ମନ୍ତ୍ରୀଙ୍କୁ ଭେଟିଲେ ଶାହା ! ଜେଟଲୀ ଜାଳିଲେ ଅଦଳବଦଳ ବତୀ

89

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ଯେ କୌଣସି ସମୟରେ ହୋଇପାରେ ପରିବର୍ତ୍ତନ । ବିଦା ହୋଇପାରନ୍ତି ପୁରୁଣା ନେତା । ଦିଶିପାରେ ନୂଆମୁହଁ । ପୁଣି ପୁରୁଖାଙ୍କୁ ମିଳିପାରେ ସଙ୍ଗଠନ ଦାୟିତ୍ୱ । କିଏ ପାଇବ ନୂଆ ଦାୟିତ୍ୱ କିଏ ହରାଇବ ନିଜ ଚୌକି, ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥିବା ଗଣମାଧ୍ୟମକୁ ଆଜି ଜେଟଲୀ ଦେଇଛନ୍ତି ସବୁଜ ସଙ୍କେତ । କହୁକହୁ କହିଛନ୍ତି ପ୍ରତିରକ୍ଷା ବିଭାଗ ମୋ ପାଖରେ ବେଶୀଦିନ ନୁହେଁ । ମାନେ ପରୋକ୍ଷରେ ମୋଦି କ୍ୟାବିନେଟ ଅଦଳବଦଳ ନେଇ ଇଙ୍ଗିତ ଦେଇ ମିଂଜି ମିଂଜି ହୋଇ ଜଳୁଥିବା ବତୀକୁ ଜାଳିଛନ୍ତି ।

ସେପଟେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ଏହି ବୈଠକରେ ଆଗକୁ ଆସୁଥିବା ଗୁଜୁରାଟ ନିର୍ବାଚନ ଆଳରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଆଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗୁଜୁରାଟ ନିର୍ବାଚନ ପାଇଁ ଦଳୀୟ ଦାୟିତ୍ୱରେ ରହିଛନ୍ତି ଜେଟଲୀ । ଅର୍ଥ ଓ ପ୍ରତିରକ୍ଷା ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦରେ ରହିଥିବା ଜେଟଲୀଙ୍କ ଠାରୁ ଏହି ଦାୟିତ୍ୱ ହଟାଇ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୁଜୁରାଟ ନିର୍ବାଚନରେ ଦଳକୁ କ୍ଷମତାକୁ ଆଣିବା ପାଇଁ ଜେଟଲୀଙ୍କୁ ସଙ୍ଗଠନ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଗୋଆ ମୁଖ୍ୟମନ୍ତ୍ରୀ ହେବା ପରେ ମାର୍ଚ୍ଚ ୧୪ ଠାରୁ ଜେଟଲୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି । ଏବେ ଡୋକଲାମରେ ମୁହାଁମୁହିଁ ସ୍ଥିତି ଥିବା ବେଳେ ଜେଟଲୀଙ୍କୁ ସାଙ୍ଗଠାନିକ ଦାୟିତ୍ୱ ଦେଇ ତାଙ୍କ ସ୍ଥାନରେ ଆଉ କାହାକୁ ରିପ୍ରେଜେଣ୍ଟ କରାଯାଇପାରେ । ଜେଟଲୀ ଯଦିଓ ମୋଦି ଓ ଶାହଙ୍କ ଗୁଡବୁକରେ ରହିଛନ୍ତି ତଥାପି ସବୁ ଆଡକୁ ନଜର ରଖି ପିୟୁଷ ଗୋଏଲଙ୍କୁ ଏହି ବିଭାଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ବିଭାଗ ତାଙ୍କ ପାଖରେ ଆଉ କିଛିଦିନ ରହିପାରେ ବୋଲି କହିବା ପରେ କ୍ୟାବିନେଟ ପରିବର୍ତ୍ତନ ବତୀ ପୁଣି ଜଳିଛି । ୨୦୧୯ ନିର୍ବାଚନ ପାଇଁ ସାଙ୍ଗଠାନିକ ସ୍ଥିତିରେ ସୁଧାର ଆଣିବାକୁ ଚାହୁଁଛନ୍ତି ମୋଦି । ତେଣୁ ରବିବାର ବ୍ରିକ୍ସ ସମ୍ମିଳନୀ ପାଇଁ ଚାଇନା ଗସ୍ତରେ ଯିବା ପୂର୍ବରୁ ନିଜ କ୍ୟାବିନେଟରେ ସେ ପରିବର୍ତ୍ତନ ଆଣିବା ପାଇଁ ଚାହିଁଥିବା କୁହାଯାଉଛି ।

ମିଳିଥିବା ତଥ୍ୟ ଅନୁସାରେ ଏଥର ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେଲେ ଫାଇଦାରେ ରହିପାରନ୍ତି ଉଭୟ ଜେଡି-ୟୁ ଓ ଏଆଇଏଡିଏମକେ । ବିହାର ରାଜନୀତିରେ ଟୁଇଷ୍ଟ ଆଣି ମୋଦିଙ୍କ ସହ ହାତ ମିଳାଇଥିବା ନୀତିଶଙ୍କୁ ସନ୍ତୁଷ୍ଟ କରିବେ ମୋଦି । ସେହିପରି ଏଆଇଏଡିଏମକେର ଚିତ୍ର ବଦଳିବା ପଛରେ ବି ବିଜେପିର ରଣନୀତି ରହିଛି । ଦକ୍ଷିଣ ଭାରତରେ ବିଜେପି ନିଜର ଦବଦବା ଦେଖାଇବାକୁ ହେଲେ ମୋଦି କ୍ୟାବିନେଟରେ କିଛି ଦକ୍ଷିଣ ଭାରତୀୟ ସାଂସଦ ବି ସ୍ଥାନ ପାଇବେ ।

ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଏଥର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଦେଖିବାକୁ ମିଳିପାରେ । ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ କରି ପିଡବ୍ଲୁଡି ମନ୍ତ୍ରୀ ମନ୍ତ୍ରୀ ଥିବା ଚନ୍ଦ୍ରକାନ୍ତ ପାଟିଲଙ୍କୁ ରାଜ୍ୟଭାର ଦେଇ ଦିଲ୍ଲୀକୁ ଆସି ପାରନ୍ତି ଦେବେନ୍ଦ୍ର ।

ସେପଟେ ଯଦି ଶରଦ ପାୱାର ଏନଡିଏରେ ସାମିଲ ହୁଅନ୍ତି ତାଙ୍କୁ ମଧ୍ୟ ମନ୍ତ୍ରୀପଦ ଦେଇ ପୁରସ୍କୃତ କରିପାରନ୍ତି ମୋଦି । ଖାଲି ସେତିକି ନୁହେଁ, ସଂସଦରେ ବେଶ ଆକ୍ଟିଭ ଏମପି ଭାବେ ଜଣାଶୁଣା ଶରଦଙ୍କ ଝିଅ ସୁପ୍ରିୟାଙ୍କୁ ବି ମିଳିପାରେ ମନ୍ତ୍ରୀପଦ । ତେବେ ଶରଦ ଏବେବି ଏନସିପିରେ ଥିବା ବେଳେ ଏନଡିଏରେ ମିଶିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ସୋମବାର ପ୍ରଫୁଲ ପାଟିଲଙ୍କ ଟୁଇଟ ପରେ ଏନେଇ କୌଣସି ଅଧିକ ଆଲୋଚନା ଶୁଣିବାକୁ ମିଳୁନାହିଁ ।

କଲରାଜ ମିଶ୍ରଙ୍କୁ ବୟସାଧିକ କାରଣରୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶକ୍ତିମନ୍ତ୍ରୀ ପିୟୁସ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରମନ୍ତ୍ରୀ ପାହ୍ୟା ଦିଆଯାଇପାରେ । ଉଭୟ ସାଂଗଠାନିକ ଓ ବିଭାଗୀୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଏହି ଦୁଇନେତାଙ୍କୁ କ୍ୟାବିନେଟ ରାଙ୍କ ମିଳିପାରେ ବୋଲି ଆଲୋଚନା ହେଉଛି ।

ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ନେଇ ଏବେବି ସସପେନ୍ସ ଲାଗି ରହିଛି । ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଏହି ବରିଷ୍ଠ ନେତାଙ୍କୁ ରେଳ ବିଭାଗରୁ ଅପସାରଣ କରି ଅନ୍ୟକୌଣସି ବିଭାଗ ଦିଆଯାଇପାରେ । ତିନି ବର୍ଷର ମନ୍ତ୍ରୀତ୍ୱ ସମୟରେ ବିଭିନ୍ନ ପଦକ୍ଷେପ ପାଇଁ ମୋଦିଙ୍କ ବିଶ୍ୱାସ ଜିତିଥିବା ପ୍ରଭୂଙ୍କୁ ମନ୍ତ୍ରୀମଣ୍ଡଳରୁ ସଂପୁର୍ଣ୍ଣ କଢ଼ା ଯାଇ ନପାରେ । କେବଳ ବିଭାଗ ଅଦଳ ବଦଳ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ରେଳ, ସଡକ ପରିବହନ ଓ ଯାହାଜ ପରିଚାଳନା ବିଭାଗକୁ ମିଶାଇ ମୋଦିଙ୍କ ଡ୍ରିମ ପୋଜେକ୍ଟ ଭାବେ ଏକ ବଡ ବିଭାଗ ଗଠନ କରାଯାଇପାରେ । ଯାହାର ଦାୟିତ୍ୱରେ ନୀତିନ ଗଡକାରୀ ରହିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେମିତି ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କୁ ମଧ୍ୟ ରେଳ ବିଭାଗ ଦିଆଯାଇପାରେ ବୋଲି ବି ଆଲୋଚନା ହେଉଛି ।

ଯଦିଓ ନିଜ ବିଭାଗରେ ଜୁଏଲ ଆଖିଦୃଶିଆ କାମ କରିଛନ୍ତି ତଥାପି ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଅର୍ଥାତ୍ ଆଦିବାସୀ ଜନଜାତିଙ୍କ ପାଇଁ ପ୍ରୋ ଆକ୍ଟିଭ ରୋଲକୁ ଆସିପାରିନାହାନ୍ତି ଜୁଏଲ । ତଥାପି ବାଜପାୟୀଙ୍କ ଅମଳରେ ପ୍ରଥମ ଥର ପାଇଁ ଗଠିତ ହୋଇଥିବା ଏହି ମନ୍ତ୍ରାଳୟରେ ଜୁଏଲଙ୍କ ଦବଦବା ରହିଛି । ଓଡିଶାରୁ ଏକମାତ୍ର ସାଂସଦ ଭାବେ ଜିତିଥିବାରୁ ତାଙ୍କ ବାବଦରେ ମୋଦି କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର ।

ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର ଚେହେରା । ଆଗାମୀ ନିର୍ବାଚନ ପାଇଁ ସେ ଓଡିଶାରେ ବିଜେପିର ମଙ୍ଗ ଧରିବେ । ତେବେ କଥା ହେଉଛି ଆସନ୍ତାବର୍ଷ ସରୁଛି ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ । ପେଟ୍ରୋଲିୟମ ମନ୍ତ୍ରୀ ଭାବେ ମୋଦି ସରକାରଙ୍କୁ ବେଶ ଲୋକପ୍ରିୟ କରାଇପାରିଛନ୍ତି ଏହି ଓଡିଆ ନେତା । ଖାସ କରି ଉଜ୍ଜ୍ୱଳା ଯୋଜନାରେ ଗରୀବ ମହିଳାଙ୍କ ଘରେ ଗ୍ୟାସ ପହଂଚାଇବା ଥିଲା ମୋଦି ସରକାରଙ୍କର ଏକ ବଡ ଉପଲବ୍ଧି, ଯାହାକୁ ସଫଳତାର ସହ ରୁପାୟନ କରିଥିଲେ ଧର୍ମେନ୍ଦ୍ର । ତେଣୁ ଉଭୟ ମୋଦି ଓ ଅମିତ ଶାହାଙ୍କ ବେଶ ବିଶ୍ୱସ୍ତ ଧର୍ମେନ୍ଦ୍ର । ସେହିଭଳି ପେଟ୍ରୋଲିୟମ କ୍ଷେତ୍ରରେ ପାରଦର୍ଶିତା ଆଣି ମଧ୍ୟ ଜାତୀୟ ସ୍ତରରେ ବେଶ କାଟତି ହାସଲ କରିଛନ୍ତି ଏହି କେନ୍ଦ୍ରମନ୍ତ୍ରୀ ।

ତେବେ ବଡ କଥା ହେଉଛି, ମିଶନ ୩୫୦କୁ ନେଇ କାମ କରୁଥିବା ଅମିତ ଶାହା ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଭୁମିକା ଦେବେ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, କିଛି ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଇ ସଂଗଠନ କାମରେ ଲଗାଇବାକୁ ଚିନ୍ତା କରୁଛନ୍ତି ବିଜେପିର ଚାଣକ୍ୟ । ସେ ଦୃଷ୍ଟିରୁ ହୁଏତ ଧର୍ମେନ୍ଦ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ଅବ୍ୟାହତି ଦିଆଯାଇପାରେ । କାରଣ ମିଶନ ୩୫୦ ନେଇ ଯେଉଁଦିନ ବିଜେପି ମୁଖ୍ୟାଳୟରେ ଅମିତ ଶାହା ବୈଠକ କରିଥିଲେ, ସେଥିରେ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ । ସେ ଦୃଷ୍ଟିରୁ ଏହି ଅନୁମାନ କରାଯାଉଛି । ତେବେ ଏହା କେବଳ ଏକ ଚର୍ଚ୍ଚାରେ ସୀମିତ ରହିଛି ।

ମନ୍ତ୍ରୀମଣ୍ଡର ଏହି ଅଦଳବଦଳ ଓଡିଶା ଉପରେ ପ୍ରଭାବ ରଖିବ । କାରଣ, ଧର୍ମେନ୍ଦ୍ରଙ୍କୁ ଯଦି ମନ୍ତ୍ରୀମଣ୍ଡଳରୁ ଅବ୍ୟାହତି ଦିଆଯିବ ତେବେ ହୁଏତ ରାଜ୍ୟରେ ବିଜେପିର ସାଂସଗଠନିକ ସ୍ଥିତି ଓ ବିଜେଡିର ମୁକାବିଲା କରିବାକୁ ମନୋବଳ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । କାରଣ ଏଠି ମୁଖ୍ୟମନ୍ତ୍ରୀଙ୍କୁ ବରାବର୍ ଟକ୍କର ଦେଇ ଆସୁଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଭାବେ ରାଜ୍ୟରେ ବେଶ ପ୍ରଭାବ ବିସ୍ତାର କରିଛନ୍ତି ।

ଅନୁମାନ କରାଯାଉଛି, ୨୦୧୯ ପାଇଁ ରାଜ୍ୟରେ ଧର୍ମେନ୍ଦ୍ରଙ୍କୁ ଚେହେରା ଭାବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଘୋଷଣା କରିପାରେ । ଆଉ ଏହାହେଲେ ସଂଗଠନ ଉପରେ ଅଧିକ ଧ୍ୟାନ ଦେବାକୁ ଧର୍ମେନ୍ଦ୍ରଙ୍କୁ ଓଡିିଶା ପଠାଇପାନ୍ତି ଶାହା । ନଚେତ କ୍ୟାବିନେଟ ରାଙ୍କ ଦେଇ ଆହୁରି ଶକ୍ତିଶାଳୀ କରିବା ସହ ନବୀନଙ୍କ ସାମ୍ନାରେ ଧର୍ମେନ୍ଦ୍ରଙ୍କ ଜରିଆରେ ପ୍ରାଚୀର ତିଆରି କରିବାକୁ ରଣନୀତି କରିବେ ଅମିତ । କାରଣ ଓଡିଶାରେ ୧୨୦ ଟାର୍ଗେଟ ଧରି କାମ କରୁଛନ୍ତି ଅମିତ ଶାହା ।

ଉଭୟ ମୋଦି ଏବଂ ଶାହା ବିଜେପି ଶାସିତ ରାଜ୍ୟର ମୂଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସାରିଛନ୍ତି । ଆଜି ପୁଣି ୮ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଅରୁଣ ଜେଟଲୀ ମଧ୍ୟ ଗୁଗଲୀ ଫିଙ୍ଗିଛନ୍ତି । ତେଣୁ ଖୁବଶୀଘ୍ର ଏନେଇ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିପାରେ ।