ତୃତୀୟ ଥର ପାଇଁ ହେଲା ମୋଦି ମନ୍ତ୍ରିମଣ୍ଡଳ ଅଦଳବଦଳ ! ଆସନ୍ତୁ ଜାଣିବା କେଉଁ ମନ୍ତ୍ରୀଙ୍କ ଭାଗ୍ୟ ଚମକିଲା ଆଉ କାହାକୁ କ୍ଷତି ସହିବାକୁ ପଡ଼ିଲା

77

କନକ ବ୍ୟୁରୋ : ସଂପ୍ରସାରିତ ହେଲା ମୋଦି ମନ୍ତ୍ରିମଣ୍ଡଳ । ରବିବାର ଦିନ ମୋଦି ମନ୍ତ୍ରିମଣ୍ଡଳରେ ବିସ୍ତାର ହୋଇଛି । ୧୩ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତିି । ଏଥିରୁ ୪ ଜଣ କ୍ୟାବିନେଟ ଓ ୯ ଜଣ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ୪ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଓ ମୁଖତାର ଅବାସ ନକବୀଙ୍କ ପଦନ୍ନୋତି ହୋଇଛି । ମୋଦି ସରକାର ତୃତୀୟ ଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଳଦ କରିଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳରେ କିଛି ମନ୍ତ୍ରୀଙ୍କୁ ବିଭାଗ ଛଡ଼ାଇ ନିଆଛି ତ ଆଉ କିଛି ମନ୍ତ୍ରୀଙ୍କୁ ଅତିରିକ୍ତ ଭାର ଦେଇ ଦିଆଯାଇଛି ।

ତେବେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଜେଡିୟୁ ଓ ଏଆଇଏଡ଼ିଏମକେକୁ କୌଣସି ପଦ ନମଳିବାରୁ ରାଜନୀତି ସରଗରମ ହୋଇଉଠିଛି । ରାଜନୀତି ମହଲ ଠାରୁ ଆରମ୍ଭ କରି ବିଭିନ୍ନ ଟିଭି ଚ୍ୟାନେଲର ଷ୍ଟୁଡ଼ିଓରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏହି ଅଦଳବଦରେ ଜନତା ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । କିଛି ନେତାଙ୍କ ନାମ ନେଇ ମୋଦି କ୍ୟାବିନେଟରେ ସାମିଲ କରିବା ପାଇଁ ସୋସିଆଲ ମିଡ଼ିଆରେ ଜନତା ଦାବି କରୁଥିବା ସୂଚନା ମିଳିଛି । ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ କେଁଉ କେଉଁ ମନ୍ତ୍ରୀ ଲାଭରେ ଅଛି ଆଉ କିଏ କିଏ କ୍ଷତିରେ ଅଛନ୍ତି ଆସନ୍ତୁ ଜାଣିବା –

ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ କେଉଁ କେଉଁ ମନ୍ତ୍ରୀ ଲାଭରେ ଅଛନ୍ତି ?

ନିର୍ମଳା ସୀତାରମଣ :

nirmalasitharaman759ଇନ୍ଦିରା ଗାନ୍ଧୀଙ୍କ ପରେ ନିର୍ମଳା ସୀତାରମଣ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ରକ୍ଷାମନ୍ତ୍ରୀ ହୋଇଛନ୍ତିି । ଏହା ପୂର୍ବରୁ ଇନ୍ଦିରା ଗାନ୍ଧୀ ୨ ଥର ୧୯୭୫ ଓ ୧୯୮୦-୮୨ ରେ ମଧ୍ୟ ଏହି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିିଲେ । କିନ୍ତୁ ସେ ପୂର୍ଣ୍ଣକାଳୀଳ ରକ୍ଷାମନ୍ତ୍ରୀ ନଥିିଲେ । ଶପଥ ନେଇଥିବା ୧୩ ମନ୍ତ୍ରୀଙ୍କ ମଧ୍ୟରେ ନିର୍ମଳା ସୀତାରମଣ ଏକୁଟିଆ ମହିଳା । ମନ୍ତ୍ରିମଣ୍ଡଳ ଅଦଳବଦଳରେ ନିର୍ମଳା ସୀତାରମଣ ସବୁଠାରୁ ଅଧିକ ଲାଭ ପାଇଛନ୍ତି । ସେ ବାଣିଜ୍ୟ ମନ୍ତ୍ରାଳୟ ରାଜ୍ୟମନ୍ତ୍ରୀ ପଦରୁ ସିଧା ରକ୍ଷାମନ୍ତ୍ରୀ ପଦ ପାଇଛନ୍ତି ।

