ଅଧିକ ଅଡୁଆ ବଢିଯାଇଛି । ଯଦିଓ ସଂଖ୍ୟା ଦୃଷ୍ଟିରୁ ମୋଦି ସରକାର ପାଇଁ ବର୍ତ୍ତମାନକୁ କିଛି ଅସୁବିଧା ନାହିଁ, କିନ୍ତୁ ମେଣ୍ଟ ରାଜନୀତିରେ ଏହା ସବୁଠାରୁ ବଡ ଚାଲେଂଜ ତିଆରି କରିବ । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିଥିବା ନାଇଡୁ ଆଗାମୀ ଦିନରେ ଏନଡିଏରୁ ମଧ୍ୟ ଓହରିପାରନ୍ତି । ସେପଟେ ଶିବସେନା ଓ ବିଜେପି ମଧ୍ୟରେ ସଂପର୍କ ଧୀରେ ଧୀରେ ତିକ୍ତ ହେଉଛି । ଏନଡିଏରେ ଆଉ ରହିବ ନାହିଁ ବୋଲି ଶିବସେନା ସ୍ପଷ୍ଟ କରିସାରିଛି । ମହାରାଷ୍ଟ୍ରରେ ଏକାକୀ ଲଢିବାକୁ ଘୋଷଣା ବି କରିସାରିଛି । ମନ୍ତ୍ରୀମଣ୍ଡଳରୁ ନେତା ଓହରି ଯାଇଛନ୍ତି । ତେଣୁ ଏଭଳି ସ୍ଥଳେ ଏନଡିଏର ସହଯୋଗୀଙ୍କ ସଂଖ୍ୟା କମିବା ଆଗାମୀ ଦିନରେ ମୋଦି-ଶାହା ଯୋଡିଙ୍କ ଚିନ୍ତା ବଢାଇବ ।

(କାରଣ – ୪) ସେପଟେ ମୋଦିଙ୍କୁ ମାତ୍ ଦେବାକୁ ଉତ୍ତରପ୍ରଦେଶରେ ଏକାଠି ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି । ଲିଖିତ ଭାବେ ନୁହେଁ ବରଂ ଅଲିଖିତ ଭାବେ ବିଜେପି ପ୍ରାର୍ଥୀଙ୍କୁ ଚକମା ଦେବାକୁ ଦୁହେଁ ଏକାଠି ହାତ ମିଳାଇଛନ୍ତି । ଉତ୍ତରପ୍ରଦେଶରେ ହେବାକୁ ଥିବା ଦୁଇଟି ଲୋକସଭା ଉପ-ନିର୍ବାଚନ ପାଇଁ ଏହି ବୁଝାମଣା ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ୨୦୧୪ ନିର୍ବାଚନରୁ ଏହି ଆସନରୁ ଜିତିଥିଲେ ଯୋଗୀ ଆଦିତ୍ୟନାଥ ଓ କେଶବ ପ୍ରସାଦ ମୈାର୍ଯ୍ୟ । ୟୁପିରେ ବିଜେପି ସରକାର ଆସିବା ପରେ ଏହି ଦୁଇ ନେତା ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତେଣୁ ଖାଲି ପଡିଥିବା ଏହି ଦୁଇ ଆସନ ପାଇଁ ହେଉଥିବା ନିର୍ବାଚନରେ ସପା-ବସପା ଏକାଠି ହୋଇଛନ୍ତି । ଜାତି ସମୀକରଣରେ ଏହି ଦୁଇ ରାଜନୈତିକ ଦଳର ଭୋଟବ୍ୟାଙ୍କ ବିଜେପି ରାସ୍ତାରେ କଂଟା ହୋଇ ଠିଆ ହୋଇପାରେ ।

(କାରଣ – ୫) ଅତୀତରେ ବିହାରରେ ଯେଉଁ ସମୀକରଣ ଦେଖିବାକୁ ମିଳିଥିଲା ସେଥିରେ ବିଜେପି ମାତ୍ ଖାଇଥିଲା । ମୋଦିଙ୍କ ବିରୋଧରେ ଏକ ମହାମେଂଟର ପରିକଳ୍ପନା କରି ବିଜେପିକୁ ରୋକିବାରେ ସମର୍ଥ ହୋଇଥିଲେ କଂଗ୍ରେସ-ଆରଜେଡି-ଜେଡିୟୁ । ତିନି ପରସ୍ପର ବିରୋଧୀ ରାଜନୈତିକ ଦଳ ଗୋଟିଏ ଛତା ତଳକୁ ଆସି ମୋଦିଙ୍କ ବିଜୟ ରଥକୁ ଅଟକାଇ ଥିଲେ । ତେବେ ପରବର୍ତ୍ତୀ ପର୍ଯାୟରେ ଅବଶ୍ୟ ରାଜନୀତିର ସମୀକରଣ ବଦଳିଥିଲା । କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ଏହା ବିଜେପି ପାଇଁ ଅଡୁଅ ସ୍ଥିତି ତିଆରି କରିଥିଲା । ତେଣୁ ବିଜେପିକୁ ରୋକିବାକୁ ସବୁ ବିପକ୍ଷ ରାଜନୈତିକ ଦଳ ଯଦି ହାତ ମିଳାନ୍ତି ତେବେ ୨୦୧୯ ବିଜେପି ପାଇଁ ଅନୁକୁଳ ହେବନି ।

(କାରଣ – ୬) ଦୀର୍ଘ ୩୦ ବର୍ଷ ପରେ କୌଣସି ଗୋଟିଏ ରାଜନୈତିକ ଦଳକୁ ସଂଖ୍ୟା ଗରିଷ୍ଠତା ୨୦୧୪ରେ ମିଳିଥିଲା । ସେଦୃଷ୍ଟିରୁ ବିଜେପି ବିନା କୈାଣସି ବାଧାବିଘ୍ନରେ ୫ ବର୍ଷ ସରକାର ଚଲାଇବାରେ ସମର୍ଥ ହୋଇଥିଲା । କିନ୍ତୁ ୨୦୧୯ରେ ଏହି ସ୍ଥିତି ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଅର୍ଥାତ୍ ଏକାକି ସରକାର ଗଢିବା ବିଜେପି ପାଇଁ ସମ୍ଭବପର ନୁହେଁ । ମେଣ୍ଟ ରାଜନୀତିର ଗଣିତ ଭିତରେ ସହଯୋଗୀଙ୍କୁ ଏକାଠି କରିବା ମୋଦି-ଶାହା ଯୋଡିଙ୍କ ପାଇଁ କାଠିକର ପାଠ । କାରଣ ଶିବସେନା, ଟିଡିପି ଭଳି ଦଳ ଏନଡିଏରୁ ନିଜକୁ ଦୁରେଇଲେଣି । ସେଭଳି ଅତୀତରେ ଏନଡିଏରେ ସାମିଲ ଥିବା ତୃଣମୁଳ କଂଗ୍ରେସ ଓ ଏଆଇଏଡିଏମକେ ଆଜି ଦୂରତା ଅବଲମ୍ବନ କରୁଛନ୍ତି । ବିଜୁ ଜନତା ଦଳ ସମଦୁରତ୍ୱ ପଲିସିରେ ଆଗକୁ ବଢୁଛି । ତେଣୁ ମେଣ୍ଟ ସହଯୋଗୀଙ୍କ ସଂଖ୍ୟା କମିବା ଆଗାମୀ ଦିନରେ ମୁଣ୍ଡବ୍ୟଥା ବଢାଇବ ।

(କାରଣ – ୭) ଅନ୍ୟପକ୍ଷରେ ପିପୁଲସ ଥାର୍ଡ ଫ୍ରଂଟ ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏନେଇ ମମତା ବାନାର୍ଜୀ ମଧ୍ୟ ତାଙ୍କ ସହ ଆଲୋଚନା କରିଛନ୍ତି । ସେହିଭଳି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ଜନସେନା ମୁଖ୍ୟ ପବନ କଲ୍ୟାଣ ଏଥିରେ ସହମତି ପ୍ରକାଶ କରିଥିବା କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ । ଏଭଳି ସ୍ଥଳେ ଆଗାମୀ ଦିନରେ ଯଦି ସବୁ ବିରୋଧୀ ଦଳ ଏକାଠି ହୁଅନ୍ତି ତେବେ ୨୦୧୯ରେ ମେଂଟ ରାଜନୀତିରେ ନରେନ୍ଦ୍ର ମୋଦି ଅଡୁଆରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।