ପାକିସ୍ତାନକୁ ଛାଡି ସବୁ ପଡୋଶୀ ରାଷ୍ଟ୍ରକୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୋଦି । ଇମ୍ରାନ୍ ଖାନଙ୍କୁ କଲେନି ଫୋନ୍ ।

224

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆବର୍ଷ ଉପଲକ୍ଷେ ଭାରତର ପଡ଼ୋଶୀ ରାଷ୍ଟ୍ରମୁଖ୍ୟମାନଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫୋନ କରିନାହାନ୍ତି ।

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସେ କହିଛନ୍ତି ଯେ ଦୁଇଦେଶର ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ଉପରେ ସେ ଗୁରୁତ୍ୱ ଦେଉଛନ୍ତି । ଏହାଛଡ଼ା ସେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ, ଭୁଟାନ ରାଜା ଜିଗମେ ନାମଗ୍ୟାଲ ଓ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କୁ ଫୋନ କରିଛନ୍ତି । ପଡ଼ୋଶୀ ଦେଶମାନଙ୍କ ସହ ଭାରତ ସୁସଂପର୍କ ଚାହେଁ ବୋଲି ମୋଦୀ କହିଛନ୍ତି ।

ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୋଦୀ ଫୋନ କରିନାହାନ୍ତି । ଭାରତ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ଦୁଇଦେଶର ସଂପର୍କରେ ଅବନତି ହୋଇଛି । ବିଭିନ୍ନ ମଞ୍ଚରେ ଦୁଇଦେଶ ମୁହାଁମୁହିଁ ହୋଇଛନ୍ତି । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଭାରତ ସହ ନିଜର କୂଟନୈତିକ ସଂପର୍କକୁ ହ୍ରାସ କରିଥିଲା ।