ହକି ବିଶ୍ୱକପ ପାଇଁ ନବୀନଙ୍କ ପାଖକୁ ଛୁଟୁଛି ପ୍ରଂଶସାର ସୁଅ । ବିଶ୍ୱସ୍ତରୀୟ ଆୟୋଜନ ପାଇଁ ଟ୍ୱିଟ୍ କରି ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

1,222

କନକ ବ୍ୟୁରୋ : ସରିଯାଇଛି ହକି ବିଶ୍ୱକପ, ଏବେ ରାଜ୍ୟ ସରକାରଙ୍କୁ ଛୁଟୁଛି ପ୍ରଂଶସାର ସୁଅ । ଆଉ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନବୀନ ସରକାରଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ଟ୍ୱିଟ୍ କରି ବିଶ୍ୱବିଜେତା ବେଲଜିୟମ ଓ ରନର୍ସ ଅପ ନେଦରଲାଣ୍ଡକୁ ଶୁଭେଚ୍ଛ ଜଣାଇବା ସହ  ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ରାଜ୍ୟବାସୀ ଓ ଓଡିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ଯେଉଁଭଳି ଭାବେ ଆତିଥେୟତା ଦିଆଯାଇଛି ସେଥିପାଇଁ ମଧ୍ୟ ନବୀନ ସରକାରକୁ ପ୍ରଂଶସା କରିଛନ୍ତି ମୋଦି । ଏପରିକି ହକି ବିଶ୍ୱକପକୁ ସଫଳ କରିବା ପାଇଁ ପରିଶ୍ରମ କରିଥିବା ପ୍ରତିଟି ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।


ଅନ୍ୟ ଏକ ଟ୍ୱିଟରେ ମୋଦି ଲେଖିଛନ୍ତି, ବିଶ୍ୱକପ ହକି ଏକ ସ୍ୱତନ୍ତ୍ର ସ୍ଥାନ ନେଇ ଆସିଥିଲା । କ୍ରୀଡା ପ୍ରେମୀଙ୍କ ପାଇଁ ହକି ବିଶ୍ୱକପ ଏକ ଉପହାର ସଦୃଶ । ଏହି ବିଶ୍ୱକପରେ ବହୁତ ଭଲ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଉଭୟ ଦଳଗତ ଓ ବ୍ୟକ୍ତିଗତ ସ୍ତରରେ ଖେଳାଳି ମାନେ ଭଲ ପ୍ରଦର୍ଶନ କରିଥିଲେ । ଏପରିକି ଏହି ଟୁର୍ଣ୍ଣାମଣ୍ଟ  ଦ୍ୱାରା ହକି ଦେଶର ଲୋକଙ୍କ ପାଖରେ ବେଶ ଲୋକପ୍ରିୟତା ହାସଲ କରିଛି । ଖାସକରି ଯୁବପିଡୀ ପାଇଁ ହକି ବିଶ୍ୱକପ ଅଧିକ ଲୋକପ୍ରିୟ ହୋଇପାରିଛି ।


ନଭେମ୍ବର ୨୮ରୁ ଆରମ୍ଭ ହୋଇଥିବା ହକି ବିଶ୍ୱକପରେ ନେଦରଲାଣ୍ଡକୁ ମାତ ଦେଇ ବେଲଜିୟମ ବିଶ୍ୱବିଜେତା ହୋଇଛି । ଭାରତ କ୍ୱାର୍ଟର ଫାଇନାଲରେ ନିଜର ଅଭିଯାନ ଶେଷ କରିଥିଲେ ମଧ୍ୟ ବେଶ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଶାହାରୁଖ, ମାଧୁରୀ ଓ ଏ.ଆର. ରେହମାନ, ସଲମାନଙ୍କ ଭଳି ଷ୍ଟାର ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ସାମିଲ ହୋଇଥିଲେ ସଚିନ୍ । ଆଉ ହକି ବିଶ୍ୱକପରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ପୂର୍ବରୁ ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ନବୀନଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ।