ସେନାର ଆଧୁନିକୀକରଣ ପାଇଁ ୩୫୪୭ କୋଟି ! ସେନାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପ୍ରତିରକ୍ଷା ବିଭାଗ ନିଷ୍ପତ୍ତି

32

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଡିଏସି(ଡିଫେନ୍ସ ଆକ୍ୟୁଜିସନ କାଉନ୍ସିଲ)ବୈଠକରେ ସେନାର ଅଧୁନିକୀକରଣ ପାଇଁ ୩ ହଜାର ୫୪୭ କୋଟି ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିରେ ସେନାକୁ ୭୨,୦୦୦ଟି ସ୍ୱୟଂଚାଳିତ ଅତ୍ୟାଧୁନିକ ରାଏଫଲ ଏବଂ ୯୩,୮୯୫ଟି କାର୍ବାଇନ୍ ବନ୍ଧୁକ କ୍ରୟ ପାଇଁ ଅନୁମତି ଦିଆଯାଇଛି ।

ସୀମାରେ ଅନୁପ୍ରବେଶକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେନାକୁ ସକ୍ରିୟ ରଖିବାକୁ ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପ୍ରତିରକ୍ଷା ବିଭାଗ ନିିଷ୍ପତ୍ତି ନେଇଛି । ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’କାର୍ୟ୍ୟକ୍ରମକୁ ତ୍ୱରାନ୍ଵିତ କରିବାକୁ ଡିଏସି ପକ୍ଷରୁ ‘ମେକ୍-୨’ ପ୍ରକ୍ରିୟାରେ ଏସବୁ ଅସ୍ତ୍ର ଶସ୍ତ୍ର ନିର୍ମାଣ କରିବାକୁ ଘରୋଇ କମ୍ପାନିଙ୍କୁ ପ୍ରୋତ୍ସାହନ ଦିଆଯିବ ବୋଲି ଜଣାଯାଇଛି । ‘ମେକ୍-୨’ ପ୍ରକ୍ରିୟା ପୂର୍ବରୁ କେବଳ ବଛାବଛା କିଛି କମ୍ପାନିଙ୍କୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଅନୁମତି ମିଳିପାରୁଥିଲା । ତେବେ ଏହି ପ୍ରକ୍ରିିୟା ପରେ ଏବେ ସମସ୍ତ କମ୍ପାନିଙ୍କୁ ସ୍ୱାଗତ କରାଯିବ। ଫଳରେ ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇପାରିବ ବୋଲି ମନ୍ତ୍ରାଳୟ ଆଶା ରଖିଛି ।