ପୁରୁଣା ପରମ୍ପରା ଭାଙ୍ଗିବେ ମୋଦି-ଟ୍ରମ୍ପ୍‌ ! ଆତଙ୍କବାଦ ବିରୋଧରେ ପ୍ରସ୍ତୁତ ହେବ କଠୋର ରଣନୀତି

25

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ପ୍ରଥମ ଦ୍ୱିପାକ୍ଷିକ ବୈଠକ ଉଭୟ ରାଷ୍ଟ୍ର ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହା ଉପରେ ପୂରା ବିଶ୍ୱର ନଜର ରହିଛି । ଭାରତ ଓ ଆମେରିକା ସାଂପ୍ରତିକ ବିଶ୍ୱ ରାଜନୈତିକ ଦୃଶ୍ୟପଟରେ ଦୁଇ ପ୍ରମୁଖ ଶକ୍ତି ଭାବେ ରହିଛନ୍ତି ଏବଂ ଜଳବାୟୁ ଚୁକ୍ତିଠାରୁ ଆରମ୍ଭ କରି ଆତଙ୍କବାଦ ବିରୋଧରେ ଲଢ଼େଇ ପର୍ଯ୍ୟନ୍ତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ମୋଦି-ଟ୍ରମ୍ପ୍‌ ଆଲୋଚନାରେ ସ୍ଥାନ ପାଇବ ବୋଲି କୂଟନୀତିଜ୍ଞମାନେ କହିଛନ୍ତି ।

ଆତଙ୍କବାଦ ବିରୋଧରେ କଠୋର ରଣନୀତି ଗ୍ରହଣ କରିବାକୁ ଦୁଇ ନେତା ନିଷ୍ପତ୍ତି ନେବେ ବୋଲି କୁହାଯାଉଛି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ମଧ୍ୟ ଏହି ବୈଠକ ନୂଆ ମୋଡ଼ ଦେବ ବୋଲି ଜଣାପଡ଼ିଛି । ପୁରୁଣା ପରମ୍ପରା ଓ ନୀତିକୁ ବଦଳାଇ ମୋଦି-ଟ୍ରମ୍ପ୍‌ କେତେକ ନୂତନ ନିଷ୍ପତ୍ତି ନେବେ ବୋଲି ଏସିଆ ବ୍ୟାପାର ବିଶେଷଜ୍ଞମାନେ କହିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ରହିଥିବା କୂଟନୈତିକ ସଂପର୍କ ମଧ୍ୟ ଏହି ବୈଠକ ପରେ ଆହୁରି ପରିବ୍ୟାପ୍ତ ହେବ ବୋଲି ସେମାନେ କହିଛନ୍ତି ।

ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିଗୁଡ଼ିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଟ୍ରମ୍ପ୍‌ ଆଦୌ ପ୍ରତିବନ୍ଧକ ସାଜିବେ ନାହିଁ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ପ୍ୟାରିସ୍‌ ଜଳବାୟୁ ଚୁକ୍ତିରୁ ଆମେରିକା ଓହରି ଆସିଥିବା ବେଳେ ଭାରତ ତା’ର ପୂର୍ବ ନୀତିରେ କାଏମ ରହିଛି । ଭାରତ ଏହି ପ୍ରସଙ୍ଗରେ ଆମେରିକା ସହ ଖୁବ୍‌ ସତର୍କତାର ସହିତ ଦୂରତା ବଜାୟ ରଖିବ ବୋଲି ଜଣାପଡ଼ିଛି ।

ପ୍ୟାରିସ୍‌ ଚୁକ୍ତିରୁ ଆମେରିକା ଓହରିବା ଘୋଷଣା ନିଷ୍ପତ୍ତିରେ ଟ୍ରମ୍ପ୍‌ ଭାରତ ଓ ଚୀନ୍‌କୁ ଦାୟୀ କରିଥିବାରୁ ଏଥିରେ ଭାରତ କ୍ଷୁବ୍ଧ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ବାତିଲ ହେବା ଆଶଙ୍କା ମଧ୍ୟ ରହିଥିଲା । ତେବେ ଉଭୟ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଟ୍ରମ୍ପ୍‌ଙ୍କ ବୟାନକୁ କୂଟନୈତିକସ୍ତରରେ ଅଧିକ ଗୁରୁତ୍ୱ ଦିଆଯାଇ ନଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଗତ ଆମେରିକା ଗସ୍ତ ସମୟରେ କଂଗ୍ରେସର ଉଭୟ ସଦନକୁ ଅତ୍ୟନ୍ତ ପ୍ରଭାବଶାଳୀ ଉଦବୋଧନ ଦେଇ ଭାରତ-ଆମେରିକା ସଂପର୍କର ଗଭୀରତାକୁ ଆଲୋକପାତ କରିଥିଲେ । ତେବେ ମୋଦିଙ୍କ ଆଗାମୀ ଗସ୍ତ କାର୍ଯ୍ୟକ୍ରମ ଖୁବ୍‌ ସଂକ୍ଷିପ୍ତ ରହିଛି । ୨୬ରେ ମୋଦି ଟ୍ରମ୍ପ୍‌ ଦ୍ୱିପାକ୍ଷିକ ଆଲୋଚନା ପରେ ୨୭ ତାରିଖ ଦିନ ଭାରତ-ଆମେରିକା ବାଣିଜ୍ୟିକ ପରିଷଦ ବୈଠକରେ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ବୈଠକ ପରେ ମୋଦି ସେଠାରୁ ନେଦରଲ୍ୟାଣ୍ଡ୍‌ ଗସ୍ତରେ ଯିବେ ।