ଓଡିଶା ଆସିବେ ମୋଦି ! କଟକରେ ବିଶାଳ ଜନସଭାର କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ।

69

ଆସନ୍ତା ୨୬ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର ସରକାରର ୪ ବର୍ଷ ପୂର୍ତ୍ତି ଅବସରରେ ମୋଦି ଓଡିଶା ଆସିବେ । କଟକରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଟକ ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀଙ୍କ ୨ ଘଣ୍ଟିିଆ କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ସୁଚନା ଦିଆଯାଇଛି । ୨୬ ତାରିଖ ଅପରାହ୍ନ ୩ ଟାରୁ ୫ଟା ଯାଏ ବିଜେପି ଆୟୋଜନ କରିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଯୋଗ ଦେବେ ବୋଲି ସୁଚନା ମିଳିଛି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି କଟକ ଡିସିପି କହିଛନ୍ତି । ବିମାନବନ୍ଦରରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରାଯିବ । କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିିପି କହିଛନ୍ତି । ତେବେ ଗତବର୍ଷ ଏପ୍ରିଲ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିଥିଲେ । ଭୁବନେଶ୍ୱରରେ ତାଙ୍କ ବିଶାଳ ରୋଡ ଶୋ ଏବଂ ଲୋକଙ୍କ ଗହଣରେ ରାସ୍ତାରେ ଚାଲି ଚାଲି ମୋଦି ମ୍ୟାଜିକର ସହିତ ବିଜେପିର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ଆସନ୍ତା ୨୬ ତାରିଖ ଦିନ ଏକ ସ୍ୱତନ୍ତ୍ର ଅବସରରେ ଓଡିଶା ଆସୁଛନ୍ତି ମୋଦି । କେନ୍ଦ୍ର ସରକାରଙ୍କ ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଆସୁଛନ୍ତି ବୋଲି ରାଜ୍ୟ ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି । ଓଡିଶାକୁ ବିକାଶ ପ୍ରୟୋଗଶାଳାର କେନ୍ଦ୍ର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ସେଥିପାଇଁ କେନ୍ଦ୍ର ସରକାରଙ୍କ ସଫଳତାର ଏହି ଉତ୍ସବ ଓଡିଶାରେ ପାଳନ ପାଇଁ ମୋଦି ମନବଳାଇଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ।