୧୫ ଦିନ ଭିତରେ ମୋଦିଙ୍କ ଦ୍ୱିତୀୟ ଓଡିଶା ଗସ୍ତ ! ବାରିପଦାରେ ୪ହଜାର ୫ଶହ କୋଟିି ଟଙ୍କା ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

ନୂଆ ସଡକପଥ, ରେଳପଥ, ଏଲପିଜି ପାଇପ୍ ଲାଇନ୍, ନୂଆ ପାସେଂଜର ଟ୍ରେନର ହେବ ଶୁଭାରମ୍ଭ

137

କନକ ବ୍ୟୁରୋ : ଆଜି ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ଦିନ ଭିତରେ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ଗସ୍ତ । ଖୋର୍ଦ୍ଧା ସଭାରେ ପୂର୍ବାପେକ୍ଷା ନରମ ଆଭିମୁଖ୍ୟ ପୋଷଣ କରିଥିବା ପ୍ରଧାନମନ୍ତ୍ରୀ ଆଜି ବାରିପଦାରେ କି ଆଭିମୁଖ୍ୟ ଦେଖାଇବେ ତାଉପରେ ସମସ୍ତଙ୍କ ନଜର ରହିଛି । ବାରିପଦା ଛଉପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତକୁ ନେଇ ଚଳଚଂଚଳ ବାରିପଦା ସହର । ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି । ଏହି ଅବସରରେ ମୋଦି ବହୁ ପ୍ରକଳ୍ପର ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୪ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ବାରିପଦାରେ ଆଜି ୪୫ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ତା ଭିତରେ ରହିଛି ନୂଆ ସଡକପଥ, ରେଳପଥ, ଏଲପିଜି ପାଇପ୍ ଲାଇନ୍, ନୂଆ ପାସେଂଜର ଟ୍ରେନ ଏବଂ ଏକ ଲଜିଷ୍ଟିକ୍ସ ପାର୍କ । ତିନିଟି ରାଜପଥ ପ୍ରକଳ୍ପର ଭୂମିପୂଜା ହେବ । ରେମୁଲି-କୋଇଡା, କୋଇଡା- ରାଜାମୁଣ୍ଡା ଓ ସିଙ୍ଗରା- ବିଂଜବାହାଳ ୪ ଲେନ୍ ବିଶିଷ୍ଟ ରାଜପଥ ପଥ ପାଇଁ ୩୩୧୮ କୋଟି ଟଙ୍କାର ପୁଂଜି ନିବେଶ ହେବ ବୋଲି ଜଣାପଡିଛି  । ମୋଦିଙ୍କ ଏହି ଗସ୍ତ ଅବସରରେ ବାଲେଶ୍ୱର- ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍ ଲାଇନ୍ ଉଦଘାଟିତ ହେବ । ଏହି ପ୍ରକଳ୍ପ ପାଇଁ ୧୦୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ସେହିପରି ୨ଟି ରେଳ ଲାଇନ ମଧ୍ୟ ଲୋକାର୍ପିତ ହେବ । ବାଲେଶ୍ୱରଠାରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ଭଦ୍ରକ, କଟକ, ଆସ୍କା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝରଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ର ଖୋଲିବ । ବାରିପଦା ଗସ୍ତ ଅବସରରେ ମୋଦି ହରିପୁରଗଡ ଠାରେ ଥିବା ରସିକରାୟ ମନ୍ଦିର ଓ ଖନନ କରାଯାଇଥିବା ଢାଂଚାର ସଂରକ୍ଷଣ ଏବଂ ବିକାଶ ପ୍ରକଳ୍ପକୁ ଉଦଘାଟନ କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି ।