ମୋଦିଙ୍କ ମୁହଁରେ କେନ୍ଦ୍ର ଅବହେଳାର କଥା: କହିଲେ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ କେନ୍ଦ୍ର ସରକାର ସାଜିଥିଲେ ବିକାଶର ପ୍ରତିବନ୍ଧକ

31

କନକ ବ୍ୟୁରୋ : ମୋଦିଙ୍କ ମୁହଁରେ କେନ୍ଦ୍ର ଅବହେଳାର କଥା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅନେକ ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅବହେଳାର ଅଭିଯୋଗ ଆଣୁଥିବା ବେଳେ ଆଜି ଗୁଜରାଟରେ ଏକ ଉଦ୍ଘାଟନୀ ଉତ୍ସବରେ ମୋଦି କହିଛନ୍ତି- ତତ୍କାଳୀନ ୟୁପିଏ ସରକାର ଗୁଜରାଟର ବିକାଶରେ ପ୍ରତିବନ୍ଧକ ସାଜିଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ତାହା ସୁଧୁରିଯାଇଛି ବୋଲି ମୋଦି କହିଛନ୍ତି ।

ଗୁଜରାଟରେ ଆସନ୍ନ ନିର୍ବାଚନ ପୂର୍ବରୁ ରାଜନୈତିକ ତାତି ବଢ଼ୁଥିବା ବେଳେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି- ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ କେନ୍ଦ୍ର ଗୁଜରାଟର ବିକାଶରେ ବାଧକ ସାଜିଥିଲା । ଗୁଜରାଟର ଘୋଘା ଓ ଦହେଜ ମଧ୍ୟରେ ବୋଟ୍ ଚଳାଚଳ ପ୍ରକଳ୍ପର ଉଦ୍ଘାଟନ ବେଳେ ମୋଦି କହିଛନ୍ତି- ଏହି ପ୍ରକଳ୍ପକୁ ଜାଣିଶୁଣି କେନ୍ଦ୍ର ସରକାର ବିଭିନ୍ନ ବାହାନା ଦେଖାଇ ବିଳମ୍ବ କରିଦେଇଥିଲେ । କାରଣ କେନ୍ଦ୍ରରେ ଥିଲା କଂଗ୍ରେସ ନେତୃ୍ତ୍ୱାଧୀନ ୟୁପିଏ ସରକାର ଏବଂ ଗୁଜରାଟରେ ଥିଲା ତାଙ୍କର ବିଜେପି ସରକାର । କେନ୍ଦ୍ର ଅବହେଳା ପ୍ରସଙ୍ଗ ଓଡ଼ିଶା ରାଜନୀତିରେ ସବୁବେଳେ ଏକ ବଡ଼ ପ୍ରସଙ୍ଗ ହୋଇ ଉଭା ହୋଇଥାଏ । କାରଣ ଶାସନରେ ଥିବା ବିଜେଡି ସରକାର ଅଭିଯୋଗ ଆଣନ୍ତି, ଯେ କେନ୍ଦ୍ର ଜାଣିଶୁଣି ଓଡ଼ିଶାର ବିକାଶରେ ପ୍ରତିବନ୍ଧକ ସାଜୁଛି ।

ପ୍ରଶ୍ନ ଉଠେ, ନବୀନ ଏବଂ ମୋଦି ଉଠାଉଥିବା କେନ୍ଦ୍ର ଅବହେଳା ପ୍ରସଙ୍ଗରେ ପ୍ରକୃତରେ କେତେ ସତ୍ୟତା ରହିଛି? ଏସବୁ ପ୍ରସଙ୍ଗ କେବଳ ରାଜନୈତିକ ବୟାନବାଜି ନା ରାଜ୍ୟର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ? ସଂଘୀୟ ବ୍ୟବସ୍ଥାରେ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଅଂଶ ଆବଂଟନ କରିଥାନ୍ତି । କେତେକ ରାଜ୍ୟକୁ ଏହା ବାହାରେ ସ୍ୱତନ୍ତ୍ର ପ୍ୟାକେଜ୍ ବି ଦିଅନ୍ତି । ଆଉ ଯଦି ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟ ରଖନ୍ତି, ତେବେ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ପାଲଟିଯାଏ।