ନବୀନଙ୍କ ପରେ ଚାଷୀଙ୍କ ପାଇଁ ଖୁସିଖବର ଆଣିଲେ ମୋଦି ! ବଢିଲା ପିଏମ୍ କିଷାନ ଯୋଜନାର ପରିସର, ୧୫ କୋଟି କୃଷକଙ୍କୁ ମିଳିବ ସୁବିଧା ।

3,308

କନକ ବ୍ୟୁରୋ : ନବୀନଙ୍କୁ ଅନୁକରଣ କଲେ ମୋଦି । କାଳିଆ ଯୋଜନାରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଖୁସି ଆଣିଦେଇଥିବା ବେଳେ ଏବେ କୃଷକଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମୋଦି । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ସାରା ଦେଶର କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାର ପରିସର ବଢାଇଛନ୍ତି ଗତକାଲି ନୂଆ କରି ଶପଥ ନେଇଥିବା ମୋଦି ସରକାର । ଆଉ ଏହି ଯୋଜନାର ପରିସର ବଢିବା ଦ୍ୱାରା ଦେଶର ୧୫ କୋଟି କୃଷକଙ୍କୁ ଏହାର ସୁବିଧା ମିଳିପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ ଆରମ୍ଭରୁ ଚାଷୀଙ୍କ ପାଇଁ ଆସିଛି ବଡ ଖବର । ପ୍ରଥମ କ୍ୟାବିନେଟ୍ ବୈଠକରେ ଦେଶର ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ଯୋଜନାର ପରିସର ବୃଦ୍ଧି ପ୍ରସ୍ତାବରେ ମୋହିର ବାଜିଛି । ପୂର୍ବରୁ ପିଏମ୍ କିଷାନ ଯୋଜନାରେ ୧୨ କୋଟି କୃଷକ ପରିସରଭୁକ୍ତ ଥିଲେ । କିନ୍ତୁ ଏବେ ଏହାର ପରିସର ବଢିବ ବୋଲି ଜଣାପଡିଛି । ସେହିପରି ପିଏମ୍ କିଷାନ ଯୋଜନାରେ ଥିବା ୫ ହେକ୍ଟର ଜମିର ସର୍ତକୁ ମଧ୍ୟ ହଟାଇ ଦିଆଯାଇଛି । ଏଣିକି ସମସ୍ତ ଚାଷୀ ଏହାର ଲାଭ ପାଇପାରିବେ । କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିବ । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି, ସଂଗଠିତ ଶ୍ରମିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନସନ୍ ଦିଆଯିବା ନେଇ ମଧ୍ୟ ଆଜି କ୍ୟାବିନେଟରେ ନିଷ୍ପତି ହୋଇଛି ।