ବାପା ଟ୍ରକ୍ ଡ୍ରାଇଭର, ଝିଅ ମଡ଼େଲ୍ ! କଠୋର ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ସଫଳ ହେଲେ ପ୍ରତିଭା ଚୌଧୁରୀ

52

ବର୍ତ୍ତମାନ ଯୁଗରେ ମଣିଷ ଅସମ୍ଭବକୁ ସମ୍ଭବ କରିବା ପାଇଁ ବିଭିନ୍ନି ପରିସ୍ଥିତିକୁ ମୁକାବିଲା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ବନେଇବାରେ ସକ୍ଷମ ହେଉଛନ୍ତି । କେବଳ ତାଙ୍କର କଠୋର ପରିଶ୍ରମ ଓ ଆତ୍ମବିଶ୍ୱାସ ପାଇଁ ନିଜର ପରିଚୟ ବନେଇବାରେ ସଫଳ ହେଉଛନ୍ତି । ସେହିପରି ଜଣେ ଯୁବତୀ ଅତି ଗରିବ ପରିବାରରେ ଜନ୍ମ ହୋଇ ବି ଦୃଢ ଇଚ୍ଛାଶକ୍ତି ବଳରେ ହୋଇପାରିଛନ୍ତି, ୟୁଏଇ କମ୍ପାନିର ବ୍ରାଣ୍ଡ ଆମ୍ବାସଡର ମଡେଲ । ତାଙ୍କ ନାମ ପ୍ରତିଭା ଚୌଧୁରୀ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଆଲିଗଡର ହାଥରସରେ ଜନ୍ମ ପ୍ରତିଭାଙ୍କର । ତାଙ୍କ ବାପା ଜଣେ ଟ୍ରକ ଡ୍ରାଇଭର । ତେଣୁ ତାଙ୍କ ସୀମିତ ରୋଜଗାରରେ ବହୁ କଷ୍ଟରେ ପରିବାର ଚଳୁଥିଲା । ଫଳରେ ଉଚ୍ଚ ଶିକ୍ଷା ସହ ଉନ୍ନତମାନର ଜୀବନଧାରଣ ପାଇଁ ପ୍ରତିଭା ଛୋଟବେଳରୁ ହିଁ କୌଣସି ସୁଯୋଗ ପାଇନଥିଲେ । ମଡେଲିଂ ଓ ଆକ୍ଟିଂ ପ୍ରତି ତାଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା । କିନ୍ତୁ ଘର ଲୋକଙ୍କର ଏଥିପାଇଁ କଟକଣା ଥିଲା । ତାଙ୍କ ଭଳି ଜାଠ ପରିବାରର ଝିଅମାନଙ୍କୁ ବାହାରକୁ ବାହାରିବା ପାଇଁ ମଧ୍ୟ ବାରଣ କରାଯାଉଥିଲା ବୋଲି ଶୁଣାଯାଏ । କିନ୍ତୁ ପ୍ରତିଭା ଓ ତାଙ୍କ ଭଉଣୀ ଘରର ଏହି କଟକଣାକୁ ଖାତିର ନକରି ନିଜ ଗୋଡରେ ନିଜେ ଛିଡା ହେବା ପାଇଁ ଉଦ୍ୟମ ଜାରି ରଖିଥିଲେ । ପିଲାମାନଙ୍କର ଏଭଳି ସାହାସ ଦେଖି ପରିବାର ଲୋକେ ଶେଷରେ ଅନୁମତି ଦେବାକୁ ରାଜି ହୋଇଥିଲେ ।

ପ୍ରତିଭାଙ୍କର ବଡ ଭଉଣୀ ଦିଲ୍ଲୀରେ ଚାକିରି ପାଇଁ ସେଠାରେ ରହୁଥିଲେ । ତେଣୁ ସେ ଏମଏ ପାସ କରିବା ପରେ ଦିଲ୍ଳୀ ଚାଲି ଆସିଥିଲେ ମଡେଲିଂ ପାଇଁ । ସେଠାରେ ଭଉଣୀର ଆର୍ଥିକ ସାହାଯ୍ୟ ନେଇ ସୋରଜ ଖାନ ଏକାଡେମୀରୁ ନୃତ୍ୟ ଶିକ୍ଷା କରିଥିଲେ । ଏହା ପରେ ଘରେ ନିଜେ ନୃତ୍ୟ ଶିକ୍ଷା କରି ନିଜର ଏକ ଏକାଡେମୀ ଖୋଲିଥିଲେ । କିନ୍ତୁ ସେଥିରେ ଲାଭ ନ ମିଳିବାରୁ ତାକୁ ବନ୍ଦ କରି ଦେଇଥିଲେ । ଏହା ପରେ ବିଭିନ୍ନ କମ୍ପାନୀରେ ସେ ଚାକିରି ପାଇଁ ଆବେଦନ କରିଥିଲେ ।

ପରେ ଦୁବାଇର ଏକ କଂପାନିରୁ ତାଙ୍କ ପାଇଁ ମଡେଲିଂର ଅଫର ମଧ୍ୟ ଆସିଥିଲା । କିନ୍ତୁ ବିଭିନ୍ନ ମଡେଲଙ୍କ ବିଷୟରେ ଶୁଣିବା ପରେ ସେଠାକୁ ଯିବାକୁ ପ୍ରଥମେ ଭୟ କରିଥିଲେ । ଏପଟେ ଆର୍ଥିକ ସ୍ଥିତି ଖରାପ ଥିବା ସହ ଧାର କରଜକୁ ନେଇ ଚିନ୍ତାରେ ଥିଲେ । ତେଣୁ ଦୁବାଇରେ ସେହି କମ୍ପାନୀ ଚାକିରି ବିଷୟରେ ବୁଝିବା ପାଇଁ ଚିନ୍ତା କଲେ । ଦୁଇ ଭଉଣୀ ମିଶି କମ୍ପାନୀ ବିଷୟରେ ସବୁ ବୁଝାସୁଝା କରିଥିଲେ । ତା’ପରେ ଚାକିରି ବିଷୟରେ ବିଭିନ୍ନ ପ୍ରମାଣପତ୍ର ଯୋଗାଡ କରିବା ପରେ ଦୁବାଇ ଯାଇଥିଲେ । ଦୁବାଇ କମ୍ପାନୀରେ ଚାକିରି କରିବା ପରେ ପ୍ରତିଭା ଓ ତାଙ୍କ ପରିବାରର ଭାଗ୍ୟ ବଦଳି ଯାଇଥିଲା । ପ୍ରଥମେ ଦୁଇମାସର ସୁଟିଂ କରିବା ପରେ ତାଙ୍କୁ ଆଡଭାନ୍ସ ଆକାରରେ ମିଳିଥିଲା ୫ଲକ୍ଷ ଟଙ୍କା । ଏହାପରେ କମ୍ପାନୀ ତାଙ୍କ ସହ ଏକ ବର୍ଷର କଂଟ୍ରାକ୍ଟ କରିଛି । ଏବେ ତାଙ୍କ ପାଖରେ ଯଥେଷ୍ଟ ଟଙ୍କା ହୋଇପାରିଛି । ତେଣୁ ସେ ତାଙ୍କ ବାପାଙ୍କୁ ଅନେକ ଗୁଡିଏ ଟ୍ରକ ଉପହାର ଆକାରରେ ଦେବାକୁ ଚାହିଁଛନ୍ତି ।