ପାକିସ୍ତାନ ଶବ ଗଣିବାରେ ବ୍ୟସ୍ତ, ବିରୋଧୀ ଏଠି ପ୍ରମାଣ ମାଗୁଛନ୍ତି । ୨୦୧୯ ପାଇଁ ମୋଦିଙ୍କ ‘ଜାତୀୟତାବାଦ’ ଫର୍ମୁଲା । ସେନାର ସାହାସ ଓ ବୈଜ୍ଞାନିକଙ୍କ ସଫଳତା ମୋଦିଙ୍କ ଅସ୍ତ୍ର ।

୨୦୧୪ରେ ଦେଶବାସୀଙ୍କ ଠାରୁ ୬୦ ମାସର ସମୟ ମାଗୁଥିବା ମୋଦି ୨୦୧୯ ବେଳକୁ ସେନାର ସାହାସ ଓ ବୈଜ୍ଞାନିକଙ୍କ ସଫଳତାକୁ ଆୟୁଧ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି ।

166

କନକ ବ୍ୟୁରୋ : ସେହି ପୁରୁଣା ଅନ୍ଦାଜ, ସେହି ପୁରୁଣା ଷ୍ଟାଇଲ । ୨୦୧୪ ଆଉ ୨୦୧୯ ଭିତରେ ଆପଣ ସେଭଳି କୈାଣସି ଫରକ୍ ପାଇବେ ନାହିଁ । ପ୍ରଚାର ମୈଦାନକୁ ଯେତେବେଳେ ମୋଦି ଓହ୍ଲାଇଛନ୍ତି ସମାନ ଆଭିମୁଖ୍ୟକୁ ଦୋହରାଇଛନ୍ତି । କିନ୍ତୁ ଏଥିରେ ଗୋଟିଏ ଫରକ୍ ବାରି ହୋଇ ପଡୁଛି । ୨୦୧୪ରେ ଦେଶବାସୀଙ୍କ ଠାରୁ ୬୦ ମାସର ସମୟ ମାଗୁଥିବା ମୋଦି ୨୦୧୯ ବେଳକୁ ସେନାର ସାହାସ ଓ ବୈଜ୍ଞାନିକଙ୍କ ସଫଳତାକୁ ଆୟୁଧ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି ।

ଜୟପୁର ସମାବେଶରେ ମୋଦି କହିଛନ୍ତି, ପାକିସ୍ତାନ ମାସେ ଧରି ଶବ ଗଣିବାରେ ବ୍ୟସ୍ତ ହେଲେ ବିରୋଧୀ ଏଠି ପ୍ରମାଣ ମାଗୁଛନ୍ତି । ସେହିଭଳି ବୈଜ୍ଞାନିକ ହାସଲ କରିଥିବା ସଫଳତାକୁ ଉପସ୍ଥାପନ କରିବାକୁ ଭୂଲିନାହାନ୍ତି ମୋଦି । ଅର୍ଥାତ୍ ୨୦୧୯ ନିର୍ବାଚନ ପାଇଁ ଏହି ଦୁଇ ମୁଦ୍ଦାକୁ ଧରି ଆଗକୁ ବଢିବା ପାଇଁ ଆଭିମୁଖ୍ୟ ରଖିଛନ୍ତି । ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପଚାରିଛନ୍ତି, ଯିଏ ଦେଶର ସେନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ତାକୁ ଭୋଟ ଦେବା ଉଚିତ କି?

୨୦୧୪ର କଥା ମନେ ପକାନ୍ତୁ, ଯେତେବେଳେ ମୋଦି ଦୁର୍ନୀତି ବିରୋଧୀ ଲଢେଇକୁ ମୁଖ୍ୟ ମୁଦ୍ଦା କରିଥିଲେ । ଦେଶବାସୀଙ୍କ ଠାରୁ ୬୦ ମାସ ସମୟ ମାଗି ଶାସନ ଗାଦିକୁ ଆସିଥିବା ଏନଡିଏ ସରକାର ୬୦ ମାସର ହିସାବ ଦେବା ବଦଳରେ ଆଜି ବିରୋଧୀଙ୍କ ଟାର୍ଗେଟ କରିବାରେ ବ୍ୟସ୍ତ ଥିଲେ । ଅଛେ ଦିନର ନାରା ଶୁଣିବାକୁ ମିଳିନଥିଲା, ବିମୁଦ୍ରାକରଣ କଥାକୁ ମୋଦି ଦୋହରାଇନଥିଲେ କିମ୍ବା ଜିଏସଟି ଦିଗକୁ ଛୁଇଁନଥିଲେ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି, ମୋଦି ସଫଳତାର ତାଲିକା ଦେବାକୁ କାହିଁକି ପଛଘୁଂଚା ଦେଲେ କି?