ନିତିନ ଗଡ଼କରୀ :

nitini ପୁରୁଣା କ୍ୟାବିନେଟ ମନ୍ତ୍ରୀ ମଧ୍ୟରୁ ନିତିନ ଗଡ଼କରୀ ମଧ୍ୟ ଏହି ଅଦଳବଦଳ ଯୋଗୁଁ ଲାଭରେ ଅଛନ୍ତିି । ସଡ଼କ ପରିବହନ ବ୍ୟତୀତ ଏବେ ନଦୀ ବିକାଶ ଓ ଗଙ୍ଗା କାର୍ୟ୍ୟାଳୟ ଦାୟିତ୍ୱ ତାଙ୍କୁ ମିଳିଛି । ଏପର୍ୟ୍ୟନ୍ତ ଏହି ମନ୍ତ୍ରାଳୟର ଦାୟିତ୍ୱ ଉମା ଭାରତୀଙ୍କ ଉପରେ ନ୍ୟସ୍ତ ଥିଲା । ଗଙ୍ଗାର ସଫେଇ ନେଇ ୨୦୧୪ ନିର୍ବାଚନ ସମୟରେ ମୋଦି ଜୋରସୋରରେ ପ୍ରଚାର ଓ ପ୍ରସାର କରିଥିଲେ । ପରେ ଏଥିପାଇଁ ଅଲଗା ମନ୍ତ୍ରାଳୟ ମଧ୍ୟ ତିଆରି କରାଯାଇଥିଲା । ଗଙ୍ଗା ସଫେଇର ଦାୟିତ୍ୱ ଏବେ ଗଡକରୀଙ୍କୁ ଅର୍ପଣ କରାଯାଇଛି ।

ଧର୍ମେନ୍ଦ୍ର ପ୍ରଧାନ :

dharmendra pradhanକ୍ୟାବିନେଟ ଅଦଳବଦଳ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଭଲ କାମ ପାଇଁ ଉପହାର ମିଳିଛି । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ବ୍ୟତୀତ ତାଙ୍କୁ କୌଶଳ ବିକାଶ ଓ ଉଦ୍ୟୋଗ ବିଭାଗ ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ରଙ୍କୁ ଙ୍କୁ ତାଙ୍କ କାମ ପାଇଁ ପଦନ୍ନୋତି ମିଳିଛି । ସବସିଡ଼ିକୁ ଜମା ଖାତାରେ ସିଧାହସ୍ତାନ୍ତରିତ କରିବା ପାଇଁ ପ୍ରଥମ ଥର ପାଇଁ ସ୍ୱର ଉଠାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଯାହା ଦ୍ୱାରା ନକଲି କନେକ୍ସନ ରୋକିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ଧର୍ମେନ୍ଦ୍ରଙ୍କ ଏହି ପଦକ୍ଷେପ ଯୋଗୁଁ ସରକାରଙ୍କ ୨୧, ୦୦୦ କୋଟି ଟଙ୍କା ବଞ୍ଚିଗଲା । ଧୀରେ ଧୀରେ ପେଟ୍ରାଲିୟ୍ରମ ମନ୍ତ୍ରୀଙ୍କ ଏହି ଯୋଜନା କେନ୍ଦ୍ର ସରକାରଙ୍କୁ ବହୁତ ପସନ୍ଦ ଆସିଥିଲା । ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଗତ ୩ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି ।

ପୀୟୁଷ ଗୋୟଲ :

Piyush-Goyalମୋଦି କ୍ୟାବିିନଟରେ ପୀୟୁଷ ଗୋୟଲଙ୍କର ମଧ୍ୟ ପଦନ୍ନୋତି ହୋଇଛି । ସୁରେଶ ପ୍ରଭୁ ରେଳ ମନ୍ତ୍ରାଳୟ ଛାଡ଼ିବା ପରେ ପୀୟୁଷ ଗୋୟଲଙ୍କୁ ରେଳ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ପୀୟୁଷ ଗୋୟଲଙ୍କ ପାଖରେ କୋୟଲା ମନ୍ତ୍ରାଳୟ ଦାୟିତ୍ୱ ମଧ୍ୟ ରହିବ । ଏହା ପୂର୍ବରୁ ତାଙ୍କ ଉପରେ ଶକ୍ତି ମନ୍ତ୍ରାଳୟର ଦାୟିତ୍ୱ ଥିଲା । ଶକ୍ତି ମନ୍ତ୍ରାଳୟରେ ତାଙ୍କର କାମକୁ ନଜରରେ ଦେଖି ରେଳ ମନ୍ତ୍ରାଳୟ ପରି ଗରୁରତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦିଆଯାଇଛି ।

ରାଜ୍ୟବର୍ଦ୍ଧନ ସିଂ ରାଠୋର :

ସୂଚନା ଓ ପ୍ରସାରଣ ରାଜ୍ୟମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ମଧ୍ୟ ଅଦଳବଦଳ ଯୋଗୁଁ ଲାଭରେ ଅଛନ୍ତି । ତାଙ୍କୁ ଖେଳ ମନ୍ତ୍ରାଳୟର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ସେ ସୂଚନା ପ୍ରସାରଣ ମନ୍ତ୍ରାଳୟର ଦାୟିତ୍ୱ ମଧ୍ୟ ସମ୍ଭାଳିବେ । ସେ ନିଜେ ଜଣେ କ୍ରିଡାବିତ ହୋଇଥିବାରୁ ତାଙ୍କୁ ଏହି ଦାୟିତ୍ତ୍ୱ ଦିଆଯାଇଥିବା କୁହାଯାଉଛି ।

ମୁଖତାର ଆବାସ ନକବୀ : ଅଟଳ ବିହାରୀ ବାଜପେୟୀ ସରକାରରେ ସୂଚନା ପ୍ରସାରଣ ମନ୍ତ୍ରୀ ଥିବା ନକଭୀ ମୋଦି କ୍ୟାବିନେଟରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ଏବେ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱ ତାଙ୍କୁ ଅର୍ପଣ କରାଯାଇଛି ।

ଏହି ଅଦଳବଦଳରେ କାହାକୁ କ୍ଷତି ପହଞ୍ଚିଛି –

ସୁୁରେଶ ପ୍ରଭୁ : ଏହି ଅଦଳବଦଳ ଯୋଗୁଁ ସୁରେଶ ପ୍ରଭୁଙ୍କୁ ସବୁଠୁ ଅଧିକ କ୍ଷତି ହୋଇଛି । ନିକଟରେ ହୋଇଥିବା ରେଳ ଦୁର୍ଘଟଣା ଯୋଗୁଁ ସେ ନିଜର ରେଳ ମନ୍ତ୍ରାଳୟ ଦାୟିତ୍ୱକୁ ହରାଇଛନ୍ତି । ଏତେ ତାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟର ଦାୟିତ୍ୱ ମିଳିଛି । ଯାହାକୁ ଏପଯ୍ୟନ୍ତ ନିର୍ମଳ ସୀତାରମଣ ରାଜ୍ୟ ମନ୍ତ୍ରୀ ରୂପେ ସମ୍ଭାଳୁଥିଲେ ।

ଉମା ଭାରତୀ : ଉମା ଭାରତୀଙ୍କ ଠାରୁ ଜଳ ସଂପଦ, ନଦୀ ବିକାଶ ଓ ଗଂଗା ସଫେଇ ମନ୍ତ୍ରାଳୟ କାଢ଼ି ନିଆଯାଇଛି । ତାଙ୍କୁ ଏବେ ପରିମଳ ଓ ପାନୀୟ ଜଳ ବିଭାଗ ଦିଆଯାଇଛି । ଉମା ଭାରତୀ ଶପଥ ଗ୍ରହଣ ସମାରୋହରେ ମଧ୍ୟ ଭାଗ ନେଇ ନଥିଲେ ।

ବିଜୟ ଗୋୟଲ : ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ପରେ ଗୋୟଲଙ୍କୁ ଖେଳ ମନ୍ତ୍ର।ଳୟ ପରିବର୍ତ୍ତେ ସଂସଦୀୟ କାର୍ୟ୍ୟ ରାଜ୍ୟ ମନ୍ତ୍ରୀର ଦାୟିତ୍ୱ ନିଆଯାଇଛି ।

ନଅ ଜଣ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ବିଭିନ୍ନ ରାଜ୍ୟରେ ନିର୍ବାଚନ ଆଗକୁ ଥିବା ବେଳେ ସାଙ୍ଗଠାନିକ ଦୃଷ୍ଟିରୁ ଏହି ୯ଜଣଙ୍କୁ ନିଜ ସହ ନେଇଛନ୍ତି ମୋଦି ।

ଶିବ ପ୍ରତାପ ଶୁକ୍ଳା : ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଇଥିଲେ ଶିବ ପ୍ରତାପ ଶୁକ୍ଳା । ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ଥିବା ଶିବପ୍ରତାପ ଗ୍ରାମୀଣ ବିକାଶରେ ପାରଦର୍ଶିତା ଦେଖାଇଛନ୍ତି । ୟୁପିରେ ଅନେକ ଦିନ ଧରି ମନ୍ତ୍ରୀ ଥିଲେ ସେ । କ୍ୟାବିନେଟରେ ନୂଆ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ଶିବ । କୁହାଯାଉଛି କଲରାଜ ମିଶ୍ରଙ୍କ ସ୍ଥାନରେ ଜଣେ ବ୍ରାହ୍ମଣଙ୍କ ଆବଶ୍ୟକତାକୁ ପୁରଣ କରିଛନ୍ତି ସେ ।

ଅଶ୍ୱିନୀ କୁମାର ଚୌବେ : ଅନ୍ୟପଟେ ଅଶ୍ୱିନୀ କୁମାର ଚୌବେ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଘରେ ଘରେ ଶୌଚାଳୟ ତିଆରି କରିବା ପାଇଁ ତାଙ୍କର ଅବଦାନ ରହିଛି । ସେ ବିହାର ବକ୍ସରରୁ ସାଂସଦ ଥିିବା ବେଳେ ମହାଦଳିତଙ୍କ ପାଇଁ ୧୧ ହଜାର ନିର୍ମାଣ କରିବାରେ ସହାୟତା କରିବାରେ ମୋଦି ଖୁସି ଥିଲେ ତାଙ୍କ ଉପରେ । ଜରୁରୀକାଳୀନ ସମୟରେ ମଧ୍ୟ ଅଶ୍ୱିନୀ ଜେଲ ଯାଇଥିଲେ ।

