ବର୍ଷ ଶେଷ ଆଡକୁ ବିଜେଡି ଗଡ଼ରେ ବିଜେପି ଓ କଂଗ୍ରେସ କରିବେ ବଡ଼ ସୋ’ । ମୋଦି ଓ ରାହୁଲଙ୍କ ଫୋକସରେ ଓଡିଶା

148

କନକ ବ୍ୟୁରୋ : ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଡିସେମ୍ବର ମାସ ଶେଷ ଆଡକୁ ଆସିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଯାହା ଆକଳନ କରାଯାଉଛି, ଆସନ୍ତା ୧୧ ତାରିଖରେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବାହାରିବା ପରେ, ଉଭୟ ବିଜେପି ଓ କଂଗ୍ରେସର ଫୋକସରେ ରହିବ ଓଡିଶା ।

ନବୀନ ଗଡ଼କୁ ଆସୁଛନ୍ତି ଦେଶର ନେତା ନମ୍ବର ୱାନ୍ । ଡିସେମ୍ବରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏପରିକି ବର୍ଷ ଶେଷରେ ଦେଖିବାକୁ ମିଳିପାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରାଲି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଯୋଗୁଁ ଯେଉଁ ରାଜ୍ୟ ଉପରେ ଫୋକସ କମି ଯାଇଥିଲା, ଏବେ ସେହି ରାଜ୍ୟଗୁଡିକ ରହିବ ଫୋକସରେ । ଆଉ ନବୀନଙ୍କୁ ଟକ୍କର ଦେବାକୁ ଅଂଟା ଭିଡିଛନ୍ତି ବିଜେପି ଓ କଂଗ୍ରେସ ।

ଅମିତ ଶାହାଙ୍କ ୧୨୦ ପ୍ଲସ ସ୍ୱପ୍ନକୁ ସାକାର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଏହି କ୍ରମରେ ୨୪ ତାରିଖରେ ମୋଦୀ ଓଡ଼ିଶା ଆସୁଛନ୍ତି ଏବଂ ଖୋର୍ଦ୍ଧାଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବୋଲି କହିଛନ୍ତି ଦଳର ପ୍ରଭାରୀ ଅରୁଣ ସିଂହ । ଯାହା ଜାଣିବା ପରେ ବିଜେପି କର୍ମୀ ଶିବିରରେ ଉତ୍ସାହ ଖେଳିଯାଇଛି ।

ଆଉ ଏହି ରେସରେ କଂଗ୍ରେସ ମଧ୍ୟ ପଛୁଆ ରହିବା ମୁଡରେ ନାହିଁ । କଂଗ୍ରେସ ମଧ୍ୟ ଏଥର ନବୀନକୁ ଟକ୍କର ଦେବା ପାଇଁ ଜୋରଦାର ଉଦ୍ୟମ କରୁଛି । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ମାସରେ ଆସିପାରନ୍ତି ଓଡ଼ିଶା । ତାରିଖ ସ୍ଥିର ହୋଇନଥିଲେ ବି ଡିସେମ୍ବର ଶେଷ ଆଡକୁ ଦୁଇ ଦିନ ପାଇଁ ଆସିବାକୁ ରାହୁଲଙ୍କୁ ଅନୁରୋଧ କରିଛି ପିସିସି । ଡିସେମ୍ବର, ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଦୁଇ ଦୁଇ ଦିନ ଲେଖାଏଁ ରାହୁଲ ଓଡ଼ିଶା ଆସିବେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ଦୁଇ ପ୍ରମୁଖ ଜାତୀୟ ଦଳର ନମ୍ବର ୱାନ ନେତା ଓଡ଼ିଶାକୁ ଆସୁଥିବା ବେଳେ ଏହାକୁ ହାଲୁକାର ସହ ନେଇଛି ବିଜେଡି । ମୋଦୀ ଓ ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେବାକୁ ଯାଉଛି ରାଜ୍ୟ ରାଜନୀତି । ଡିସେମ୍ବର ୧୧ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଜୋରଦାର ହୋଇପାରେ ଟକ୍କର ।