ଏମଏସପି ଦେଢଗୁଣା କରିବାକୁ ୨୦୧୪ ନିର୍ବାଚନୀ ସଭରେ ମୋଦି ପ୍ରତିଶ୍ରୁତି ଦେଇଥିଲେ, ବର୍ଷକୁ ୨କୋଟି ଚାକିରୀର କଥା ଉପସ୍ଥାପନ କରିବା ସହ କଳାଧନ ଫେରାଇ ଆଣିବାକୁ ଶାଣିତ ସ୍ୱର ରଖିଥିଲେ । ଆଶା କରାଯାଉଥିଲା, ୨୦୧୯ ନିର୍ବାଚନୀ ରାଲିରେ ଏସବୁର ହିସାବ ଦେଇ ମୋଦି ପ୍ରମାଣିତ କରିବେ ଯେ ଯାହା ସେ କହିଥିଲେ ତାହା କରି ଦେଖାଇଛନ୍ତି । ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଠାରୁ ଆରମ୍ଭ କରି ବିରୋଧୀଙ୍କ ଉପରେ ବର୍ଷିବା ପର୍ଯ୍ୟନ୍ତ ମୋଦି ସବୁ ଦିଗକୁ ଛୁଇଁଥିଲେ । ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ, ଡିଏମଏଫ ଅର୍ଥ ଖର୍ଚ୍ଚ ହୋଇ ପାରୁନାହିଁ ବୋଲି କହିଥିଲେ, ଆୟୁଷ୍ମାନ ଯୋଜନାରେ ସାମିଲ ହେଲା ନାହିଁ ଓଡିଶା, ପିଏମ କିଷାନ ସମ୍ମାନ ନିଧି ଯୋଜନାରୁ ଓଡିଶା ଦୂରେଇ ରହିବା ଫଳରେ ଚାଷୀ କ୍ଷତି ସହିବା ଏହି ସମସ୍ତ ଦିଗକୁ ଉଠାଇ ରାଜ୍ୟ ସରକାରଙ୍କୁ ବଦଳାଇବାକୁ ମୋଦି ଆହ୍ୱାନ ଦେଇଥିଲେ । ଆଉ ଓଡିଶାରେ ଡବଲ ଇଂଜିନର ସରକାର ଅର୍ଥାତ୍ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆଣିବାକୁ ଜୟପୁର ମାଟିରୁ ଆହ୍ୱାନ ଦେଇଥିଲେ ମୋଦି ।

ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ, ୬୦ ମାସର ଅବଧିରେ ଅଛେଦିନ ସମସ୍ତଙ୍କ ପାଖରେ ପହଁଚାଇବାକୁ ସ୍ୱପ୍ନ ଦେଖାଇଥିବା ମୋଦି ଏଦିଗରେ ସଫଳ ହୋଇଛନ୍ତି କି ନାହିଁ । ନିର୍ବାଚନୀ ରାଲିରେ ଶହୀଦଙ୍କ ଫଟୋ ବ୍ୟବହାର ଉପରେ ପୂର୍ବରୁ ରୋକ ଲାଗି ସାରିଛି । ହେଲେ ରାଲିରେ ସେନାର ସୈାର୍ଯ୍ୟକୁ ଉପସ୍ଥାପନ କରିବାରେ କୈାଣସି ବାରଣ ନାହିଁ । ହେଲେ କଥା ହେଉଛି, ୨୦୧୯ ନିର୍ବାଚନ ପାଇଁ ସେନାର ସାହାସକୁ ଆୟୁଧ କରି ଭୋଟ ମାଗିବା କେତେ ଯୁକ୍ତି ଯୁକ୍ତ ।

ଆଗାମୀ ନିର୍ବାଚନରେ ସଫଳତା ହାସଲ କରିବାକୁ ବିଜେପି ମୁଖ୍ୟତଃ ୩ଟି ଦିଗ ଉପରେ ଜୋର ଦେଉଛି । ଜାତୀୟତା, ହିନ୍ଦୁତ୍ୱ ଏବଂ ଦୁର୍ନୀତି ବିରୋଧୀ ଲଢେଇ । ଜାତୀୟତାର ମୁଦ୍ଦାକୁ ଉଠାଇବାକୁ ହେଲେ ପଡୋଶୀ ପାକିସ୍ତାନ ସୀମାରେ ପଶି ହୋଇଥିବା ଆକ୍ରମଣକୁ ଜୋର ଦିଆଯାଉଛି । ଯାହାର ଝଲକ ଆଜି ମଧ୍ୟ ଦେଖିବାକୁ ମିଳିଥିଲା । ସେହିଭଳି ହିନ୍ଦୁତ୍ୱ ମୁଦ୍ଦା ଭାଜପାର ଦଶନ୍ଧି ଦଶନ୍ଧି ଧରି ରହି ଆସିଥିବା ଆଭିମୁଖ୍ୟର ଝଲକ । ଆଉ ଦୁର୍ନୀତି ବିରୋଧୀ ଲଢେଇ ଯାହା ୨୦୧୪ରେ ଦଳ ପାଇଁ ସଫଳତା ଆଣି ଦେଇଥିଲା ।

ହେଲେ ଏହାରି ଭିତରେ ଯେଉଁ ଦିଗଟି ଯଥେଷ୍ଟ ଗୁରୁତ୍ୱ ବହନ କରୁଛି ତାହା ହେଲା, ୨୦୧୪ରେ ମୋଦି କଂଗ୍ରେସକୁ ଟାର୍ଗେଟ କରୁଥିଲେ ଆଉ ଆଜି ମଧ୍ୟ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ସେତେବେଳେ ହୁଏତ ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇନଥିଲେ ତେଣୁ ନିଜର ସ୍ୱପ୍ନ ଦେଶବାସୀଙ୍କ ସାମ୍ନାରେ ରଖୁଥିଲେ । ହେଲେ ଆଜି ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ୫ ବର୍ଷ ଶାସନ କରିଛନ୍ତି । କହିବା ପାଇଁ ନିଜ ସରକାରର ଅନେକ କଥା ରହିଛି । ହେଲେ ସେହି ଦିଗକୁ ସ୍ପର୍ଶ କରିବା ବଦଳରେ ପୁରୁଣା ଅନ୍ଦାଜରେ ଆଗକୁ ବଢିଚାଲିଛନ୍ତି ।

ହଁ, ଏହା ମଧ୍ୟ ବାସ୍ତବତା ଯେ ଜନତା ମୋଦିଙ୍କ ଏହି ଆଭିମୁଖ୍ୟକୁ ବେଶ ପସନ୍ଦ କରିଥାନ୍ତି । ଜନତାଙ୍କ ଭିତରେ ଏହା ଜୋଶ ଭରିଥାଏ । ଭୋଟ ରାଜନୀତିରେ ଏଭଳି ଉଦବୋଧନ ବେଶ ଗୁରତ୍ୱପୂର୍ଣ୍ଣ । ମାତ୍ର ଏହାରି ଆଳରେ ସରକାର ନେଇଥିବା ନିଷ୍ପତ୍ତି ଏବଂ ସଫଳତା ଆଉ ବିଫଳତାର ହିସାବ କିତାବ ମଧ୍ୟ ଆବଶ୍ୟକତା ରହିଛି । କାରଣ ଏହା ଉପରେ ହିଁ ଅନେକ କିଛି ନିର୍ଭର କରିଥାଏ ।

ସେହିଭଳି ମେଁ ଭି ଚୈାକିଦାରର ନାରା ବିଜେପି ପ୍ରଚାରର ଅଂଶ ହୋଇଯାଇଛି । କାରଣ ରାହୁଲ ଗାନ୍ଧୀଙ୍କ ଚୈାକିଦାର ଚୋର ହେ ନାରା ଶାସକ ଦଳ ପାଇଁ ବେଶ ଚିନ୍ତାଜନକ ହୋଇଥିଲା । ନୀରବ ମୋଦି, ବିଜୟ ମାଲ୍ୟା ଏପରିକି ରାଫେଲ ଡିଲ୍ ନେଇ କଂଗ୍ରେସ ଅଧ୍ୟକ୍ଷ ଲଗାତର ଭାବେ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । କ୍ଷମତାରେ ରହିବା ପାଇଁ ନିଜ ନିଜ ବିଚାରଧାରା ଓ ରଣନୀତି ଆଧାରରେ ଆଗେଇବାରେ କିଛି ଅସୁବିଧା ନାହିଁ । ହେଲେ ବାସ୍ତବତା ଠାରୁ ଦୂରେଇ ଅତୀତର ନିଷ୍ପତ୍ତି ଉପରେ ଜୋର ନଦେଇ ଯେତେବେଳେ ଭୋଟ ମଗାଯାଏ, ସେତେବେଳେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଆରଟିଆଇ ତଥ୍ୟ କହୁଛି, ୨୦୧୪ ମଧ୍ୟଭାଗରୁ ସେପଟେମ୍ବର ୨୦୧୮ ମଧ୍ୟରେ କେନ୍ଦ୍ରୀୟ ସ୍କିମର ପ୍ରଚାର ପ୍ରସାର ପାଇଁ ୫ ହଜାର କୋଟି ଖର୍ଚ୍ଚ ହୋଇଛି । ଆଉ ସବୁଥିରେ ମୋଦିଙ୍କ ଫଟୋ କିମ୍ବା ବୟାନ ଆପଣ ଶୁଣିବାକୁ ପାଉଥିବେ । କେବଳ ଏହି ଗୋଟିଏ ତଥ୍ୟରୁ ବୁଝିବାକୁ ଚେଷ୍ଟା କରନ୍ତୁ କିଭଳି ମୋଦିଙ୍କ ଚେହେରା ହିଁ ଭାରତୀୟ ଜନତା ପାର୍ଟିର ଏକମାତ୍ର ପୁଂଜି, ଯାହାଙ୍କ ବକ୍ତବ୍ୟ ଆଉ ଆଭିମୁଖ୍ୟ ହିଁ ଦଳ ପାଇଁ ୨୦୧୯ରେ ଭୋଟ ଆଣିପାରେ ।

