କନ୍ଧମାଳର ଆଦର୍ଶ ଅଙ୍ଗନବାଡି । ପିଲାଙ୍କୁ ପାଠ ପ୍ରତି ଆକର୍ଷିତ କରିବାକୁ ଅଙ୍ଗନବାଡି କାନ୍ଥ, ଚଟାଣରେ ହୋଇଛି ବିଭିନ୍ନ ଚିତ୍ର । ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ତିଆରି ହୋଇଛି ୪୬୦ଟି ଆଦର୍ଶ ଅଙ୍ଗନବାଡି କେନ୍ଦ୍ର

325

କନକ ବ୍ୟୁରୋ: ପଛୁଆ ଜିଲ୍ଲାରେ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ସରକାର । ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ପିଲାଙ୍କ ପାଠ ପଢାଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ଖେଳକୁଦ ଉପରେ ଗୁରୁତ୍ୱ ଦେଇ ଅଙ୍ଗନବାଡିକୁ ଅଧିକ ଫୋକସ କରାଯାଉଛି । ମାଲକାନଗିରି ଓ କୋରାପୁଟ ବିଭିନ୍ନ ଅଙ୍ଗନବାଡି ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ କନ୍ଧମାଳରୁ ଆସିଛି ଆଦର୍ଶ ଅଙ୍ଗନବାଡିର ଖବର ।

ପୂର୍ବରୁ ଦକ୍ଷିଣ ଓଡିଶାର କିଛି ଆଦର୍ଶ ବିଦ୍ୟାଳୟ ସଂପର୍କୀତ ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଛି । ମଡେଲ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାରୁ ଖବର ଆସିଛି । ହେଲେ ଆଜି ଖବର ପାଲଟିଛି କନ୍ଧମାଳ ଜିଲ୍ଲାର ଆଦର୍ଶ ଅଙ୍ଗନବାଡି । ଅଙ୍ଗନବାଡି କେନ୍ଦ୍ରକୁ ଅତି ସୁନ୍ଦରଭାବେ ସଜେଇ ଦିଆଯାଇଛି । ଲକ୍ଷ୍ୟ ଜିଲ୍ଲାରୁ ପୁଷ୍ଟିହୀନତା ଦୂର କରିବା ସହ କୁନି କୁନି ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ।

ଉନ୍ନତ ଶିକ୍ଷାଦାନ ପାଇଁ ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରକାର ଚିତ୍ର ଅଙ୍କା ଯାଇଛି । ପାଠ୍ୟ ପୁସ୍ତକ ଅନୁସାରେ କାନ୍ଥରେ ବିଭିନ୍ନ ଚିତ୍ର କରାଯାଇ ପିଲାଙ୍କୁ ପଢା ଯାଉଛି । ଚଟାଣରେ ସଂଖ୍ୟା ଓ ଅ, ଆ ଲେଖା ହୋଇଛି । ସେହିଭଳି ଅଙ୍ଗନୱାଡିର ଛାତରେ ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହ ନକ୍ଷେତ୍ରଙ୍କୁ ନେଇ ସୌରମଣ୍ଡଳ କରାଯାଇଛି । ଆଉ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରର କର୍ମୀ ନାଚଗୀତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ।

ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଉପରେ ମଧ୍ୟ ନଜର ରଖିଛି ଜିଲ୍ଲା ପ୍ରଶାସନ । ପିଲାମାନଙ୍କ ପାଇଁ ସୁସ୍ଥ ବାତାବରଣରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ପିଲାଙ୍କ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ ।