ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ! ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ପିୟୂଷ ଗୋଏଲ, ସ୍ମୃତି ଇରାନୀଙ୍କୁ ଲାଗିଲା ବଡ଼ ଝଟକା

42

କନକ ବ୍ୟୁରୋ : ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ପରିବର୍ତନ । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଥିବାରୁ ରେଳ ଓ ଶକ୍ତି ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅର୍ଥମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଜେଟଲୀ ସଂପୂର୍ଣ୍ଣ ଆରୋଗ୍ୟ ହେବା ପର୍ୟ୍ୟନ୍ତ ପିୟୁଷ ଏହି ଦାୟିତ୍ୱରେ ରହିବେ । ଅନ୍ୟପକ୍ଷରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି ।ସ୍ମୃତି ଇରାନୀଙ୍କ ଠାରୁ ଏହି ବିଭାଗ କାଢ଼ି ନେଇ ରାଜବର୍ଦ୍ଧନଙ୍କ ହାତରେ ଏହି ଦାୟିତ୍ୱ ଦିଆଯାଇଛି । ସ୍ମୃତି କେବଳ ଏବେ ବୟନଶିଳ୍ୱ ବିଭାଗର ମନ୍ତ୍ରୀପଦ ସମ୍ଭାଳିବେ ।

ଜେଟଲିଙ୍କ ଠାରୁ ଅସ୍ଥାୟୀ ରୂପେ ଅର୍ଥମନ୍ତ୍ରାଳୟର ଦାୟିତ୍ୱ କାଢ଼ି ନିଆଯିବାକୁ ରାଜନୈତିକ ପଣ୍ଡିତ ମାନେ ସାମାନ୍ୟ କଥା ଭାବୁଥିବା ବେଳେ ସ୍ମୃତି ଇରାନୀଙ୍କ ଠାରୁ ଦାୟିତ୍ୱପୂର୍ଣ୍ଣ ବିଭାଗ କାଢ଼ିନିଆଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମେ ୨୬କୁ ମୋଦି ସରକାରକୁ ଚାରିବର୍ଷ ପୂରିବାକୁ ଯାଉଛି । ଏହାପୂର୍ବରୁ ବିିଭିନ୍ନ ମନ୍ତ୍ରୀଙ୍କ କାର୍ଯ୍ୟକୁ ସମୀକ୍ଷା କରାଯାଉଛି । ଏହିକ୍ରମରେ ସ୍ମୃତିଙ୍କ କାମ ମୋଦିଙ୍କୁ ପ୍ରଭାବିତ କରିପାରିନାହିଁ । ତେଣୁ ତାଙ୍କ ହାତରୁ ମନ୍ତ୍ରୀପଦ ଯାଇଥିବା ନେଇ ଚର୍ଚ୍ଚା ହେଉଛି । ସେହିପରି କେନ୍ଦ୍ର ପରିମଳ ଓ ପାନୀୟ ଜଳ ରାଷ୍ଟ୍ରମନ୍ତ୍ରୀ ଏସଏସ ଆଲୁଓ୍ଵାଲିଆଙ୍କୁ ସୂଚନା ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।