ଓଡିଶାରେ ଦୁଇଟି ଯୋଜନାକୁ ତୁଳନା କରି ରାଜ୍ୟରେ ଶାସନ ବଦଳାଇବାକୁ ମୋଦି ଆହ୍ୱାନ ଦେଇଥିଲେ । ପ୍ରଥମତଃ ଆୟୁଷ୍ମାନ ଯୋଜନା ଓଡିଶାରେ କାର୍ଯ୍ୟକାରୀ ହେଲାନାହିଁ । ଯାହାର ସୁଫଳ ପାଇବାକୁ ବଂଚିତ ହେଲେ ରାଜ୍ୟବାସୀ । ହେଲେ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ସୁବିଧା ମିଳୁଥିବା ବେଳେ ମହିଳାଙ୍କ ପାଇଁ ଏହା ୭ ଲକ୍ଷ ଟଙ୍କାକୁ ବଢାଯାଇଛି । ଏପରିକି ରାଜ୍ୟ ବାହାରେ ମଧ୍ୟ ଏହାର ସୁବିଧା ମିଳିପାରିବ । ହେଲେ ତୁଳନା କଲା ବେଳେ ମୋଦି ରାଜ୍ୟ ଯୋଜନାର ଭଲ ଦିଗ ଗୁଡିକୁ ଛାଡିଗଲେ ।

ସେହିଭଳି ପିଏମ କିଷାନ ସମ୍ମାନ ନିଧି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉନଥିବାକୁ ସମାଲୋଚନା କରିଥିଲେ ମୋଦି । ହେଲେ ରାଜ୍ୟରେ ଚାଲିଛି କାଳିଆ ଯୋଜନା । ମୋଦିଙ୍କ ଯୋଜନା ଓ ନବୀନଙ୍କ ଯୋଜନା ଭିତରେ ଅନେକ ଫରକ ରହିଛି । କେନ୍ଦ୍ର ଯୋଜନାରେ ଭାଗଚାଷୀଙ୍କ ପାଇଁ ସୁବିଧା ନାହିଁ ଯାହା କାଳିଆ ଯୋଜନାରେ ଅଛି । ସେହିଭଳି ମୋଦିଙ୍କ ସ୍କିମରେ ବର୍ଷକୁ ମିଳିବାକୁ ଥିବା ସହାୟତା ରାଶି ତୁଳନାରେ ରାଜ୍ୟ ସରକାର ଦେଉଥିବା ସହାୟତା ରାଶି ଅଧିକ । ତ’ ସ୍ୱାଭାବିକ ଭାବେ କେନ୍ଦ୍ର ଯୋଜନା ତୁଳନାରେ ରାଜ୍ୟ ଯୋଜନା ବେଶ ପ୍ରଭାବୀ ବୋଲି ସମସ୍ତେ ଅନୁଭବ କରିଛନ୍ତି ।

ଗୋଟିଏ ରାଜନୈତିକ ଦଳର ନେତା ଭାବେ ନିର୍ବାଚନ ବୈତରଣୀ ପାର ହେବାକୁ ନିଜ ସ୍କିମକୁ ଭଲ ବୋଲି କୁହାଯାଇପାରେ । ହେଲେ ମୋଦି ଯେତେବେଳେ ବିରୋଧୀଙ୍କ ବିଫଳତାର ଦ୍ୱାହି ଦେଇ ଭୋଟ ରାଜନୀତିରେ ଆଗୁଆ ରହିବାକୁ ଚାହୁଁଛନ୍ତି, ଠିକ ସେତିକି ବେଳେ ସରକାରର ମଧ୍ୟ ସମୀକ୍ଷା ହେବା ଆବଶ୍ୟକ, ଯାହାକୁ ଆଧାର କରି ୨୦୧୯ରେ ମତଦାନ ହେବ । ଆଉ ମୋଦି ଜନତାଙ୍କ ସାମ୍ନାରେ ନିଜ ରିପୋର୍ଟ କାର୍ଡ ମଧ୍ୟ ରଖିବା ଦରକାର ।