ଏଚଆଇଭି ଆଗରେ ହାରିଗଲା ପ୍ରେମ । ବିୟୁଟି କୁଇନ୍ ଗର୍ଲଫ୍ରେଣ୍ଡ ନେଇଗଲା ବୟଫ୍ରେଣ୍ଡର ଜୀବନ ।

38

ପ୍ରେମ ସମ୍ପର୍କରେ ବାଧକ ସାଜିଲା ଏଚଆଇଭି । ମିସ କେନିୟା ହେବାର ସ୍ୱପ୍ନ ଦେଖୁଥିବା ମଡେଲ ରୁଥ କମାଣ୍ଡେ ନିଜ ବୟଫ୍ରେଣ୍ଡର ହତ୍ୟା କରିଥିବା ଅଭିଯୋଗରେ ଆଜି ନୈରୋବି ର ଲେଙ୍ଗାଟା ଜେଲରେ ବନ୍ଦୀ ଅଛନ୍ତି । କିନ୍ତୁ ଜେଲରେ ହିଁ ତାଙ୍କୁ ବିୟୁଟି କୁଇନ୍ ପ୍ରତିଯୋଗିତା ଜିତିବାର ସୁଯୋଗ ମିଳିଛି । ୨୦୧୬ରେ ସେ ମିସ ଲେଙ୍ଗାଟା ପ୍ରିଜନ୍ ବଛା ହୋଇଥିଲେ । ଏବେ ଯାଇ ରୁଥ କହିଛନ୍ତି ଯେ, ତାଙ୍କ ପ୍ରେମୀ ଏଚଆଇଭି ଗ୍ରସ୍ତ ଥିବାରୁ ସେ ତାଙ୍କୁ ହତ୍ୟା କରିଥିଲେ ।

ରୁଥଙ୍କ କହିବା ଅନୁସାରେ ସେ ତାଙ୍କ ବୟଫ୍ରେଣ୍ଡର ହତ୍ୟା ତାଙ୍କୁ ଧୋକା ଦେଇଥିବାରୁ କିମ୍ବା ଅନ୍ୟ କୌଣସି କାରଣରୁ କରିନଥିଲେ । ନିଜକୁ ଏଚଆଇଭି ହେବାରୁ ବଞ୍ଚେଇବା ପାଇଁ ଆତ୍ମରକ୍ଷାରେ ଏପରି କରିଥିଲେ । ତାଙ୍କ ବୟଫ୍ରେଣ୍ଡଙ୍କୁ ଏଚଆଇଭି ହୋଇଥିଲା ଏବଂ ସେ ରୁଥଙ୍କୁ ମଧ୍ୟ ଏଚଆଇଭି ସଂକ୍ରମିତ କରିବାକୁ ଚାହୁଁଥିଲେ ।

ରୁଥ କହିଛନ୍ତି ଯେ, ଯେଉଁ ଦିନ ସେ, ନିଜ ବୟଫ୍ରେଣ୍ଡ ୨୨ବର୍ଷୀୟ ଫରିଦ ମୋହମ୍ମଦଙ୍କୁ ହତ୍ୟା କଲେ, ସେହିଦିନ ସକାଳୁ ଉଭୟଙ୍କ ମଧ୍ୟରେ ଖୁବ ଝଗଡା ହୋଇଥିଲା । ରୁଥଙ୍କର ଘରେ କାର୍ପେଟ ତଳେ ଏଚଆଇଭି ଟ୍ରିଟମେଣ୍ଟ ସହ ସମ୍ବନ୍ଧିତ ଗୋଟିଏ କାର୍ଡ ମିଳିଥିଲା । ଯେଉଁଥିରୁ ସେ ଫରିଦ ଏଚଆଇଭି ପଜିଟିଭ ହୋଇଥିବା ଜାଣିପାରିଥିଲେ ।

ଏହି ଘଟଣାକୁ ନେଇ ରୁଥ ଫରିଦଙ୍କୁ ପଚରାଉଚୁରା କରିଥିଲେ । କିନ୍ତୁ ଫରିଦ ଏହା ପରେ ରୁଥଙ୍କ ସହ ଝଗଡା କରିଥିଲେ ଏବଂ ତାଙ୍କ ରୋଗ ବିଷୟରେ ଆଉ କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ରୁଥ କହିଛନ୍ତି ଯେ, ଫରିଦ ତାଙ୍କ ଉପରେ ଛୁରୀରେ ମରଣାତ୍ମକ ଆକ୍ରମଣ ମଧ୍ୟ କରିଥିଲେ ।

କିନ୍ତୁ ରୁଥ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ନିଜ ଆଙ୍ଗୁଳିକୁ ଫରିଦଙ୍କ ଆଖିରେ ପୁରାଇଥିଲେ । ଏହା ପରେ ଫରିଦଙ୍କ ହାତରୁ ଛୁରୀଟି ଖସି ପଡିଥିଲା । ଆଉ ଆତ୍ମରକ୍ଷାରେ ସେହି ଛୁରୀରେ ଫରିଦଙ୍କର ହତ୍ୟା କରିଥିଲେ ।

କୋର୍ଟରେ ମଧ୍ୟ ରୁଥ କହିଥିଲେ ଯେ, ତାଙ୍କୁ ଏହି କଥା ବହୁତ କଷ୍ଟ ଦେଇଥିଲା । ଯେଉଁ ବ୍ୟକ୍ତିଙ୍କୁ ସେ ଏତେ ଭଲ ପାଉଥିଲେ, ଯାହାକୁ ଏତେ ବିଶ୍ୱାସ କରୁଥିଲେ, ସିଏ ହିଁ ତାଙ୍କୁ ଏଚଆଇଭି ସଂକ୍ରମିତ କରିବାକୁ ଚେଷ୍ଟା କରିଲେ । ରୁଥ କହିଥିଲେ ଯେ, ସେତେବେଳେ ସେ ଭୟର ଦୁନିଆରେ ଥିଲେ ସେଥିପାଇଁ ସେ ଫରିଦଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ ।

ରୁଥଙ୍କ ଘରୁ ଲଢେଇ ଝଗଡା ଏବଂ ପାଟି ତୁଣ୍ଡ ଶୁଣି ପଡୋଶୀ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ହିଁ ପ୍ରଥମେ ରୁଥଙ୍କୁ ମେଟ୍ରୋପାଲିଟାନ ହସ୍ପିଟାଲ ଏବଂ ପରେ କେନୟାଟା ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏବଂ ସେଠାରେ ତାଙ୍କୁ ଏଚଆଇଭି ସଂକ୍ରମଣରୁ ରୋକାଯାଉଥିବା ଔଷଧ ଦିଆଯାଇଥିଲା ।