ଡାଃ ବିରେନ୍ଦ୍ରକୁମାର : ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡାଃ ବିରେନ୍ଦ୍ରକୁମାର । ଦଳିତଙ୍କ ଉନ୍ନତି ପାଇଁ ତାଙ୍କର ମୁହିମ ରହିଛି । ଜାତିବାଦ ବିରୁଦ୍ଧରେ ତାଙ୍କର ଲଢ଼େଇ ପାଇଁ ସେ ଜଣାଶୁଣା । ମଧ୍ୟପ୍ରଦେଶ ଟିକମଗଢ଼ରୁ ସାଂସଦ ଥିବା ବିରେନ୍ଦ୍ର କୁମାର ଇକୋନୋମିକ୍ସ ରେ ଏମଏ, ଚାଇଲ୍ଡ ଲେବରରେ ପିଏଚଡି କରିଛନ୍ତି ।

ଅନନ୍ତ କୁମାର ହେଗଡେ : ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନନ୍ତ କୁମାର ହେଗଡେ । କର୍ଣ୍ଣାଟକର ଉତ୍ତର କନ୍ନଡରୁ ସେ ଲୋକସଭା ସାଂସଦ ରହିଛନ୍ତି । ଗ୍ରାମୀଣ ବିକାଶରେ ତାଙ୍କର ବେଶ ଅଭିଜ୍ଞତା ରହିଛି । ୫ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନନ୍ତ ୧୯୯୬ରେ କଂଗ୍ରେସକୁ ହରାଇଥିଲେ । ମାତ୍ର ୨୬ବର୍ଷ ବୟସରେ ସେ ସାଂସଦ ହୋଇଥିଲେ ୧୯୯୬ରେ । ଉତ୍ତରକନ୍ନଡରେ ବିଜେପି ଗଡକୁ ଅକ୍ଷୁର୍ଣ୍ଣ ରଖିବା ତାଙ୍କର ଦାୟିତ୍ୱ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ରାଜକୁମାର ସିଂ : ନୂଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜକୁମାର ସିଂ । ସେ ୧୯୭୫ ବ୍ୟାଚର ବିହାର କ୍ୟାଡର ଆଏଏସ । ବିହାର ଆରାରୁ ସାଂସଦ ରହିଥିବା ବେଳେ ମନମୋହନ ସିଂ ସରକାରରେ ଗୃହ ସଚିବ ରହିଥିଲେ ରାଜକୁମାର । ସମସ୍ତିପୁରରେ ଆଡଭାଣୀଙ୍କୁ ଗିରଫ ସେ ଚର୍ଚ୍ଚାକୁ ଆସିଥିଲେ ।

ହରଦୀପ ସିଂ ପୁରୀ : ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହରଦୀପ ସିଂ ପୁରୀ । ସେ ପୂର୍ବରୁ ସଂଯୁକ୍ତ ରାଷ୍ଟ୍ରରେ ରାଷ୍ଟ୍ରଦୂତ ଥିଲେ । ବ୍ରାଜିଲ ଓ ବ୍ରିଟେନରେ ରାଷ୍ଟ୍ରଦୂତ ଭାବେ ତାଙ୍କର ଅଭିଜ୍ଞତା ରହିଛି । ବିଦେଶ ନିତୀ ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ ମଧ୍ୟ ଅଭିଜ୍ଞତା ରହିଛି । ଆଡଭାଣି ଓ ଜେଟଲୀଙ୍କ ନିକଟତମ ଭାବେ ଜଣାଶୁଣା ହରଦୀପ ପୁରୀ ଏବେ ସାଂସଦ ନାହାଁନ୍ତି । ତେଣୁ ଆଗାମୀ ୬ମାସ ମଧ୍ୟରେ ତାଙ୍କୁ ସଂସଦକୁ ନିର୍ବାଚିତ ହେବାକୁ ପଡିବ । ଆଗାମୀ ଦିନରେ କିଛି ରାଜ୍ୟସଭା ପଦ ଖାଲି ହେଉଥିବାରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇପାରନ୍ତିି ।

ଗଜେନ୍ଦ୍ର ସିଂହ ଶିଖାୱତ : ନୂଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗଜେନ୍ଦ୍ର ସିଂହ ଶିଖାୱତ । ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ଗଜେନ୍ଦ୍ର ରାଜସ୍ଥାନ ଯୋଦପୁରରୁ ସାଂସଦ ରହିଛନ୍ତି । ସଂସଦର ସ୍ଥାୟୀ ସମିତିର ସଦସ୍ୟ ଭାବେ ତାଙ୍କର ଅଭିଜ୍ଞତା ରହିଛି । ସିଧାସାଦା ଜୀବନ ଜିଇଁବା ପାଇଁ ସେ ବେଶ ପରିଚିତ ।

ସତ୍ୟପାଲ ସିଂ : ସତ୍ୟପାଲ ସିଂ ମଧ୍ୟ ନୂଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉତ୍ତର ପ୍ରଦେଶ ବାଗପାଟରୁ ସାଂସଦ ଥିବା ସତ୍ୟପାଲ ପୂର୍ବରୁ ମୁମ୍ବାଇ ପୁଲିସ କମିଶନର ଥିଲେ । ଏପରିକି ପୁନେ ଓ ନାଗପୁରରେ ବି ପୁଲିସ କମିଶନର ଥିଲେ ସେ । ତେବେ ମୋଦି ଲହରରେ ପ୍ରଥମ ସାଂସଦ ଭାବେ ସଂସଦକୁ ନିର୍ବାଚିତ ହୋଇଛନ୍ତି ସତ୍ୟପାଲ । ସେ ୧୯୮୦ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ ।

ଅଲଫୋସ କନ୍ନାଥନନ : ମୋଦି କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତିି ଅଲଫୋସ କନ୍ନାଥନନ । ସାଂସଦ ନୁହଁନ୍ତିି ତଥାପି ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।୧୯୭୯ ବ୍ୟାଚର କେରଳ କ୍ୟାଡର ଏହି ଆଏଏସଙ୍କର ଦିଲ୍ଲୀର ବିକାଶରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ସେ ଦିଲ୍ଲୀ ବିକାଶ ପ୍ରାଧିକରଣର ପୁବତର୍ନ ଅଧ୍ୟକ୍ଷ ଥିଲେ । ହରଦୀପ ସିଂ ପୁରୀଙ୍କ ଭଳି ଅଲଫୋସଙ୍କ ମଧ୍ୟ ଆଗାମୀ ୬ମାସ ମଧ୍ୟରେ ସଂସଦକୁ ନିର୍ବାଚିତ ହେବାକୁ ପଡିବ ।

କ୍ୟାବିନେଟରେ ୟୁପି ଓ ବିହାରକୁ ଗୁରୁତ୍ୱ ଦିଆଯାଇଛି । ବିହାରର ଆରାରୁ ଆରକେ ସିଂ ଓ ବକ୍ସରରୁ ଅଶ୍ୱିନୀ ଚୌବେ ମନ୍ତ୍ରୀ ହୋଇଛନ୍ତି । ସେହିପରି ୟୁପିରୁ ସତ୍ୟପାଲ ସିଂ, ଶିବପ୍ରତାପ ଶୁକ୍ଳା ବି କ୍ୟାବିନେଟରେ ସାମିଲ ହୋଇଛନ୍ତିି । କ୍ୟାବିନେଟ ଅଦଳବଦଳରେ ସବୁ ରାଜ୍ୟକୁ ନଜରରେ ରଖାଯାଇଥିବା ଦେଖାଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, କେରଳ ଓ ଦିଲ୍ଲୀରୁ ଜଣେ ଜଣେ ସାମିଲ ହୋଇଛନ୍ତି । ତେବେ ଏହି କ୍ୟାବିନେଟ ବିସ୍ତାରେ ସ୍ଥାନ ପାଇଥିବା ୯ଜଣ ନୁଆ ମୁହଁ ମଧ୍ୟରୁ ୪ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ।