ପୁଣି ପାକିସ୍ତାନକୁ ମୋଦିଙ୍କ ଟାର୍ଗେଟ ! କହିଲେ, ଏ ଲଢେଇ କାଶ୍ମୀର ପାଇଁ, କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ ।

163

କନକ ବ୍ୟୁରୋ : ଆତଙ୍କବାଦ ରହିଥିବା ଯାଏଁ ମାନବ ସମାଜ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାର ଫ୍ୟାକ୍ଟ୍ରିରେ ତାଲା ଲାଗିବା ଜରୁରୀ ବୋଲି ପରୋକ୍ଷରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଏହା ସହ ଭାରତର ଲଢେଇ କାଶ୍ମୀର ପାଇଁ, ଆତଙ୍କବାଦ ବିରୋଧରେ, କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପୁଣି ଆତଙ୍କବାଦ ବିରୋଧରେ ବର୍ଷିଲେ ମୋଦି । ପାକିସ୍ତାନକୁ କଲେ କଡା ସମାଲୋଚନା । ରାଜସ୍ଥାନର ଟୋଙ୍କରେ ଏକ ଜନସଭାରେ ଉଦବୋଧନ ଦେଇ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଯେତେବେଳେ ଯାଏଁ ଆତଙ୍କବାଦର କାରଖାନାରେ ତାଲା ନଲାଗିଛି ସେଯାଏଁ ମାନବ ସମାଜ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ମୋଦି । ଏହା ସହ ପୁଲୱାମା ଆକ୍ରମଣ ପରେ କିଭଳି ହିସାବ ନିଆଯାଉଛି ସମସ୍ତେ ଦେଖୁଛନ୍ତି ବୋଲି ସେ କହିଛନ୍ତି । 

କାଶ୍ମୀର ପାଇଁ ଏ ଲଢେଇ । କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ । ଏଭଳି ମନ୍ତବ୍ୟ ଦେଇ କାଶ୍ମୀର ପ୍ରତି ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ମୋଦି । ଆତଙ୍କବାଦ ବିରୋଧରେ ଚାଲିଥିବା ଲଢେଇ କାଶ୍ମୀର ପାଇଁ ସାରା ଦେଶରେ ଏକ ଲଢେଇ ଏବଂ ଏହା କାଶ୍ମୀରବାସୀଙ୍କ ବିରୋଧରେ ଲଢେଇ ନୁହେଁ । ଦେଶର ବିଭିନ୍ନ ସ୍ଥାନରେ କାଶ୍ମୀର ଛାତ୍ରଙ୍କ ବିରୋଧରେ ହେଉଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ମୋଦି । 

ସେପଟେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟନେଇ ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା । ସେ ଟ୍ୱିଟ୍ କରି ତାଙ୍କ ମନର କଥା କହିଛନ୍ତି ବୋଲି ଉଲ୍ଲେଖ କରିବା ସହ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଚାର କାମକୁ ଜୋରଦାର କରିଛନ୍ତି । ଏହି କ୍ରମରେ ସେ ଶନିବାର ରାଜସ୍ଥାନ ଟୋଙ୍କଠାରେ ଜନସଭାରେ ଉଦବୋଧନ ଦେଇଛନ୍ତି ।