ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ନୂଆ ଜମ୍ମୁକାଶ୍ମୀର ଓ ଲଦାଖର ନିର୍ମାଣ ପାଇଁ ଦେଲେ ପ୍ରତିଶୃତି, କହିଲେ, ଏବେ ଜମ୍ମୁ-କାଶ୍ମୀରର ପିଲା ସାରା ବିଶ୍ୱରେ ନାଁ କରିବେ ।

648

କନକ ବ୍ୟୁରୋ : ଧାରା ୩୭୦ର ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରର ପୁର୍ନଗଠନ ବିଲ୍‌ ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି। ଏହାସହ କହିଛନ୍ତି, ଏହା ଏକ ଐତିହାସିକ ପଦକ୍ଷେପ । ମୁଁ ଏଥିଲାଗି ଜମ୍ମୁ-କଶ୍ମୀର ଓ ଲଦାଖର ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହା ଦ୍ୱାରା ବହୁ ଦିନର ସ୍ୱପ୍ନ ଆଜି ସଫଳ ହୋଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌, ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱପ୍ନ ସାକାର ହୋଇଛି। ଧାରା ୩୭୦କୁ ପାକିସ୍ତାନ ଅସ୍ତ୍ର ଭାବେ ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଥିଲା। ୩୭୦ର ବିଲୋପ ଫଳରେ ଏଥିରୁ ମୁକ୍ତି ମିଳିଛି। ଏହା ଦ୍ୱାରା ଜମ୍ମୁ-କଶ୍ମୀର ବିକାଶ ଧାରାରେ ସାମିଲ ହୋଇ ସମଗ୍ର ଦେଶ ସହ ସମକକ୍ଷ ହୋଇପାରିବ।

ଏହାସହ ମୋଦି କହିଛନ୍ତି ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହୋଇ ରହିବ । ତେବେ ସ୍ଥିତିରେ ସୁଧାର ଆସିଲେ ପୁଣିଥରେ ଜମ୍ମୁ-କାଶ୍ମୀରକୁ ରାଜ୍ୟ ଭାବେ ଘୋଷଣା କରାଯିବ । ମୋର ବିଶ୍ୱାସ ଜମ୍ମୁ-କାଶ୍ମୀର ଲୋକ ନୂଆ ଆଶା ନେଇ ଆଗକୁ ବଢିବେ । ଏହାଛଡା ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ମୋଦି କହିଛନ୍ତି, ଦୀର୍ଘ ଦର୍ଶକ ଧରି ପରିବାରବାଦ ରାଜନୀତି ପାଇଁ ଜମ୍ମୁ-କାଶ୍ମୀରର ସାଧାରଣ ଯୁବକଙ୍କୁ ନେତୃତ୍ୱ ନେବାକୁ ସୁଯୋଗ ମିଳୁନାହିଁ । କିନ୍ତୁ ଏବେ ନିଜ ଅଞ୍ଚଳର ବିକାଶ ପାଇଁ ଯୁବକ ମାନେ ନିଜେ ଦାୟିତ୍ୱ ନିଅନ୍ତୁ । ଏଣିକି ଲଦାଖର ଛାତ୍ରଛାତ୍ରୀ ମାନେ ବଡ ବଡ ଶିକ୍ଷାନୁଷ୍ଠାନରେ ପାଠ ପଢିପାରିବେ । ଏହାସହ ଆଗାମୀ ଇଦ୍ ପର୍ବ ପାଇଁ ଜମ୍ମୁ-କାଶ୍ମୀରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଇଦ୍ ପାଳନ ବେଳେ କୌଣସି ଅସୁବିଧା ହେବ ନାହିଁ ବୋଲି ଜମ୍ମୁ-କାଶ୍ମୀରବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ମୋଦି । ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ସହ ଏକ ନୂଆ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୋଦି ।